ତ୍ରିନିଦାଦ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ପୁରୁଷ ଟି-୨୦ ବିଶ୍ବକପର ୨୯ତମ ମ୍ୟାଚ୍ ଆଫଗାନିସ୍ତାନ ଦମ୍ଦାର ପ୍ରଦର୍ଶନ କରିଛି। ୱେଷ୍ଟଇଣ୍ଡିଜର ତାରୋବାସ୍ଥିତ ବ୍ରାୟନ ଲାରା ଷ୍ଟାଡିୟମରେ ପପୁଆ ନ୍ୟୁ ଗିନିକୁ ଆଫଗାନିସ୍ତାନ ୭ ୱିକେଟ୍ରେ ପରାସ୍ତ କରିଛି। ଏହି ମ୍ୟାଚରେ ପପୁଆ ନ୍ୟୁ ଗିନି ପ୍ରଥମେ ବ୍ୟାଟିଂ କରିଥିଲା। ଘରୋଇ ଦଳ ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୯୫ ରନ୍ ସଂଗ୍ରହ କରିଥିଲା। ଫଳରେ ଆଫଗାନିସ୍ତାନକୁ ବିଜୟ ପାଇଁ ୯୬ ରନ୍ର ଲକ୍ଷ୍ୟ ମିଳିଥିଲା।
ଅତିଥି ଟିମ୍ ବିଜୟ ଲକ୍ଷକୁ ୨୯ଟି ବଲ୍ ବାକି ଥାଇ ପୂରା କରିଥିଲା। ଅର୍ଥାତ ୧୫.୧ ଓଭରରେ ମାତ୍ର ୩ଟି ୱିକେଟ ହରାଇ ୧୦୧ ରନ୍ କରିଥିଲା। ଏହି ବିଜୟ ସହିତ ଆଫଗାନିସ୍ତାନର ଟିମ୍ ସୁପର-୮ରେ ସ୍ଥାନ ପାଇଛି। ଫଳରେ ନ୍ୟୁଜିଲାଣ୍ଡର ସ୍ବପ୍ନ ଧୂଳିସାତ୍ ହୋଇଛି। ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଚଳିତ ସଂସ୍କରଣର ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି। ‘ଗ୍ରୁପ-ସି’ରେ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ସୁପର-୮ରେ ସ୍ଥାନ ପାଇସାରିଛି। ଏହା ବ୍ୟତୀତ ଭାରତ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ଲେ-ଅଫ୍ ପାଇଁ ଟିକେଟ୍ ହାତେଇ ସାରିଛନ୍ତି। ଅର୍ଥାତ ଏପର୍ଯ୍ୟନ୍ତ ମୋଟ ୫ଟି ଦଳ ସୁପର-୮ରେ ପହଞ୍ଚି ସାରିଛନ୍ତି। ବାକି ୩ଟି ଦଳ ପହଞ୍ଚି ନାହାନ୍ତି।
ଏହି ମ୍ୟାଚରେ ଆଫଗାନିସ୍ତାନ ପାଇଁ ଗୁଲବଦୀନ ନାୟବ ସର୍ବାଧିକ ୪୯ ରନ୍ ସଂଗ୍ରହ କରିଥିଲେ। ସେ ୩୬ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିଲେ। ମହମ୍ମଦ ନବୀ ୧୬ ରନ୍ରେ ଆଉଟ୍ ହୋଇଥିଲେ। ୱିକେଟକିପର ରହମାନୁଲ୍ଲା ୧୧ ଓ ଅଜମତୁଲ୍ଲାହ ଉମରଜଇ ୧୩ ରନ୍ ଯୋଗଦାନ କରିଥିଲେ। ପପୁଆ ନ୍ୟୁ ଗିନି ପାଇଁ ଏଲି ନାଓ, ସୋମୋ କାମିୟା ଓ ନାର୍ମନ ଭାନୁଆ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।