୧୮୪୮ ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ସେ ଏକାଧାରରରେ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା , ଲେଖକ ଓ କବି ଥିଲେ । ସେ ଓଡ଼ିଶାର ପ୍ରଥମ ବାରିଷ୍ଟର ଥିଲେ । ମଧୁବାବୁଙ୍କ ଚେଷ୍ଟା, ତ୍ୟାଗ ଓ ନିରନ୍ତର ପ୍ରୟାସ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡିଶା ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ପାଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଓକିଲାତି ପାଠ ପଢିବା ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ । ପରେ ସେ କଲିକତାରୁ ଫେରି କଟକରେ ଓକିଲାତି କଲେ । ମଧୁବାବୁଙ୍କ ଭଳି ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇଥିବା ଉକ୍ତିଟି ଆଜି ପ୍ରତିଟି ଓଡ଼ିଆଙ୍କ ମନରେ ଗୁଞ୍ଜରିତ ହୁଏ -
ପାଠ ପଢ଼ିବି ବଡ଼ ମଣିଷ ହେବି,
କାଳିଆ ଘୋଡାରେ ଚଢ଼ିବି,
ମଧୁବାବୁଙ୍କ ସାଙ୍ଗେ ଲଢ଼ିବି ।
ତାଙ୍କର ତ୍ୟାଗ, ବଳିଦାନ ଓ ଦେଶ ପାଇଁ ସେବା, ଚେଷ୍ଟା ସାରା ରାଜ୍ୟବାସୀଙ୍କ ହୃଦୟରେ ଆଜି ବି ଜୀବିତ । ସେ ତାଙ୍କ ଜୀବନ କାଳ ଭିତରେ ନିଜ ରାଜ୍ୟର , ଜାତି ଓ ସମାଜ ପାଇଁ ଯାହା କରିଛନ୍ତି ତାହା ସ୍ୱର୍ଣ୍ଣିମ ଅକ୍ଷରରେ ଆଜି ବି ବର୍ଣ୍ଣିତ । ତାଙ୍କ ଜୀବନୀ କାଳ କାଳ ଧରି ସାରା ରାଜ୍ୟବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।