ଜି-20 ଶିଖର ସମ୍ମିଳନୀର ପ୍ରଥମ ଦିନରେ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଯେଉଁ ଫଟୋ ଓ ଭିଡିଓ ପ୍ରଦର୍ଶିତ ହେଉଥିଲା ତାହା ଭାରତବାସୀ ମାନଙ୍କ ମନରେ ଗର୍ବ ଅନୁଭବ କରାଉଥିଲା । କାର୍ଯ୍ୟକ୍ରମ ସ୍ଥଳ ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଓ଼ଡିଶାର କୋଣାର୍କ ଚକ୍ର ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ପରେ ଗୋଟିଏ ରାଷ୍ଟ୍ରାଧ୍ୟକ୍ଷଙ୍କୁ କୋଣାର୍କ ଚକ୍ର ସାମନାରେ ସ୍ୱାଗତ କରୁଥିଲେ ଓ କରମର୍ଦନ କରିବାର ଦେଖିବାକୁ ମିଳୁଥିଲା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସ୍ୱାଗତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚକ୍ରକୁ ଦେଖାଇ ପ୍ରଧାନମନ୍ତ୍ରୀ ମୋଦି ଏହାର ବୈଶିଷ୍ଟ୍ୟ ସମ୍ପର୍କରେ ଅବଗତ କରାଉଥିବା ଦେଖିବାକୁ ମିଳିଥିଲା ।
ଏହି ଦୃଶ୍ୟ ଦେଖି ଭାରତୀୟ ମାନଙ୍କର ବିଶେଷ ଭାବେ ଓଡିଆ ଲୋକ ମାନଙ୍କର ହୃଦୟ ପ୍ରଫୁଲ୍ଲିତ ହେଉଥିଲା । ହେବା ସ୍ୱାଭବିକ ମଧ୍ୟ । କାରଣ ବିଶ୍ୱର ପ୍ରମୁଖ ଦେଶର ରାଷ୍ଚ୍ରାଧ୍ୟକ୍ଷ ମାନଙ୍କ ସମ୍ମୁଖରେ ଭାରତର ସଭ୍ୟତା ଓ ସଂସ୍କୃତିକୁ ଯେଉଁ ଭଳି ଭାବେ ପ୍ରଦର୍ଶନ କରାଯାଉଥିଲା, ସେପରି ଉଦାହରଣ କ୍ୱଚିତ ମିଳେ । ଭାରତ ବର୍ଷ ଆଜିର ଦେଶ ନୁହେଁ । ଭାରତ ବର୍ଷର ଇତିହାସ ହଜାର ହଜାର ବର୍ଷର । ଭାରତର ସଭ୍ୟତା, ସଂସ୍କୃତି ଓ ପରମ୍ପରା ହଜାର ହଜାର ବର୍ଷ ପୁରୁଣା । ସାରା ବିଶ୍ୱରେ ଥିବା ପୁରାତନ ସଭ୍ୟତା ପୃଥିବୀ ପୃଷ୍ଠରୁ ଲୋପ ପାଇ ସାରିଛି, କେବଳ ତାଙ୍କର ଅବଶେଷ ରହିଛି । ହେଲେ ଭାରତ ବର୍ଷର ସଭ୍ୟତା ହଜାର ହଜାର ବର୍ଷ ଧରି ନିରବଛିନ୍ନ ଭାବେ ଚାଲି ଆସିଛି । ଏତେ ଘାତ – ପ୍ରତିଘାତ, ବାହ୍ୟ ଆକ୍ରମଣ, ଷଡଯନ୍ତ୍ର ସତ୍ୱେ ଭାରତବର୍ଷର ସଭ୍ୟତା ଶେଷ ହୋଇ ନାହିଁ ।
