ଓଡ଼ିଆ ଧର୍ମଧାରା ଓ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା ବେଶ୍ ଗୁରୁତ୍ୱ ବହନ କରେ। ଧର୍ମର ମାସ କାର୍ତ୍ତିକର ଶେଷ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । କୃଷ୍ଣାବତାରର ବିବିଧ ଲୀଳା ମଧ୍ୟରୁ ଶ୍ରେଷ୍ଠ ଲୀଳା ହେଉଛି ‘ରାସ’। କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରୀକୃଷ୍ଣ ଏହି ଲୀଳା ଆରମ୍ଭ କରିଥିଲେ ବୋଲି ଏହାର ନାମ ରାସପୂର୍ଣ୍ଣିମା ହୋଇଛି। ଏହି ରାସଲୀଳା ‘ଭାଗବତ’ର ଦଶମ ସ୍କନ୍ଧ, ଗୋପଲୀଳାର ଅନ୍ତର୍ଗତ। ଦଶମ ସ୍କନ୍ଧର ୩୦ରୁ ୩୪ ପର୍ଯ୍ୟନ୍ତ ପାଞ୍ଚଟି ଅଧ୍ୟାୟ ହେଉଛି- ‘ରାସ ପଞ୍ଚାଧ୍ୟାୟ’। ଏଥିରେ ଷୋଳସହସ୍ର ଗୋପନାରୀଙ୍କ ସହିତ ଶ୍ରୀକୃଷ୍ଣ ରାସଲୀଳା କରିଥିବାର ବର୍ଣ୍ଣନା ଅଛି।
ଏହି ଲୀଳାର ପୃଷ୍ଠଭୂମିରେ ରହିଛି ଭଗବାନ ବିଷ୍ଣୁଙ୍କର ପୂର୍ବ ଅବତାରର ଉପାଖ୍ୟାନ। ତ୍ରେତୟା ଯୁଗରେ ବିଷ୍ଣୁ ଯେତେବେଳେ ଶ୍ରୀରାମ ଅବତାରରେ ବନଗମନ କରିଥିଲେ, ସେତେବେଳେ ସେ କଠୋର ସଂଯମ ଆଚରଣ କରିଥିଲେ। କିନ୍ତୁ ବନରେ ତପରତ ଥିବା ମୁନିମାନେ ତାଙ୍କର ସୁନ୍ଦର ତନୁଶ୍ରୀ ଦର୍ଶନ କରି କାମମୋହିତ ହୋଇଥିଲେ। ସେମାନଙ୍କ ମନରେ ପତ୍ନୀଭାବ ଜାଗ୍ରତ ହୋଇଥିଲା। ଶ୍ରୀରାମଙ୍କୁ ସେମାନେ ପତିରୂପେ ପାଇବାପାଇଁ କାମନା କଲେ। ଗୋଟିଏ ସମୟରେ ଦେବତାମାନେ ମଧ୍ୟ ତାଙ୍କୁ ସେହିପରି ଭାବରେ ପାଇବାପାଇଁ କାମନା କରିଥିଲେ। ତେଣୁ ସେହି ଦେବତାମାନେ ଓ ମୁନିମାନେ, ଗୋପରେ ନାରୀ ଭାବରେ ଜାତ ହୋଇ ଶ୍ରୀକୃଷ୍ଣଙ୍କର ସଙ୍ଗ ଲାଭ କରିଥିଲେ।
କାର୍ତ୍ତିକ ମାସ ସାରା ଦେବଦେବୀଙ୍କ ନିକଟରେ ପୂଜା ଉପାସନା କରାଯାଇଥାଏ। ଏହାଦ୍ବାରା ଅକାଳ ମୃତ୍ୟୁ ହୋଇ ନ ଥାଏ ବୋଲି ବିଶ୍ବାସ ରହିଛି। ବଡ଼ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ପଡ଼େ ଭୀଷ୍ମ ପଞ୍ଚକ। ଏହାର ଅନ୍ୟ ନାମ ବକ ପଞ୍ଚକ।କୁହାଯାଏ ଯେ, ପଞ୍ଚକ ପାଞ୍ଚ ଦିନ ଯାକ ବଗ ମଧ୍ୟ ମାଛ ଖାଇ ନ ଥାଏ। ଚତୁର୍ମାସ୍ୟ ବ୍ରତ ସମାପ୍ତ ହେଉଥିବା ଯୋଗୁଁ ଏହାକୁ ଚତୁର୍ମାସ୍ୟ ପଞ୍ଚକ ବୋଲି ମଧ୍ୟ କୁହାଯାଇଥାଏ।
ଏହିଦିନ କଦଳୀପଟୁକା ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ ରହିଛି । ଏହି ଦିନ ପ୍ରତ୍ୟୁଷରୁ ଆବାଳ ବୃଦ୍ଧା ବନିତା ନଦୀ ବା ପୁଷ୍କରିଣୀରେ ବୁଡ଼ ପକାଇ କଦଳୀ ବାସୁଙ୍ଗା ବା ସୋଲ ତିଆରି ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି । ଏହି ଅବସରରେ ଗାଇଥାନ୍ତି ଆ – କା – ମା – ବୈ, ପାନ ଗୁଆ ଥୋଇ । ପାନ, ଗୁଆ ତୋର, ମାସକ ଧରମ ମୋର।’ ତେବେ ଏହି ଆ – କା – ମା – ବୈର ଅର୍ଥ ହେଉଛି – ଆ – ଆଷାଢ଼, କା – କାର୍ତ୍ତିକ, ମା – ମାଘ, ବୈ – ବୈଶାଖ । ଏହି ଚାରିମାସ ଓଡ଼ିଆଙ୍କ ପାଇଁ ସବୁଠୁ ଧର୍ମ ମାସ।
ପୂର୍ବକାଳରେ ଆମ ଓଡ଼ିଆ ସାଧବ ପୁଅମାନେ କାର୍ତ୍ତିକ ମାସରେ ବେପାର ବଣିଜ କରିବାକୁ ବୋଇତରେ ବିଦେଶ ଯାଉଥିଲେ। ଏବଂ ବେପାର ବଣିଜ ପରେ ପୁଣି ଫେରି ଆସୁଥିଲେ । ସେଇ ସାଧବପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣ କରିବା ପାଇଁ ଆମେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଥାଉ ।