କୋଲକାତା: ଡିଫେଣ୍ଡିଙ୍ଗ ଚାମ୍ପିୟାନ କଲିକତା ନାଇଟ ରାଇଡର୍ସ ଆଇପିଏଲରେ ଆଜି ୫୩ ତମ ମ୍ୟାଚରେ ରାଜସ୍ଥାନ ବିପକ୍ଷରେ ପଡିଆକୁ ଓହ୍ଲାଇବ । ଏହି ମ୍ୟାଚ୍ କଲିକତାର ଇଡେନ ଗାର୍ଡେନରେ ଅନୁଷ୍ଟିତ ହେବ । ଯେଉଁଠି ରାଜସ୍ଥାନକୁ ହରାଇ ପ୍ଲେ-ଅଫ ଦୌଡରେ ନିଜକୁ ଜୀବିତ ରଖିବା ପାଇଁ ଘରୋଇ କେକେଆର ଦଳ ଚେଷ୍ଟା କରିବ । ଏହି ମ୍ୟାଚରେ ଅଧିନାୟକ ଅଜିଙ୍କ୍ୟା ରାହାଣେଙ୍କ ଠାରୁ ଅନେକ ଆଶା ରଖିବ ଦଳ । କାରଣ ରାହେଣେ ଚଳିତ ସିଜିନରେ ପ୍ରାୟ ୩୦୦ ରନ ବନେଇବା ପାଖରେ ରହିଛନ୍ତି । ସେ ଚଳିତ ଆଇପିଏଲରେ ୧୦ଟି ମ୍ୟାଚରୁ ୯ଟି ପାଳିରେ ପାଖାପାଖି ୧୫୦ ଷ୍ଚ୍ରାଇକ ରେଟ୍ ସହ ୨୯୭ ରନ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି । ତେବେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ରାହାଣେ ଭଳ ପ୍ରଦର୍ଶନ କରି ନିଜ ଦଳକୁ ପ୍ଲେ-ଅଫ ରେସରେ ଜୀବିତ ରଖିବା ପାଇଁ ଚେଷ୍ଟା କରିବେ । ଏହା ବ୍ୟତୀତ ଆଜିର ମ୍ୟାଚରେ ଯଦି ତାଙ୍କ ବ୍ୟାଟରୁ ଭଲ ରନ ବାହାରେ ତାହାଲେ ସେ ଏକ ରେକର୍ଡର ଅଧିକାରୀ ମଧ୍ୟ ହୋଇପାରିବେ ।
ବାସ୍ତବରେ , ଅଜିଙ୍କ୍ୟା ରାହାଣେ ୧୯୫ ମ୍ୟାଚରେ ୧୮୦ ଇନିଂସରେ ୪୯୩୯ ରନ୍ କରିଛନ୍ତି। ଯଦି ରାହାଣେ ରାଜସ୍ଥାନ ବିପକ୍ଷରେ ଆଉ ୬୧ ରନ କରିବାରେ ସଫଳ ହୁଅନ୍ତି, ତେବେ ସେ ଆଇପିଏଲରେ ତାଙ୍କର ୫ ହଜାର ରନ ପୂରଣ କରିବେ। ଏହା ସହିତ, ସେ ଆଇପିଏଲରେ ସର୍ବାଧିକ ରନ କରିବା କ୍ଷତ୍ରରେ କ୍ରିସ୍ ଗେଲ୍ ଏବଂ ରବିନ୍ ଉଥପ୍ପାଙ୍କୁ ପଛରେ ପକାଇବେ। ସେ ଆଇପିଏଲରେ ୫୦୦୦ ରନର ବଡ଼ ଅଙ୍କ ଛୁଇଁବାରେ ୯ମ ବ୍ୟାଟର ହେବେ। ଏପର୍ଯ୍ୟନ୍ତ କେବଳ ୮ ଜଣ ବ୍ୟାଟର ଆଇପିଏଲରେ ଏହି ବିଶେଷ ସଫଳତା ହାସଲ କରିପାରିଛନ୍ତି। ଏହି ତାଲିକାରେ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, ଡେଭିଡ ୱାର୍ଣ୍ଣର, ସୁରେଶ ରାଇନା, ଏମଏସ ଧୋନି, ଏବି ଡି ଭିଲିୟର୍ସ ଏବଂ କେ.ଏଲ ରାହୁଲ ଅଛନ୍ତି।