ବ୍ରିସବେନ, ଜାନୁଆରୀ ୧୪ (ଖବର ଓଡ଼ିଶା) :
ଆସନ୍ତାକାଲି ଠାରୁ ବ୍ରିସବେନରେ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ । ତେବେ ଏକାଧିକ ଖେଳାଳି ଆହତ ହୋଇ ଦଳରୁ ବାଦ ପଡିବା ଏବେ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ଦଳର ସମସ୍ତ ପ୍ରମୁଖ ଦ୍ରୁତ ବୋଲର ଏବଂ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଆହତ ହୋଇ ଶେଷ ଟେଷ୍ଟରୁ ବାଦ ପଡିଛନ୍ତି । ସ୍ପିନର ରବିନଚନ୍ଦ୍ରନ ଅଶ୍ୱିନଙ୍କ ମଧ୍ୟ ବ୍ୟାକରେ ସମସ୍ୟା ଥିବାରୁ ସେ ଚତୁର୍ଥ ଟେଷ୍ଟରେ ଖେଳିବେ କି ନାହିଁ ତାହା ମଧ୍ୟ ସ୍ଥିର ହୋଇପାରିନାହିଁ । ସିଡନୀ ଟେଷ୍ଟରେ ଦଳକୁ ପରାଜୟରୁ ବଂଚାଇଥିବା ବ୍ୟାଟସମାନ ହନୁମା ବିହାରୀ ହାମଷ୍ଟ୍ରିଙ୍ଗ ଇଂଜୁରୀ ପାଇଁ ମଧ୍ୟ ଦଳରୁ ବାଦ ପଡିଛନ୍ତି । ତେବେ ଏହି ସମସ୍ତ ଖେଳାଳିଙ୍କ ସ୍ଥାନରେ କିଛି ନୂଆ ମୁହଁଙ୍କୁ ସୁଯୋଗ ମିଳିପାରେ । ଅଲରାଉଣ୍ଡର ୱାସିଙ୍ଗଟନ ସୁନ୍ଦର ଏବଂ ଟି.ନଟରାଜନଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିପାରେ ।