ଜାନୁଆରୀ ୨୨ରେ ଦୀର୍ଘ ୫୦୦ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପୂର୍ଣ୍ଣାହୂତି ପଡି ସମଗ୍ର ହିନ୍ଦୁ ଜାତିର ଆରାଧ୍ୟ ଦେବତା ତଥା ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ସାରା ଦେଶ ପ୍ରଭୁଙ୍କ ଆଗମନରେ ଦ୍ୱିତୀୟ ଦୀପାବଳୀ ପାଳନ କରିଥିବା ବେଳେ ସାରା ଦେଶରୁ ଅଯୋଧ୍ୟାକୁ ଛୁଟି ଆସୁଛନ୍ତି ଭକ୍ତ। ପ୍ରଭୁଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଛି।
ସୂଚନାଯୋଗ୍ୟ ଯେ, ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ରାମଲାଲା ବିରାଜମାନ ହେବା ପରେ ଶ୍ରଦ୍ଧାଳୁଙ୍କ ଭିଡ ଦିନକୁ ଦିନ ବଢିବାରେ ଲାଗିଛି। ଭକ୍ତ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି।
ରାମଲାଲାଙ୍କ ୫ ବର୍ଷ ବାଳକର ସ୍ୱରୂପର ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଥିବାରୁ ପ୍ରଭୁଙ୍କୁ ଯତ୍ନର ସହ ଭୋଗ ମଧ୍ୟ ବୟସ ଓ ରୁଚି ଅନୁଯାୟୀ ଅର୍ପଣ କରାଯାଉଛି। ରାମଲାଲାଙ୍କ ଭୋଗରେ ରସମଲେଇ,କ୍ଷୀରି,ମାଲପୁଆ ଇତ୍ୟାଦି ମିଠା ଅର୍ପଣ କରାଯାଉଥିବା ବେଳେ ଥଣ୍ଡା ପାଗକୁ ଦୃଷ୍ଟିରେ ରଖି ପ୍ରଭୁଙ୍କୁ ଅଦାର ହାଲୱା ଭୋଗ ଅର୍ପଣ କରାଯାଉଛି ।ତେବେ ପ୍ରଭୁଙ୍କୁ ସକାଳେ,ଖରାବେଳେ ଓ ରାତିରେ ମୁଖ୍ୟ ଭୋଗ ବ୍ୟତୀତ ପ୍ରତ୍ୟେକ ଘଣ୍ଟାରେ ଫଳ ଓ କ୍ଷୀର ଭୋଗ ଅର୍ପଣ କରାଯାଇଥାଏ। ସ୍ୱତନ୍ତ୍ର ପୂଜାପର୍ବ ଓ କିଛି ବିଶେଷ ସମୟରେ ପ୍ରଭୁଙ୍କ ନିକଟରେ ୫୬ ଭୋଗ ଅର୍ପଣ କରାଯାଉଥିବା ବେଳେ ଏଥିରେ ବର୍ତ୍ତମାନ ଏକ ପରିବର୍ତ୍ତନ କରାଯିବା ନେଇ ସୂଚନା ମିଳିଛି। ପ୍ରଭୁ ରାମଲାଲାଙ୍କ ୫୬ ଭୋଗ ମଧ୍ୟରେ ଏବେ କନ୍ଦମୂଳ ଓ ବରକୋଳି ଭଳି ଆଦିବାସୀ ଖାଦ୍ୟ ମଧ୍ୟ ସାମିଲ କରାଯିବାର ଅଛି। ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ସମୟରେ ବିଭିନ୍ନ ଜଙ୍ଗଲ ଫଳ,ବରକୋଳି ଆଦି ଖୁବ ଖୁସିରେ ସେବନ କରିଥିଲେ। ଭାବରେ ବନ୍ଧା ଠାକୁର ଶବରୀ ହାତରୁ ଅଇଁଠା ବରକୋଳି ଖାଇବା କଥା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ପ୍ରଭୁଙ୍କ ଭୋଗରେ ଏବେ ଏସବୁ ଅର୍ପଣ କରାଯିବ ବୋଲି ସୂଚନା ମିଳିଛି ।
ଅଧିକ ପଢନ୍ତୁ: ପାକିସ୍ତାନରେ ନିର୍ବାଚନ ସମୟରେ ଆତଙ୍କବାଦୀ ଆକ୍ରମଣ: ୫ ମୃତ