ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା ବାଙ୍ଗର ସଂପ୍ରତି ଖୁବ ଚର୍ଚ୍ଚାରେ ଅଛନ୍ତି । ସେ ପ୍ରଥମେ ଯୁବକ ଥିଲେ । ନାଁ ଥିଲା ଆର୍ଯ୍ୟନ । ମାତ୍ର ପରେ ସେ ଲିଙ୍ଗ ପରିବର୍ତ୍ତନ କରି ଯୁବତୀ ପାଲଟିଗଲେ । ଅନାୟା ନିକଟରେ ଆଇସିସି ଓ ବିସିସିଆଇକୁ ଟ୍ରାନ୍ସଜେଣ୍ଡର କ୍ରିକେଟରଙ୍କ ସମର୍ଥନ କରିବାକୁ ଅପିଲ୍ କରିଛନ୍ତି । ବର୍ତ୍ତମାନ ସମୟରେ ଟ୍ରାନ୍ସଜେଣ୍ଡର କ୍ରିକେଟରଙ୍କୁ ମହିଳା କ୍ରିକେଟ୍ ଦଳରେ ଖେଳିବାକୁ ଅନୁମତି ନାହିଁ ।
୨୦୨୩ ଦିନିକିଆ ବିଶ୍ୱକପ ପରେ ଆଇସିସି ବୋର୍ଡ ବୈଠକରେ ଏହି କଟକଣା ଲଗାଯାଇଛି । ଏହି କ୍ରମରେ ଏବେ ଅନାୟା ଟ୍ରାନ୍ସଜେଣ୍ଡର ଆଥଲେଟ ଭାବେ ନିଜର ଲିଙ୍ଗ ପରିବର୍ତ୍ତନ କରିବାର ୮ ପୃଷ୍ଠାର ବୈଜ୍ଞାନିକ ରିପୋର୍ଟ ସେୟାର କରିଛନ୍ତି । ସେ ଏକ ଭିଡିଓ ପ୍ରସ୍ତୁତ କରି ଆଇସିସି ଓ ବିସିସିଆଇକୁ ପଠାଇବାକୁ ଯାଉଛନ୍ତି ।
ସେ କହିଛନ୍ତି, ବିଜ୍ଞାନ କହୁଛି ମହିଳା କ୍ରିକେଟର ପାଇଁ ମୁଁ ଯୋଗ୍ୟ । ଏବେ ପ୍ରଶ୍ନ ଉଠୁଛି କଣ ଦୁନିଆ ସତ ଶୁଣିବାକୁ ପ୍ରସ୍ତୁତ ? ସୂଚନାଯୋଗ୍ୟ, ଅନାୟା ଜନ୍ମରୁ ପୁଅ ଥିଲେ । ମାତ୍ର ପରେ ସେ ମହିଳା ଭାବେ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ । ତାଙ୍କ ବାପା ସଞ୍ଜୟ ବାଙ୍ଗର ଭାରତୀୟ କ୍ରିକେଟ୍ ଦଳର ବ୍ୟାଟିଂ କୋଚ୍ ଥିଲେ । ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ଥିଲେ । ସଞ୍ଜୟ ବାଙ୍ଗର ଭାରତ ପାଇଁ ୧୨ଟି ଟେଷ୍ଟ ଓ ୧୫ଟି ଦିନିକିଆ ଖେଳିଛନ୍ତି ।
ତେବେ ତାଙ୍କର ପ୍ରଥମରୁ ପୁଅ ଥିବା ଆର୍ଯ୍ୟନ ମଧ୍ୟ କ୍ରିକେଟର ହେବା ଲକ୍ଷ୍ୟ ନେଇ ଅଭ୍ୟାସ କରୁଥିଲେ । ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜର ଲିଙ୍ଗ ପରିବର୍ତ୍ତନ କରି ଆର୍ଯ୍ୟନରୁ ଅୟାନା ହୋଇଗଲେ । ଏବେ ସେ ଟ୍ରାନ୍ସଜେଣ୍ଡରଙ୍କୁ ମହିଳା କ୍ରିକେଟ୍ ଦଳରେ ସାମିଲ କରିବାକୁ ଅପିଲ୍ କରିଛନ୍ତି ।