ଭସ୍ମବୋଳା ଦେହ , ମସ୍ତକରେ ଲମ୍ବା ଜଟା
ଚାତକ ବି ଘଡ଼ିଏ ଚାହେଁ , କୁମ୍ଭରେ ଦେଖି ନାଗା ..
ଭାରତରେ ପ୍ରତି ୧୨ ବର୍ଷରେ ଥରେ ଆୟୋଜିତ ହେଉଥିବା ଭବ୍ୟ ଆଧ୍ୟାତ୍ମିକ ମହାକୁମ୍ଭ ମେଳାରେ ଯୋଗ ଦିଅନ୍ତି ସାରା ବିଶ୍ୱରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଚଳିତ ବର୍ଷ କୁମ୍ଭମେଳା ଜାନୁୟାରୀ ୧୩ରୁ ଆରମ୍ଭ ହୋଇଛି। ଏଥିପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । କୁମ୍ଭମେଳାର ଭିଡ଼ରେ ରହସମୟୀ ନାଗା ସାଧୁମାନେ ମଧ୍ୟ ସାମିଲ ହୋଇଥାଆନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭିନ୍ନ ରୂପ ଓ ରୀତିନୀତି ପାଇଁ ସେମାନେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଆନ୍ତି । ଜଟାଭର୍ତ୍ତି କେଶ ଓ ପାଉଁଶବୋଳା ଶରୀର ସେମାନଙ୍କୁ ଅନ୍ୟ ଠାରୁ ଭିନ୍ନ କରିଥାଏ । ନାଗା ସାଧୁ କେବଳ ଦେଖିବାରେ ଅସାଧାରଣ ନୁହଁନ୍ତି, ବେଦ, ତନ୍ତ୍ର ଏବଂ ଧ୍ୟାନର ପ୍ରାଚୀନ ବିଧି ସବୁଥିରେ ସେମାନେ ବିଶାରଦ ।
ନାଗା ସାଧୁ, ଧର୍ମର ରକ୍ଷକ। ନାଗା ଶବ୍ଦର ଉତ୍ପତ୍ତି ବିଷୟରେ, କିଛି ବିଦ୍ୱାନ ବିଶ୍ୱାସ କରନ୍ତି ଯେ ଏହା ସଂସ୍କୃତ ଶବ୍ଦ ନାଗରୁ ଆସିଛି। ଏହାର ଅର୍ଥ ପର୍ବତ । ନାଗା ସାଧୁମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଧର୍ମର ସୁରକ୍ଷା କରିବା ଏବଂ ଶାସ୍ତ୍ର ଜ୍ଞାନରେ ପାରଙ୍ଗମ ହେବା। ସନାତନ ଧର୍ମର ସାଧକ କୁହାଯାଉଥିବା ନାଗାସାଧୁ ଆଖଡା ନାମରେ ମଧ୍ୟ ନାମିତ । ନାଗାସାଧୁଙ୍କ ନିବସ୍ତ୍ର ବେଶ ତାଙ୍କୁ ସାଂସାରିକ ମୋହମାୟାରୁ ଭିନ୍ନ ଦେଖାଏ । ଜଣେ ନାଗାସାଧୁଙ୍କ ଜୀବନ ତପସ୍ୟା,ସାଧନା ଓ ମୋକ୍ଷ ପ୍ରାପ୍ତି ପାଇଁ ସମର୍ପିତ । ଦିନ ଦିନ ଧ୍ୟାନ ଓ ସାଧନାରେ ସମୟ ବିତାଉଥିବା ସାଧୁ ସ୍ନାନ ଏବଂ ପଦ୍ମାସନରେ ବସି ତପସ୍ୟା କରନ୍ତି । ଭୌତିକ ଜୀବନରେ ପ୍ରାକୃତିକ ଜୀବନଶୈଳୀକୁ ଆପଣାଇଥିବା ନାଗାସାଧୁ ନିଜ ସାଧନାରେ ଏତେ ନିମଗ୍ନ ଥାଆନ୍ତି ଯେ ଆଖପାଖରେ କଣ ହେଉଛି ତାଙ୍କୁ ଜ୍ଞାତ ନଥାଏ । ନାଗାସାଧୁଙ୍କ ଏକମାତ୍ର ଉଦ୍ଦେଶ୍ୟ ଆତ୍ମଜ୍ଞାନ ଓ ମୋକ୍ଷ ପ୍ରାପ୍ତ କରିବା । କୁମ୍ଭମେଳା ନାଗାସାଧୁଙ୍କୁ ଏକାଠି ହେବା ପାଇଁ ଏକ ଅବସର ନେଇ ଆସିଥାଏ ଯେଉଁଠି ସବୁ ସାଧୁ ଏକ ହୋଇ ଗଙ୍ଗା ସ୍ନାନ କରନ୍ତି , ଧ୍ୟାନ କରନ୍ତି ଏବଂ ନିଜ ଧାର୍ମିକ କର୍ତ୍ତବ୍ୟର ପାଳନ କରନ୍ତି ।
ତେବେ ସବୁଠାରୁ ବଡ କଥା ହେଉଛି , । ଏହି ମହାକୁମ୍ଭରେ କେବଳ ପୁରୁଷ ନାଗାସାଧୁ ନୁହଁନ୍ତି , ମହିଳା ନାଗାସାଧୁମାନେ ମଧ୍ୟ ଦେଖିବାକୁ ମିଳନ୍ତି । ମହିଳା ନାଗା ସାଧୁମାନେ ପୁରୁଷ ନାଗା ସାଧୁଙ୍କଠାରୁ ଭିନ୍ନ। ସେ ଦିଗମ୍ବର ହୋଇ ରୁହନ୍ତି ନାହିଁ। ସେମାନେ ସମସ୍ତେ ଗଦର୍ଭ ରଙ୍ଗର ପୋଷାକ ପିନ୍ଧନ୍ତି। କିନ୍ତୁ ସେହି କପଡା ସିଲେଇ କରନ୍ତିନାହିଁ।
ବିଶେଷ କଥା ହେଉଛି ଯେ ପୁରୁଷ ନାଗା ସାଧୁ ମହାକୁମ୍ଭରେ ସ୍ନାନ କରିବା ପରେ ଏମାନେ ନଦୀରେ ସ୍ନାନ କରିବାକୁ ଯାଆନ୍ତି। ଆଖଡ଼ାର ମହିଳା ନାଗା ସାଧ୍ୱୀମାନଙ୍କୁ ମାଇ, ଅବଧୂତାନୀ କିମ୍ବା ନାଗୀନ କୁହାଯାଏ। ନାଗା ସାଧୁ ହେବା ପୂର୍ବରୁ ଜଣେ ମହିଳା ସାଧୁଙ୍କୁ ତାଙ୍କ ନିଜର ପିଣ୍ଡ ଦାନ କରିବାକୁ ପଡିଥାଏ ଏବଂ ଅତୀତର ଜୀବନକୁ ଛାଡିଦେବାକୁ ପଡିଥାଏ। ମହିଳା ନାଗା ସାଧୁ ହେବାବେଳେ ମହିଳାମାନଙ୍କୁ ପ୍ରଥମେ କେଶ କାଟିବାକୁ ପଡେ, ଏହା ପରେ ସେମାନେ ନଦୀରେ ଏକ ପବିତ୍ର ସ୍ନାନ କରନ୍ତି। ଏହା ହେଉଛି ଜଣେ ସାଧାରଣ ମହିଳାଙ୍କ ଠାରୁ ନାଗା ସାଧୁ ହେବାର ପ୍ରକ୍ରିୟା। ମହିଳା ଏବଂ ପୁରୁଷ ନାଗା ସାଧୁଙ୍କ ମଧ୍ୟରେ କେବଳ ଗୋଟିଏ ବଡ଼ ପାର୍ଥକ୍ୟ ଅଛି ଯାହାକି ପୁରୁଷ ନାଗା ସାଧୁ ସଂପୂର୍ଣ୍ଣ ଉଲଗ୍ନ ଥିବାବେଳେ ମହିଳା ନାଗା ସାଧୁ ସେମାନଙ୍କ ଶରୀରକୁ ଏକ ଗେରୁଆ ରଙ୍ଗର କପଡ଼ାରେ ଘୋଡାଇ ରଖନ୍ତି । ଏହି ମହିଳାମାନଙ୍କୁ କୁମ୍ବ ସ୍ନାନ ସମୟରେ ଉଲଗ୍ନ ସ୍ନାନ କରିବାକୁ ଅନୁମତି ନଥାଏ । ସେ ଗାଧୋଇବା ସମୟରେ ମଧ୍ୟ ଏହି ଗେରୁଆ କପଡା ପିନ୍ଧନ୍ତି । ମହିଳା ନାଗା ସାଧୁ ମଧ୍ୟ ପୁରୁଷ ନାଗା ସାଧୁଙ୍କ ପରି ସମାନ ସମ୍ମାନ ପାଆନ୍ତି । ସେ ନାଗା ସାଧୁଙ୍କ ସହିତ କୁମ୍ଭର ପବିତ୍ର ସ୍ନାନରେ ମଧ୍ୟ କରିପାରନ୍ତି ।