ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଓପନିଂ ବ୍ୟାଟର ଟ୍ରେଭିଡ ହେଡଙ୍କ ବ୍ୟାଟ୍ ଥମିବାର ନାଁ ନେଉନି । ସେପ୍ଟେମ୍ବର ୧୧ ତାରିଖ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଏହି ବାମହାତୀ ବିସ୍ଫୋରକ ବ୍ୟାଟର ପୁଣି ଥରେ ଧୂଆଁଧାର ଇନିଂସ ଖେଳିଛନ୍ତି । ୨୩ ବଲରୁ ହେଡ୍ ୮ ଚୌକା ଓ ୪ ଛକା ସହ ୫୯ ରନ କରିଛନ୍ତି । ତାଙ୍କର ଏହି ଦମଦାର ବ୍ୟାଟିଂ ବଳରେ କଙ୍ଗାରୁ ଦଳ ୧୭୯ ରନ କରି ପାରିଥିଲା । ହେଡ୍ ନିଜର ଏହି ଇନିଂସରେ ଇଂଲଣ୍ଡର ତାରକା ଅଲରାଉଣ୍ଡର ସାମ କୁରନଙ୍କ ଖୁବ୍ ପ୍ରହାର କରିଥିଲେ । କୁରନଙ୍କ ଏକ ଓଭରରେ ହ୍ୟାଟ୍ରିକ ଛକା ମାରିବା ସହ ୩୦ ରନ ସଂଗ୍ରହ କରିଥିଲେ ହେଡ୍ । ଏହାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ଟ୍ରେଭିଡ୍ ହେଡ୍ ଓ ମାଥ୍ୟୁ ସର୍ଟଙ୍କ ଓପନିଂ ଯୋଡି ଧୂଆଁଧାର ଆରମ୍ଭ ଦେଇଥିଲେ । ପ୍ରଥମ ୬ ଓଭରରେ ଦଳ ଗୋଟିଏ ୱିକେଟ୍ ହରାଇ ୮୬ ରନ କରିଥିଲା । ହେଡଙ୍କ ବ୍ୟତୀତ ସର୍ଟ ୨୬ ବଲରୁ ୪୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ପାୱାର ପ୍ଲେରେ ଏମିତି ମହଙ୍ଗା ସାବ୍ୟସ୍ତ ହେବା ପରେ ବି ଇଂଲଣ୍ଡ ବୋଲର ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରି ଭ୍ରମଣକାରୀ କଙ୍ଗାରୁ ଦଳକୁ ୧୯.୩ ଓଭରରେ ୧୭୯ ରନରେ ଅଲଆଉଟ୍ କରିଥିଲେ । ଓପନିଂ ଯୋଡି ପାଭିଲିୟନ ଫେରିବା ପରେ ଅଷ୍ଟ୍ରେଲିଆର ବାକି ବ୍ୟାଟର ଧରାଶାୟୀ ହୋଇ ପଡିଥିଲେ ।
୧୮୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଘରୋଇ ଇଂଲଣ୍ଡର ନା ଆରମ୍ଭ ଭଲ ଥିଲା ନା ଫିନିସ ଭଲ ଥିଲା । ଇଂଲଣ୍ଡକୁ ପ୍ରଥମ ଝଟକା ୱିଲ ଜ୍ୟାକ୍ସଙ୍କ ରୂପେ ୧୩ ରନ ସ୍କୋରରେ ଲାଗିଥିଲା । ଏହା ପରେ ଲିୟମା ଲିଭିଙ୍ଗଷ୍ଟୋନ ୨୭ ବଲରୁ ୩୭ ରନର ଇନିଂସ ଖେଳିଥିଲେ । ଏହା ପରେ କୌଣସି ବ୍ୟାଟର ୩୦ ରନ ବି କରି ପାରି ନ ଥିଲେ । ଫଳରେ ଇଂଲଣ୍ଡ ୧୯.୨ଓଭରରେ ୧୫୧ ରନରେ ଅଲଆଉଟ୍ ହୋଇଥିଲା । ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ଜିତି ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।