ଦୀର୍ଘ ଦିନର ପରାଧୀନତା ଓ ଦାସତ୍ୱ ଶେଷ ହେବା ପରେ 1947 ମସିହାରେ ଭାରତ ସ୍ୱାଧୀନ ହୋଇଥିଲା । ସେତେବେଳେ ଦେଶର ଶାସନର ଡୋରୀ ଯାହାଙ୍କ ହାତକୁ ଯାଇଥିଲା ତାଙ୍କ ମନରେ ଏହି ଭାରତର ସଭ୍ୟତା- ସଂସ୍କୃତିକୁ ନେଇ ତିଳେ ହେଲେ ଅଭିମାନ ନ ଥିଲା, ବରଂ ଏହାକୁ ନେଇ ସେ ହିନମନ୍ୟତାର ଶୀକାର ଥିଲେ । ଭାରତ ନିକଟରେ ସାରା ବିଶ୍ୱକୁ ଦେଖାଇବା ପାଇଁ ହଜାର ହଜାର ବର୍ଷର ଅନେକ ଐତିହ୍ୟ ରହିଥିବା ବେଳେ ତତ୍କାଳୀନ ନେତୃତ୍ୱ ଭାରତକୁ ସାପୁଆ କେଳା ମାନଙ୍କର ଦେଶ ବୋଲି ପ୍ରଚାରିତ କରୁଥିଲେ । ତେଣୁ ସେତେବେଳେ କୌଣସି ରାଷ୍ଚ୍ରାଧ୍ୟକ୍ଷ ଭାରତ ଗସ୍ତକୁ ଆସିଲେ ତାଙ୍କୁ ସାପୁଆ କେଳା ମାନଙ୍କର ଖେଳ ଦେଖା ଯାଉଥିଲା । ସେତେବେଳର ଦେଶର ନେତୃତ୍ୱକର୍ତା ମାନେ ଭାରତକୁ ମିଶ୍ରିତ ସଂସ୍କୃତିର ଦେଶ ବୋଲି କହି ଅତି ବେଶୀରେ ଆଗ୍ରାର ତାଜମହଲକୁ ଦେଖାଉଥିଲେ ।
ଦେଶର ବିଭିନ୍ନ ରାଜ୍ୟରେ ହଜାର ହଜାର ବର୍ଷ ପୂର୍ବେ ବିଭିନ୍ନ ରାଜବଂଶ ଅତ୍ୟନ୍ତ ସୁକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ ହୋଇଥିବା ବିଶାଳକାୟ ମନ୍ଦିର ଯାହାକୁ ଦେଖି ଆଜିର ବିଜ୍ଞାନ ମଧ୍ୟ ଲାଜ କରିବ । ତାହାକୁ କେବେ ହେଲେ ବିଦେଶୀ ରାଷ୍ଟ୍ରାଧ୍ୟକ୍ଷ ମାନଙ୍କୁ ଦେଖା ଯାଇ ନଥିଲା । ସେତେବେଳର ଶାସନ କ୍ଷମତାରେ ଲୋକ ମାନଙ୍କ ପାଇଁ ଯେଭଳି ଏହା ଅସ୍ପୃଶ୍ୟ ଥିଲା ।
ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2014 ମସିହାରେ ଶାସନ କ୍ଷମତାରେ ଆସିବା ପରେ ଭାରତ ସରକାରଙ୍କର ଏହି ନୀତିରେ ଆମୁଳଚୁଳ ପରିବର୍ତନ ଆସିଛି । ବର୍ତମାନର ସରକାର ଭାରତର ହଜାର ହଜାର ବର୍ଷର ନିରବଛିନ୍ନ ସଭ୍ୟତା- ସଂସ୍କୃତିକୁ ନେଇ କେବଳ ଯେ ଗର୍ବ ଅନୁଭବ କରୁ ନାହାନ୍ତି ବରଂ ଏହାର ପ୍ରଚାର ପ୍ରସାର କିଭଳି ହୋଇ ପାରିବ ସେ ନେଇ ସତତ ଚେଷ୍ଟିତ ଅଛନ୍ତି ।
ଜି-20 ଶିଖର ସମ୍ମିଳନୀରେ ଭାରତ ସରକାରଙ୍କ ଏହି ପରିବର୍ତିତ ନୀତିର ସ୍ପଷ୍ଟ ଝଲକ ଦେଖିବାକୁ ମିଳିଛି । ଏହି ଶିଖର ସମ୍ମିଳନୀରେ ଭାରତର ସଭ୍ୟତା ଓ ସଂସ୍କୃତିକୁ ଅତ୍ୟନ୍ତ ଉତମ ଭାବେ ବିଦେଶୀ ରାଷ୍ଟ୍ରାଧ୍ୟକ୍ଷଙ୍କ ସାମନାରେ ପ୍ରସ୍ତୁତ କରାଯାଇଛି । ଭାରତ ମଂଡପମର ଏକ ଭବ୍ୟ ନଟରାଜ ମୂର୍ତି ସ୍ଥାପିତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି ନଟରାଜ ମୂର୍ତି ସମ୍ପର୍କରେ ସୋସିଆଲ ମିଡିଆରେ ଲେଖିଥିଲେ “ଭାରତ ମଂଡପମରେ ଭବ୍ୟ ନଟରାଜ ପ୍ରତିମା ଆମର ସମୃଦ୍ଧ ଇତିହାସ ଓ ସଂସ୍କୃତିର ବିଭିନ୍ନ ଦିଗକୁ ଜୀବନ୍ତ କରିଥାଏ। ସାରା ବିଶ୍ୱ ଜି-20 ସମ୍ମିଳନୀ ପାଇଁ ଯେତେବେଳେ ଏକତ୍ରିତ ହେବ ସେତେବେଳେ ଭାରତର ଶହ ଶହ ବର୍ଷର କଳାତ୍ମକତା ଓ ପରମ୍ପରାର ପ୍ରମାଣ ରୂପେ ଏହା ଠିଆ ହେବ । ”
ନଟରାଜଙ୍କ ଏହି ସ୍ୱରୂପ ଶିବଙ୍କ ଆନନ୍ଦ ତାଂଡବର ପ୍ରତୀକ । ଶିବଙ୍କ ଏହି ସ୍ୱରୂପ ଖରାପକୁ ନାଶ କରିବା ସହ ନୃତ୍ୟ ଜରିଆରେ ସକାରାତ୍ମକ ଉର୍ଜା ସଂଚାରକରିବାର ବାର୍ତା ପ୍ରଦାନ କରୁଛି ।
ନଟରାଜ ଓ କୋଣାର୍କ ଚକ୍ର ବ୍ୟତୀତ ଯୋଗ ମୁଦ୍ରାର ପ୍ରତିମା ମଧ୍ୟ ଏଥିରେ ଲଗା ଯାଇଛି । ଯୋଗ ହେଉଛି ଭାରତୀୟ ସଭ୍ୟତାର ମାନବିକତାକୁ ସବୁଠାରୁ ବଡ ଦାନ । ମାନବିକତାକୁ ଏକ କରିବାରେ ଯୋଗର ସବୁଠାରୁ ବଡ ଭୂମିକା ରହିଛି । ତେଣୁ ଯୋଗକୁ ବିଦେଶୀ ଅତିଥି ମାନଙ୍କ ସାମନାରେ ପ୍ରଦର୍ଶିତ କରାଯାଇଛି ।
ଜି 20 ଶିଖର ସମ୍ମିଳନୀରେ ଅତିଥି ମାନଙ୍କୁ ଭାରତର ନିରବଛିନ୍ନ ଇତିହାସ ସମ୍ପର୍କରେ ଅବଗତ କରାଯାଇଛି । ହସ୍ତିନାପୁର ବର୍ତମାନର ପଶ୍ଚିମ ଉତର ପ୍ରଦେଶର ସିନୌଲୀରୁ ମିଳିଥିବା ରଥ, ସିନ୍ଧୁ ସରସ୍ୱତୀ ସଭ୍ୟତା ଓ ସଂସ୍କୃତି ସହିତ ଅତିଥିମାନଙ୍କୁ ପରିଚିତ କରାଯାଇଛି । ପୁରାତାତ୍ତ୍ୱିକ କଳାକୃତି, ସାହିତ୍ୟ, ମୁଦ୍ରାଶାସ୍ତ୍ର, ପୁରାଲେଖ ଓ ଚିତ୍ର ମାଧ୍ୟମରେ ଏକ ପ୍ରଦର୍ଶନୀ ପ୍ରଦର୍ଶିତ କରାଯାଇଛି । ଏହାକୁ ପ୍ରସ୍ତୁତ କରିବାକୁ ତାଙ୍କୁ 9ମାସ ସମୟ ଲାଗିଛି । ଏଥିପାଇଁ ଦେଶର କୋଣ ଅନୁକୋଣୁ ଐତିହାସିକ ଓ ପୁରାତତ୍ୱ ମହତ୍ତ୍ୱ ରଖୁଥିବା ବସ୍ତୁ ଅଣାଯାଇଛି । ଅମରାବତୀ, ଗାନ୍ଧାର, ଚଣ୍ଡିଗଡ ସଂଗ୍ରହାଳୟ, କୋଲକାତା ସଂଗ୍ରହାଳୟ ସହିତ ଜାତୀୟ ସଂଗ୍ରହାଳୟରୁ ଐତିହାସିକ ସାମଗ୍ରୀ ଅଣାଯାଇଛି । ଭାରତର 5ହଜାର ବର୍ଷ ପୁରୁଣା ଇତିହାସକୁ ପ୍ରାଚୀନ ମାଧ୍ୟମ ଥିମ ଆଧାରରେ କ୍ୟୁରେଟ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସଭ୍ୟତା ଓ ସଂସ୍କୃତିକୁ ବିଦେଶୀ ରାଷ୍ଟ୍ରାଧ୍ୟକ୍ଷଙ୍କ ସାମନାରେ ସଠିକ ଭାବେ ପ୍ରଦର୍ଶିତ କରାଇବାକୁ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଏଥିରୁ ପ୍ରମାଣିତ ହେଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଜି 20 ରାଷ୍ଟ୍ରାଧ୍ୟକ୍ଷଙ୍କ ଆଗମନ କାରଣରୁ ଏପରି କରୁ ନାହାନ୍ତି । 2014 ମସିହା ପର ଠାରୁ ସେ ଯେତେବେଳେ ଯେଉଁ ସୁଯୋଗ ପାଇଛନ୍ତି ସେ ସେତେବେଳେ ଭାରତର ସଭ୍ୟତା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାମ କରିଛନ୍ତି । ସେ କୌଣସି ରାଷ୍ଚ୍ରାଧ୍ୟକ୍ଷଙ୍କୁ ଭେଟିବା ବେଳେ ଉପହାର ସ୍ୱରୂପ ଗୀତା, ଉପନିଷଦ ଆଦି ପ୍ରଦାନ କରୁଛନ୍ତି । ଯୋଗକୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ପ୍ରଦାନ କରାଇ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଇବାରେ ସେ ସଫଳ ହୋଇ ପାରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କରୁଛନ୍ତି ତାହା 1947 ମସିହା ଭାରତ ସ୍ୱାଧୀନ ହେବା ପର ଠାରୁ ହେବାର ଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ତାହା ହୋଇ ପାରି ନ ଥିଲା । ଏହା ସେତେବେଳେ ହେବ ଯେତେବେଳେ ଶାସନ କ୍ଷମତାରେ ଥିବା ବ୍ୟକ୍ତି ମନରେ ତାର ଦେଶର ସଭ୍ୟତା ସଂସ୍କୃତି ନେଇ ଗର୍ବ ଅନୁଭବ ହେଉଥିବ । ଏହି କାରୁକାର୍ଯ୍ୟ କଳା ତାର ହୃଦୟକୁ ସ୍ପନ୍ଦିତ କରୁଥିବ । ସ୍ୱାଧୀନତା ପରେ ଶାସନ କ୍ଷମତାରେ ଥିବା ଲୋକ ମାନଙ୍କର ହୃଦୟ ଏହାକୁ ନେଇ ସ୍ପନ୍ଦିତ ହେଉ ନଥିଲା । ତେଣୁ ଏପରି ହୋଇ ପାରୁ ନ ଥିଲା ।
ତେବେ ଯାହା ହେଉ ବିଳମ୍ବରେ ହେଲେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱାଧୀନତାର ଅମୃତକାଳରେ ଯେତେବେଳେ ଆମେ ପ୍ରବେଶ କରିଛେ ସେତେବେଳେ ଏହାକୁ ଗତି ମିଳିଛି । ଗତ କିଛି ବର୍ଷ ମଧ୍ୟରେ ଭାରତର ସଂସ୍କୃତିକୁ ନେଇ ଗର୍ବର ଭାବନା ଦେଶବାସୀ ବିଶେଷ ଭାବେ ଯୁବ ସମାଜ ମଧ୍ୟରେ ତିଆରି ହୋଇଛି । ଆମ ମାନଙ୍କ ମଧ୍ୟରେ ଦାସତ୍ୱର ମାନସିକତାରୁ ମୁକ୍ତିରେ ମଧ୍ୟ ଏହା ସହାୟକ ହେବ । ଏହି କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଶ୍ଚିତ ଭାବେ ପ୍ରଶଂସାର ପାତ୍ର ।
(ଡ. ସମନ୍ୱୟ ନନ୍ଦ)