ଭାରତୀୟ କ୍ରିକେଟ ଟିମର ପୂର୍ବତନ ବୋଲର ଅଜିତ ଅଗରକର ଟିମ୍ ଇଣ୍ଡିଆର ମୁଖ୍ୟ ଚୟନ କର୍ତ୍ତା ଭାବେ ନିଯୁକ୍ତି ପାଇଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ତରଫରୁ ମଙ୍ଗଳବାର ରାତିରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି । କହିରଖୁ କି ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଅଜିତ ଅଗରକରଙ୍କ ନାମ ସବୁଠାରୁ ଆଗରେ ରହିଥିଲା । ଚେତନ ଶର୍ମାଙ୍କ ପରେ ଓଡ଼ିଆ ପୁଅ ଶିବ ସୁନ୍ଦର ଦାସ ଚୟନ କମିଟିର ଅନ୍ତରୀଣ ମୁଖ୍ୟ ଭାବେ କାମ କରୁଥିଲେ। କିନ୍ତୁ ଅଜିତ ଅଗରକର ମୁଖ୍ୟ ଚୟନକର୍ତ୍ତା ହୋଇଥିବା ବେଳେ ଶିବ ସୁନ୍ଦର ଚୟନ କମିଟିର ଅନ୍ୟତମ ସଦସ୍ୟ ଭାବେ କାମ କରିବେ।
୪୫ ବର୍ଷୀୟ ଅଗରକରଭାରତ ପାଇଁ ୨୬ଟି ଟେଷ୍ଟ, ୧୯୧ ଦନିକିଆ ଓ ୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହାବାଦ ସେ ୧୧୦ଟି ପ୍ରଥମ ଶ୍ରେଣୀ, ୨୭୦ ଲିଷ୍ଟ ଏ ଓ ୬୨ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ଭାରତ ୨୦୦୭ରେ ଟି-୨୦ ବିଶ୍ୱକପ ଜିତିବା ବେଳେ ଉକ୍ତ ଟିମରେ ଅଗରକର ରହିଥିଲେ।୨୦୦୦ ମସିହାରେ ସେ ମାତ୍ର ୨୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଦିନିକିଆରେ କୌଣସି ଭାରତୀୟ ଏହି ରେକର୍ଡକୁ ଏଯାଏ ଭାଙ୍ଗି ପାରି ନାହାନ୍ତି। ଦ୍ରୁତତମ ଭାରତୀୟ ବୋଲର ଭାବେ ସେ ଦିନିକିଆରେ ୫୦ଟି ୱିକେଟ ନେବାର ରେକର୍ଡ ନିଜ ନାଁରେ କରିଛନ୍ତି। ସେ ମାତ୍ର ୨୩ଟି ମ୍ୟାଚ୍ରେ ଏହି କୀର୍ତ୍ତିମାନ ହାସଲ କରିଥିଲେ।