ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀ ପଞ୍ଚମୀ। ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମାଆ ବିଦ୍ୟାଦାତ୍ରୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଶାସ୍ତ୍ରରେ ଶ୍ରୀ ପଞ୍ଚମୀ ଏକ ପ୍ରମୁଖ ପର୍ବ ଭାବେ ବିବେଚନା କରାଯାଏ । ଏହି ଦିନ ଜ୍ଞାନ, ଶିକ୍ଷା, ସଙ୍ଗୀତ ଏବଂ କଳାର ଦେବୀ ମା' ସରସ୍ୱତୀଙ୍କର ପୂଜାର୍ଚ୍ଚନା କରାଯାଏ । ସନାତନ ଧର୍ମରେ ମାଆ ସରସ୍ୱତୀଙ୍କ ଉପାସନାର ବିଶେଷ ଗୁରୁତ୍ୱ ରହିଛି, କାରଣ ସେ ଜ୍ଞାନର ଦେବୀ ।ଶାସ୍ତ୍ରରେ ରହିଛି ଯେ,ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଏବଂ ଦେବୀ କାଳୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୁଏ ଏବଂ ବାଗବାଦୀନି ପ୍ରସନ୍ନ ହୋଇଥାନ୍ତି ।
ପୂଜା କରିବା ସମୟରେ ମା'ଙ୍କୁ ହଳଦୀ ରଙ୍ଗର ସାମଗ୍ରୀ ଲାଗି କରିବା ଅତ୍ୟନ୍ତ ଶୁଭ ବିବେଚନା କରାଯାଏ । କାରଣ ମାଆ ବିଦ୍ୟାଦାତ୍ରୀଙ୍କ ପ୍ରିୟ ରଙ୍ଗ ହଳଦୀଆ ।ମା'ସରସ୍ୱତୀଙ୍କ ବିନା ସିଦ୍ଧି ଓ ବିଦ୍ୟାଲାଭ ଅସମ୍ଭବ । ଜୀବନରେ ସଫଳତା ଓ ବିଦ୍ୟାର୍ଜନରେ ଯଶସ୍ୱୀ ହେବା ପାଇଁ ବିଦ୍ୟାଜନନୀ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରିବା ଉଚିତ୍ ସହ ମାଙ୍କ ନିକଟରେ ମନପ୍ରାଣ ଅର୍ପଣ କରିବା ଉଚିତ । ମା ସରସ୍ୱତୀଙ୍କର ସୁଶୋଭିତ ପୁଷ୍ପମାଲ୍ୟ, ଘଣ୍ଟ, ଘଣ୍ଟା, ଶଙ୍ଖ ଆଦି ବାଦ୍ୟବାଦନ ମଧ୍ୟରେ ପୂଜାର୍ଚ୍ଚନା କରାଯାଏ । ସେହିପରି ବିଭିନ୍ନ ଫଳମୂଳ ଖଇ, ଉଖୁଡ଼ା, ନଡ଼ିଆ ଆଦି ବଢ଼ାଯାଇଥାଏ ।