ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ଜୋରଦାର ଝଟକା । ଦଳର ତାରକା ଅଲରାଉଣ୍ଡର ମିଚେଲ୍ ମାର୍ଶ ପିଠିରେ ଆଘାତଜନିତ ସମସ୍ୟା କାରଣରୁ ଚାମ୍ପିଅନ୍ସ ଟ୍ରଫିରୁ ବାହାରି ଯାଇଛନ୍ତି । ଏହା ସହିତ ତାଙ୍କର ଆଇପିଏଲ୍ ଖେଳିବା ମଧ୍ୟ ବହୁତ ମୁସ୍କିଲ ଲାଗୁଛି ।
କ୍ରିକେଟ୍ ଅଷ୍ଟ୍ରେଲିଆର ବୟାନ ଅନୁଯାୟୀ, ମିଚେଲ୍ ମାର୍ଶଙ୍କ ପିଠିର ନିମ୍ନ ଭାଗରେ ଯନ୍ତ୍ରଣା ଓ ଶିଥିଳତା କାରଣରୁ ଆଗାମୀ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ଦିଆଯାଇଛି । ଜାତୀୟ ଚୟନ କମିଟି ଓ ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍ ଦଳର ଡାକ୍ତରୀ ଦଳ ମାର୍ଶଙ୍କୁ ଆଘାତ କାରଣରୁ ଟୁର୍ଣ୍ଣାମେଣ୍ଟ ବାଦ୍ ଦେଇଛନ୍ତି ।
ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, ନିକଟ ସପ୍ତାହରେ ତାଙ୍କ ପିଠିର ନିମ୍ନ ଭାଗରେ ଯନ୍ତ୍ରଣା ବଢି ଯାଇଥିଲା । ଏହି କାରଣରୁ ମାର୍ଶ ଏବେ ଚାମ୍ପିଅନ୍ସରେ ଖେଳି ପାରିବେ ନାହିଁ । ତାଙ୍କୁ ଏବେ ଦୀର୍ଘ ସମୟ ବିଶ୍ରାମର ଆବଶ୍ୟକତା ରହିଛି । କାରଣ ରିହାବ ପରେ ସେ ଫିଟ୍ ହୋଇ ପାରି ନାହାନ୍ତି । ତେବେ ଏ ପର୍ଯ୍ୟନ୍ତ ମାର୍ଶଙ୍କ ବଦଳ ଖେଳାଳି ଘୋଷଣା କରାଯାଇ ନାହିଁ ।
ମାର୍ଶ ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ପରେ ପିଠିରେ ସମସ୍ୟା ଦେଖା ଦେଇଥିଲା । ସିଡନୀରେ ସିରିଜର ଶେଷ ମ୍ୟାଚ୍ ପୂର୍ବରୁ ତାଙ୍କ ସ୍ଥାନରେ ଦଳରେ ବ୍ୟୁ ୱେବଷ୍ଟରଙ୍କୁ ସାମିଲ କରାଯାଇଥିଲା । ମାର୍ଶ ୨୦୨୩ ବିଶ୍ୱକପରେ ଅଷ୍ଟ୍ରେଲିଆ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ୧୦୭.୫୬ ଷ୍ଟ୍ରାଇକ ରେଟରେ ୪୯.୦୦ ହାରରେ ୪୪୧ ରନ କରିଛନ୍ତି ।