ଭାରତରେ ଜି-20 ଦେଶର ମାନଙ୍କର ଶିଖର ସମ୍ମିଳନୀ ହେବାର ଠିକ ପୂର୍ବରୁ ଚୀନ ତାର ହରକତକୁ ପୁଣି ଥରେ ଦୋହରାଇଛି । ଚୀନ ପୁଣି ଥରେ ଏକ କାଳ୍ପନିକ ମାନଚିତ୍ର ଜାରୀ କରିଛି । ଏହି କାଳ୍ପନିକ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚିନକୁ ତାର ବୋଲି ଦର୍ଶାଇଛି । ଚୀନ କମ୍ୟୁନିଷ୍ଟ ପାର୍ଟିର ସରକାରୀ ପ୍ରପାଗଣ୍ଡା କରୁଥିବା ସମ୍ବାଦ ପତ୍ର ଜରିଆରେ ଚୀନ ଏହି କାଳ୍ପନିକ ମାନଚିତ୍ର ଜାରୀ କରିଛି । ଏହି କାଳ୍ପନିକ ମାନଚିତ୍ରରେ ସେ କେବଳ ଭାରତର କିଛି ଅଂଶକୁ ନିଜର ବୋଲି କହି ଦାବି କରି ନାହିଁ ବରଂ ଅନ୍ୟ ଦେଶ ମାନଙ୍କର ଅଂଶ ଗୁଡିକୁ ମଧ୍ୟ ନିଜର ବୋଲି ଦାବି କରିଛି ।
ଚୀନ ଏଭଳି ହରକତ ପ୍ରଥମ ଥର ପାଇଁ କରିଛି ତାହା ନୁହେଁ । ଚୀନ ଉପରେ ନଜର ରଖୁଥିବା ଲୋକ ମାନେ ଭଲ ଭାବେ ଜାଣନ୍ତି ଏହା କମ୍ୟୁନିଷ୍ଟ ଚୀନର ପୁରୁଣା ରଣନୀତି । ଚୀନ ପୂର୍ବରୁ ବାରମ୍ବାର ମଝିରେ ମଝିରେ ଏଭଳି ମାନଚିତ୍ର ମାନ ଜାରୀ କରି ଅନ୍ୟ ଦେଶର ଅଂଶ ଗୁଡିକୁ ନିଜର ବୋଲି ଦାବି କରିଥାଏ ।
ଚୀନ ଉପରେ ମାଓଙ୍କ ଲାଲ ସେନାର କବଜା ହେବା ପରେ ହିଁ ଚୀନ ତାର ରଙ୍ଗ ଦେଖାଇବା ଆରମ୍ଭ କରିଥିଲା । ଚୀନ ପ୍ରଥମେ ତିବତକୁ ହଡପ କରି ନେଇଥିଲା । ତିବତକୁ ଜୋର ଜବରଦସ୍ତି ଅଧିକାର କରିବା ବେଳେ ଭାରତକୁ ଏହାର ବିରୋଧ କରିବାର ଥିଲା। କାରଣ ସୁରକ୍ଷା ଦୃଷ୍ଟିରୁ ତିବତ ସ୍ୱାଧୀନ ହୋଇ ରହିବା ଭାରତ ପାଇଁ ଜରୁରୀ ଥିଲା । ମାତ୍ର ସେତେବେଳର ଭାରତର ନେତୃତ୍ୱ ଚୀନର ବିରୋଧ କରିବା ପରିବର୍ତେ ତିବତକୁ ଚୀନ ହାତରେ ଟେକି ଦେଇଥିଲେ ।
ଏହା ପରେ ମାଓ ତିବତକୁ ଚୀନର ପାପୁଲି ବୋଲି କହିବା ସହ ଏହାର ପାଂଚଟି ଆଙ୍ଗୁଳି ରହିଛି ବୋଲି କହିଥିଲେ । ଏହି ପାଂଚଟି ଆଙ୍ଗୁଳି ହେଲା ଲଦାଖ, ଭୁଟାନ, ନେପାଳ, ସିକିମ ଓ ନେଫା (ବର୍ତମାନର ଅରୁଣାଚଳ ପ୍ରଦେଶ) । ତେଣୁ ସେତେବେଳ ଠାରୁ ହିଁ ଚୀନ ତାର ଅସଲ ରୂପ ଦେଖାଇ ଥିଲା ।
ଏହା ପରେ ମଧ୍ୟ ବିଭିନ୍ନ ସମୟରେ ଚୀନ ଏଭଳି କାଳ୍ପନିକ ମାନଚିତ୍ର ମାନ ଜାରୀ କରେ ଓ ବିଭିନ୍ନ ଦେଶର ଅଂଚଳ ଗୁଡିକୁ ନିଜର ବୋଲି ଦାବି କରେ । କେବଳ ଭାରତର ହିଁ ତାର ପଡୋଶୀ ଅନ୍ୟ ସମସ୍ତ ଦେଶ ମାନଙ୍କ ବିଭିନ୍ନ ଅଂଚଳ ଗୁଡିକୁ ମଧ୍ୟ ସେ ନିଜର ବୋଲି ଦାବି କରେ । ତେଣୁ ପ୍ରଥମ ଥର ପାଇଁ ଚୀନ ଏଭଳି ହରକତ କରି ନାହିଁ। ଏଭଳି କରିବା ଚୀନର ପୁରୁଣା ଅଭ୍ୟାସ ରହିଛି ।
ଭାରତ ସରକାର ଚୀନର ଏହି ହରକତର କଡା ଜବାବ ଦେଇଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଏହି ମାନଚିତ୍ରକୁ ଅସ୍ୱୀକାର କରି ଦେଇଛି ।
ଭାରତ ସରକାର ପୂର୍ବରୁ ମଧ୍ୟ ଏହି ମାମଲାରେ ଏହି ଭଳି ଜବାବ ଦେଉଥିଲା । ଚୀନ ଯେବେ ଯେବେ ଏଭଳି ମାନଚିତ୍ର ଜାରୀ କରେ କିମ୍ବା ଅରୁଣାଚଳ ପ୍ରଦେଶର ଲୋକ ମାନଙ୍କ ପାଇଁ ଷ୍ଟାପଲ୍ଡ ଭିସା ପ୍ରଦାନ କରେ ସେତେବେଳେ ଭାରତ ସରକାର ଏଭଳି ପ୍ରତିକ୍ରିୟା ପ୍ରଦାନ କରିଥାଏ । ଯେଉଁ ଦଳର ସରକାର ଥାଉ ନା କାହିଁକି ଏହି ସମାନ ପ୍ରତିକ୍ରିୟା ରହି ଆସିଛି । ତେବେ ବର୍ତମାନ ସରକାରରେ କଣ ବଦଳିଛି ? ବର୍ତମାନ ସରକାରରେ ସୀମାବର୍ତୀ ଅଂଚଳ ମାନଙ୍କରେ ଭିତିଭୂମିର ସ୍ଥିତି ବଦଳିଛି । ଗତ 9 ବର୍ଷ ଧରି ତିବତ ସୀମାରେ ରାସ୍ତା, ପୋଲ ଓ ଅନ୍ୟାନ୍ୟ ଭିତିଭୂମି ଜୋରସୋରରେ ନିର୍ମାଣ ଚାଲିଛି । ଭାରତୀୟ ସେନା ଚୀନର ଲାଲ ସେନାକୁ ତାଙ୍କରି ଭାଷାରେ ଜବାବ ଦେଉଛି । ଡୋକଲାମ ହେଉ ବା ଗଲୱାନ ଉପତ୍ୟକା ହେଉ ଏହା ଏବେ ପ୍ରମାଣିତ ହୋଇ ସାରିଛି ।
ଚଳିତ ଥର ଚୀନର କାଳ୍ପନିକ ମାନଚିତ୍ରକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟର ପ୍ରତିକ୍ରିୟା ପରେ ଭାରତର ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ ତାଙ୍କର ପ୍ରତିକ୍ରିୟାରେ ଚୀନର ଭାରତୀୟ ଅଂଚଳ ଉପରେ ଦାବିକୁ ‘ଆବସର୍ଡ କ୍ଲେମ’ ବୋଲି କହିଛନ୍ତି । କୂଟନୀତିଜ୍ଞ ମାନେ ସାଧାରଣ ଭାବେ ଆବସର୍ଡ ଶବ୍ଦ ସାଧାରଣତଃ ବ୍ୟବହାର କରି ନଥାନ୍ତି । ହେଲେ ଏଥର ଏହି ଶବ୍ଦକୁ ଭାରତର ବୈଦେଶିକ ମନ୍ତ୍ରୀ ବ୍ୟବହାର କରିଛନ୍ତି । ତେଣୁ ଚୀନକୁ କଡା ଭାଷାରେ କୂଟନୈତିକ ଜବାବ ଦିଆଯାଇଛି ।
