ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ଶାରଳାପୀଠରେ, ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଦୀର୍ଘ ୨୧ ଦିନ ବ୍ୟାପୀ ଚନ୍ଦନଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ମା’ଙ୍କ ଏହି ମନୋରମ ତଥା ଆକର୍ଷଣୀୟ ଚନ୍ଦନଯାତ୍ରା ଦେଖିବାକୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଛନ୍ତି । ମଧ୍ୟାହ୍ନରେ ସେବାଗୀତି ଗାନ, ମହ ମହ ଅଗରୁ କସ୍ତୁରୀ ବାସ୍ନାରେ ପରିବେଶ ପୂରି । ଏହି ଉପଲକ୍ଷେ ପ୍ରତିଦିନ ମଧ୍ୟାହ୍ନରେ ଓଲାଗି ପରେ ଚନ୍ଦନଲାଗି ନୀତି ଅନୁଷ୍ଠିତ ହୁଏ । ସେହିପରି ରାତିରେ ମଧ୍ୟ ବଡ଼ସିଂହାର ସମୟରେ ମା’ଙ୍କର ସ୍ୱତନ୍ତ୍ର ଚନ୍ଦନଲାଗି ନୀତି ଅନୁଷ୍ଠିତ ହୋଇଥାଏ। ସେବାୟତମାନଙ୍କ ଦ୍ୱାରା ସେବାଗିତୀ ଗାନ ଓ ବଡ଼ପଣ୍ଡାଙ୍କ ଦ୍ଵାରା ମାଆଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ନୀତି ବେଳେ, ମହମହ ଅଗରୁ ସୁବାସିତ କସ୍ତୁରୀ ଚନ୍ଦନରେ ମନ୍ଦିର ପରିବେଶ ମହକି ଉଠିଥାଏ ।
ମା’ଙ୍କ ନୀତିକାନ୍ତିରେ ପ୍ରିତିଅନ୍ନ, ଅନ୍ନନୀତି ପରେ ଦ୍ବିତୀୟ ପ୍ରହର ଧୂପ ଅନୁଷ୍ଠିତ ହୋଇଥାଏ । ଏହା ପରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜିତ ବିମାନରେ ଆଣି ବର୍ଣ୍ଣାଢ଼୍ୟ ପଟୁଆରରେ ବେଢ଼ା ପରିକ୍ରମା କରାଯାଇଥାଏ । ସେଠାରୁ ଏହି ପଟୁଆର ଚାପଖେଳ ପାଇଁ ଚନ୍ଦନପୁଷ୍କରିଣୀ ପର୍ଯ୍ୟନ୍ତ ଯାଇଥାଏ ।
କୌଣସି ଶକ୍ତି ପୀଠରେ ଚନ୍ଦନଯାତ୍ରା ପ୍ରାୟତଃ ଦେଖିବାକୁ ମିଳିନଥାଏ । ତେଣୁ ମା’ ଶାରଳାଙ୍କ ପୀଠର ଏହି ନିଆରା ପରମ୍ପରା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଆସିଥାଏ । ସାଧାରଣ ଭାବେ ଚନ୍ଦନ ଯାତ୍ରା ରାଧାକୃଷ୍ଣ ବିଗ୍ରହଙ୍କ ଏକ ପ୍ରମୁଖ ପୂଜା ପରମ୍ପରା । ଏଠାରେ କିନ୍ତୁ ମା’ଙ୍କ ବିଜେ ପ୍ରତିମା ତଥା ବିଗ୍ରହ ଭକ୍ତଙ୍କ ଗହଣରେ ଆସି ଚନ୍ଦନଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଚନ୍ଦନଯାତ୍ରା ପ୍ରଥମ ଦିନ ଗୋଟିଏ ଭେରାରେ ଆରମ୍ଭ ହୋଇ ଦୈନିକ ୨, ୩, ଏପରି ୨୧ ଭେରା ପର୍ଯ୍ୟନ୍ତ ଚାଲିଥାଏ । ୨୧ ଭେରା ନୌକା ବିହାର ବା ଚାପଖେଳକୁ ନବମ ଦିନଠାରୁ ଦୁଇ ଭାଗ କରି ଦିଆଯାଏ । ମଧ୍ୟାହ୍ନରେ ୫ ଭେରାରୁ ବଢ଼ି ରାତିରେ ମଧ୍ୟ ୫ ଭେରା ଏପରି ଦୁଇ ବେଳ ବଢ଼ି ବଢ଼ି ଚାଲିଥାଏ ।
ତେବେ ଚାପକୁ ଯିବାପୂର୍ବରୁ ମା’ଙ୍କୁ ଏକ ସ୍ବତନ୍ତ୍ରନୀତିରେ ପ୍ରୀତିଅନ୍ନ ଭୋଗ ଲାଗି ହୋଇଥାଏ। ମଧ୍ୟାହ୍ନରେ ଚାପଖେଳି ସାରି, ପୋଖରୀ ମଝିରେ ଥିବା, କୁଣ୍ଡି ମନ୍ଦିରରେ ମା’ ବିଶ୍ରାମ କରିଥାନ୍ତି । ସଂଧ୍ୟାରେ ସନ୍ଧ୍ୟା ଆରତୀ ଓ ତାଟଭୋଗ ପୂଜା ପରେ, ପୁନଶ୍ଚ ଚାପଖେଳି ସାରି ସୁଜିତ ପଟୁଆର ମା’ ସ୍ୱ ପୀଠକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ନବପତ୍ରିକା ଦିନ ଠାରୁ ରାତ୍ରରେ ଚାପଖେଳ ସାରି ମା’ ମନ୍ଦିର ବେଢାରେ ବୃନ୍ଦାବତିଙ୍କ ମଣ୍ଡପରେ ବିଜେ କରିବା ପରେ ,ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ସଙ୍ଗୀତ ଆଦି ପରିବେଷଣ କରାଯାଇଥାଏ ।
ତେବେ ଅନ୍ୟାନ୍ୟ ଦେବଦେବୀ ପୀଠରେ ଦିନକୁ ଥରେ ଚାପଖେଳ ହେଉଥିବା ବେଳେ, ଏହି ପୀଠରେ ଦିବା ରାତ୍ର ଚାପଖେଳ ହେବାର ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ରୋଶଣି, ପଟୁଆର ଓ ଚାପଖେଳ ବେଳେ ଆତସବାଜି ପ୍ରଦର୍ଶନ ହେଉଛି ଏହି ଚନ୍ଦନଯାତ୍ରାର ଏକ ସ୍ୱତନ୍ତ୍ର ବିଭବ । କିନ୍ତୁ ଏହି ଆତସବାଜି କାରଣରୁ ଏକାଧିକ ଦୁର୍ଘଟଣା କାରଣରୁ ଆତସବାଜି ବ୍ରବହାର ଉପରେ ଦିନକୁ ଦିନ କଟକଟାକୁ କଠୋର କରାଯାଉଛି । ଆସନ୍ତା ୩୦ ତାରିଖରେ ଏକୋଇଶି ଦିନ କାଳର ଚନ୍ଦନ ଯାତ୍ରା ଉଦଯାପିତ ହେବ । ଉଦ୍ଯାପନୀ ସଂଧ୍ୟାରେ ମା’ଙ୍କ ବର୍ଣ୍ଣାଢ଼୍ୟ ପଟୁଆର, ଲଟା ଭଉଁରି ଚାପ ଖେଳ ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଥାଏ ।