ଆଜି ଓଡ଼ିଶା ମାଟିର ତଥା ଓଡ଼ିଆ ଜାତିର ସ୍ବାଭିମାନ ମଧୁବାବୁଙ୍କ ୧୭୫ତମ ଜୟନ୍ତୀ
Khabar Odisha:today-is-175-birth-anniversary-of-madhubabu
ଖବର ଓଡିଶା : 28/04/2023:

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ । ମଧୁବାବୁ ଯିଏ ଓଡ଼ିଶା ମାଟିର ତଥା ଓଡ଼ିଆ ଜାତିର ସ୍ବାଭିମାନ ଓ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା ମଧୁବାବୁ । ସବୁ ପ୍ରଥମ ଭିତରେ ସେ ଥିଲେ ପ୍ରଥମ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ. ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ୨୮ ଏପ୍ରିଲ ୧୮୪୮ ମସିହାରେ କଟକ ଜିଲ୍ଲା ସାଲେପୁର ସତ୍ୟଭାମାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ମଧୁସୁଦନ । ତାଙ୍କ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ଏବଂ ମାତାଙ୍କ ନାମ ପାର୍ବତୀ ଦେବୀ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ପିଲାଟି ଦିନରୁ ତାଙ୍କ ଭିତରେ ଥିବା ମହାନ୍ ଗୁଣମାନ ବାସି ଉଠିଥିଲା। ସେଥିଲେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟାରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡିଶା ପ୍ରତିଷ୍ଠା ହୋଇଥିଲା । ଓଡ଼ିଆ ଭାଷାର ପରିଚୟ ସହ ଏକ ଭାଷାଭିତ୍ତିକ ରାଜ୍ୟ ଗଠନର ସେ ଥିଲେ ମୁଖ୍ୟ ପୁରୋଧା । କୋ-ଅପରେଟିଭ ସମବାୟ ବିକ୍ରୟ କେନ୍ଦ୍ର, ଶିଙ୍ଘ ଓ ତାରକସି  କାମ ଏବଂ ଜୋତା ତିଆରି କାରଖାନା, ଚୌଧୂରୀ ବଜାରଠାରେ ଓଡ଼ିଆ ଆର୍ଟ ଓ୍ବେର ଏବଂ ଚାଉଳିଆଗଞ୍ଜରେ ଉତ୍କଳ ଟ୍ୟାନେରୀ ତାଙ୍କ ଶିଳ୍ପ ମାନସିକତାର ବାସ୍ତବିକ ରୂପରେଖ ଥିଲା । ଓଡ଼ିଶାରେ ସଫଳ ଶିଳ୍ପାୟନ ଲାଗି ସେ ଲଣ୍ଡନ ଯାଇ ଆଧୁନିକ ଅନୁଭବ ସାଉଁଟିଥିଲେ । 

ଗ୍ରାମାଞ୍ଚଳରେ ସୂତାକଟା ଓ ଲୁଗାବୁଣା ଶିଳ୍ପର ବିକାଶ ପାଇଁ ପ୍ରଥମେ ଉଦ୍ୟମ ଆରମ୍ଭ କରିଥିଲେ ମଧୁବାବୁ । ଉତ୍କଳ ଟ୍ୟାନେରୀ ଥିଲା ଓଡ଼ିଶାର ପ୍ରଥମ ଜଏଣ୍ଟ ଷ୍ଟକ କମ୍ପାନୀ । ଯାହାକୁ ନେଇ ଏକ ପ୍ରଗତିଶୀଳ ଓଡ଼ିଶାର ସ୍ଵପ୍ନ  ବୁଣିଥିଲେ ମଧୁବାବୁ । ଆଜି ମଧୁ ବାବୁ ନାହାନ୍ତି ହେଲେ ଏବେ ବି ପ୍ରତ୍ୟେକ ଓଡ଼ିଆ ଆଜି  ତାଙ୍କର ପ୍ରତିଟି ବଳିଦାନ କୁ ମନେ ରଖିଛି ଓ ରଖିବ ମଧ୍ୟ  । ଆଜି ବି ଓଡ଼ିଆ ଘରେ ମାଆ ତା ପୁଅକୁ କଥା ଛଳରେ କହୁଛି ' ପାଠ ପଢ଼ିବୁ ,କାଳିଆ ଘୋଡାରେ ଚଢ଼ିବୁ ,ମଧୁବାବୁ ସଂଗେ ଲଢ଼ିବୁ ' |  ଏ ମାଟି ଏ ଜାତି ଯେତେଦିନ ଯାଏ ଅଛି ସେତେଦିନ ଯାଏ ମନେ ପଡିବେ ସମସ୍ତଙ୍କ  ଚିରନମସ୍ୟ  ଉତ୍କଳ ଗୌରବ 'ମଧୁବାବୁ ' | 

Subscribe

National International State Sports Entertainment