ଆଜି ମାଣବସା ଗୁରୁବାର । ଆଜିର ଦିନକୁ ହିନ୍ଦୁ ପରମ୍ପରା ରେ ଅନେକ ମହତ୍ୱ ଦିଆଯାଇଛି । ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ ପ୍ରତ୍ୟେକ ଘରେ ଅନେକ ଭକ୍ତିର ସହ ପୂଜା କରାଯାଏ । ତେବେ ମାର୍ଗଶୀର ମାସର ଗୁରୁବାର କୁ ଅଧିକ ପ୍ରାଧାନ୍ୟ ଦିଆଯାଏ | ଏହି ଦିନରେ ଦେବୀ ଲକ୍ଷ୍ମୀଙ୍କୁ ସ୍ୱତନ୍ତ୍ର ବିଧିରେ ପୂଜା କରାଯାଏ । ବିଶ୍ୱାସ ରହିଛି ଯେ ଆଜିର ଦିନରେ ଯେ କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ଭକ୍ତି ଏବଂ ରୀତିନୀତିର ସହ ପୂଜା କରିଥାଏ ତେବେ ମା' ଲକ୍ଷ୍ମୀ ନିଶ୍ଚୟ ତାଙ୍କ ଘରକୁ ଯାଇଥାନ୍ତି । ସେଥିପାଇଁ ମହିଳା ମାନେ ପୂର୍ବଦିନ ରାତ୍ରୀରୁ ଘରଦ୍ୱାର ଲିପା ପୋଛା କରି ନୂଆ ଚାଉଳ ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦ ଆଙ୍କିଥାନ୍ତି ।
ଘର ଅଗଣା ଏବଂ ଘରେ ମା' ଲକ୍ଷ୍ମୀଙ୍କ ଆଗମନ ପାଇଁ ମୁରୁଜ ପକେଇଥାନ୍ତି । ଏହାପରେ ସମ୍ପୂର୍ଣ୍ଣ ବିଧିର ସହ ମା'ଙ୍କୁ ପୂଜା କରିଥାନ୍ତି । ତେବେ ଆଜି ମାଣବସା ଗୁରୁବାରର ଦ୍ଵିତୀୟ ପାଳି। ପ୍ରଥମ ଗୁରୁବାର ଠରୁ ଶେଷ ଗୁରୁବାର ଯାଏ ମା' ଲକ୍ଷ୍ମୀଙ୍କର ଏହି ପୂଜା ବେସ ଆନନ୍ଦର ସହ ପାଳନ କରାଯାଇଥାଏ । ପରିବାରକୁ ଦୁଃଖ ଦାରିଦ୍ରରୁ ରକ୍ଷା କରିବା ଲାଗି ମା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି ପ୍ରତିଟି ଓଡ଼ିଆଣୀ । ତେବେ ଏହା ପ୍ରତ୍ୟେକ ଓଡ଼ିଆ ଘରେ ଏକ ପର୍ବ ଭଳି ପାଳନ କରାଯାଏ ।