ଚୀନ ହେଉଛି ଏକ ବିସ୍ତାରବାଦୀ ଦେଶ । ଚୀନ ସବୁବେଳେ ତାର ଆଖ ପାଖର ଦେଶ ମାନଙ୍କୁ କବଳିତ କରିବାକୁ ଚେଷ୍ଟା କରିଥାଏ । ଏବେ ମଧ୍ୟ ଯେଉଁ ପିପୁଲ୍ସ ରିପବ୍ଲିକ ଅଫ ଚାଇନା ରହିଛି ସେଥିରେ ଏଭଳି ବେଆଇନ ଭାବେ କବଜା କରିଥିବା ପଡୋଶୀ ଦେଶ ମାନଙ୍କର ଭୂମି ସାମିଲ ରହିଛି ।
ଚୀନ କେବଳ ଯେ ଏହି କାଳ୍ପନିକ ମାନଚିତ୍ରରେ ଭାରତର ଅଂଚଳ ଗୁଡିକୁ ଦର୍ଶାଇଛି ତା ନୁହେଁ । ସେ ବିଭିନ୍ନ ଦେଶର ବିଭିନ୍ନ ଅଂଚଳ ଗୁଡିକୁ ମଧ୍ୟ ତାର ବୋଲି ଦର୍ଶାଇଛି । ତେଣୁ କେବଳ ଭାରତ ନୁହେଁ ଏହି ଦେଶ ମାନେ ମଧ୍ୟ ଚୀନର ଏଭଳି କୃତ୍ୟ ପାଇଁ ତାକୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି ।
ଏହି ମାନଚିତ୍ରକୁ ନେଇ ଫିଲିପାଇନ୍ସ, ତାଇୱାନ, ମାଲେସିଆ ଓ ଭିଏତନାମ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କାରଣ ଏହି କାଳ୍ପନିକ ମାନଚିତ୍ରରେ ଚୀନ ଏହି ଦେଶ ମାନଙ୍କର ଅଂଶକୁ ମଧ୍ୟ ନିଜର ବୋଲି ଦର୍ଶାଇଛି ।
ଫିଲିପାଇନ୍ସର ସାମୁଦ୍ରିକ ଅଂଚଳ ଗୁଡିକୁ ଚୀନ ଏହି କାଳ୍ପନିକ ମାନଚିତ୍ରରେ ନିଜର ବୋଲି ଦାବି କରିଥିଲା । ଫିଲିପାଇନ୍ସ ସରକାରର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚୀନ ଦ୍ୱାରା ଏହି ଅଂଚଳ ଗୁଡିକୁ ନିଜର ବୋଲି ଦାବି କରିବା ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ।
ସେହିପରି ଭିଏତନାମର ସ୍ପ୍ରେଟଲି ଓ ପାରାସେଲ ଦ୍ୱୀପ ଓ ତାର ଜଳ କ୍ଷେତ୍ର ଉପରେ ଏହି କାଳ୍ପନିକ ମାନଚିତ୍ର ଜରିଆରେ ଦାବି କରିଛି । ଭିଏତନାମ ସରକାରଙ୍କ ପକ୍ଷରୁ ଏହି ପ୍ରସଙ୍ଗରେ ଚୀନ ବିରୁଦ୍ଧରେ କଡା ପ୍ରତିକ୍ରିୟା ଦିଆଯାଇଛି ଓ ଚୀନର ଦାବିକୁ ଖାରଜ କରାଯାଇଛି । ସେହିପରି ମାଲେସିଆ ପକ୍ଷରୁ ମଧ୍ୟ ଚୀନର ଏଭଳି ଦାବି କୁ ଅଗ୍ରାହ୍ୟ କରାଯାଇଛି ।
ଅନ୍ୟ ଶବ୍ଦରେ କହିବାକୁ ଗଲେ ଚୀନର ଏଭଳି ବିସ୍ତାରବାଦୀ ବ୍ୟବହାରକୁ ନେଇ କେବଳ ଭାରତ ନୁହେଁ ଅନ୍ୟ ଦେଶ ମାନେ ମଧ୍ୟ ସମସ୍ୟାରେ ଅଛନ୍ତି । ସମସ୍ତେ ଚୀନ ବିରୁଦ୍ଧରେ କଡା ମନ୍ତବ୍ୟ ଦେଉଛନ୍ତି । ଚୀନକୁ ସମସ୍ତେ ଶତ୍ରୁ ଭଳି ଦେଖୁଛନ୍ତି ।
ଭାରତ ସ୍ୱାଧୀନ ହେବା ପରେ ଅନେକ ଦେଶ ଆଶା କରୁଥିଲେ ଯେ ଭାରତ ସେମାନଙ୍କର ନେୃତୃତ୍ୱ ନେବ । ବିଶେଷ ଭାବେ ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆର ଦେଶ ମାନେ ନେତୃତ୍ୱ ପାଇଁ ଭାରତ ଆଡକୁ ଦେଖୁଥିଲେ । କାରଣ ମଧ୍ୟ ସ୍ପଷ୍ଟ ଥିଲା । ଭାରତର ହଜାର ହଜାର ବର୍ଷର ସଭ୍ୟତା ଓ ସଂସ୍କୃତି ରହିଛି । ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆର ଦେଶ ମାନଙ୍କର ସଂସ୍କୃତି ଭାରତରୁ ହିଁ ଯାଇଛି । ତେଣୁ ଭାରତର ନେତୃତ୍ୱକୁ ସେମାନେ ଅନାଇଥିଲେ । ହେଲେ ବୋଧ ହୁଏ ସେତେବେଳର ଭାରତର ରାଜନୈତିକ ବୋଧ ହୁଏ ଏହା ଚାହୁଁ ନଥିଲା । 1962 ମସିହାରେ ଚୀନ ମଧ୍ୟ ଭାରତ ଉପରେ ଆକ୍ରମଣ କରି ଏହି ଦେଶ ମାନଙ୍କୁ ସଂକେତ ଦେଇ ଦେଇଥିଲା ଯେ ଭାରତ ଆଡକୁ ନେତୃତ୍ୱ ପାଇଁ ଯଦି ଚାହୁଁଛ ତାହେଲେ ଭୁଲ କରୁଛ । ମାତ୍ର ବର୍ତମାନ ସ୍ଥିତି ବଦଳିଛି । ବର୍ତମାନ ଭାରତ ବିଶ୍ୱର ବିକଶିତ ଦେଶ ମାନଙ୍କ ସହ ଆଖିରେ ଆଖି ମିଶାଇ କଥା ବାର୍ତା କରୁଛି । ବିଶ୍ବ ରାଜନୀତିରେ ଭାରତର ପ୍ରଭାବ ବଢିବାରେ ଲାଗିଛି । ଚୀନର ଏଭଳି କାଳ୍ପନିକ ମାନଚିତ୍ର ଜାରୀ ପ୍ରସଙ୍ଗ ଆଖ ପାଖର ଦେଶ ମାନଙ୍କୁ ଚୀନ ବିରୁଦ୍ଧରେ କରୁଛି । ଏଭଳି ସ୍ଥିତିରେ ଭାରତ ତାର ଭୂମିକାକୁ ବିସ୍ତାର ଦେବା ଉଚିତ । ଭାରତକୁ କେବଳ ଭାରତର ନୁହେଁ ବରଂ ଚୀନର ବିସ୍ତାରବାଦୀ ନୀତିର ଶୀକାର ହେଉଥିବା ଅନ୍ୟ ଦେଶ ମାନଙ୍କର ପ୍ରବକ୍ତା ମଧ୍ୟ ସାଜିବାର ସମୟ ଆସିଛି ।
ଡ.ସମନ୍ୱୟ ନନ୍ଦ