କଣ୍ଠରେ ଭାବ,ହୃଦୟରେ ଭକ୍ତି ଏବଂ ମନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବନା ନେଇ 'ଭଜନ ସମ୍ରାଟ' ଭାବରେ କୋଟି କୋଟି ଭକ୍ତି ସଙ୍ଗୀତପ୍ରେମୀଙ୍କ ମନରେ ଏବେ ବି ରହିଛନ୍ତି 'ଭିକାରୀ ବଳ' । କେତେବେଳେ ତାଙ୍କ ‘ହାତରେ ମୁଠା ମୁଠା ସରଧା ବାଲି ତ’ ଆଉ କେତେବେଳେ ସେ ‘ବଡ ଦେଉଳର ପାରା’ । ପୁଣି କେତେବେଳେ ମହାପ୍ରଭୁଙ୍କ ନିକଟରେ ‘ବଡଦାଣ୍ଡର ଭିକାରୀ’ ତ ଆଉ କେତେବେଳେ ତାଙ୍କ ମନରେ ବଡଦାଣ୍ଡରେ ଯୋଗୀଟିଏ ହେବାକୁ ଅଭିଳାଷା । ଏହିପରି ମହାପ୍ରଭୁଙ୍କ ନିକଟରେ ଭାବ ଆଉ ଭକ୍ତିର ଗାନ କରୁ କରୁ ଭିକାରୀ ବଳରୁ ସାଜିଲେ ‘ଭଜନ ସମ୍ରାଟ’ । ୧୯୨୯ ମସିହା ମେ ୨୫ ତାରିଖରେ କେନ୍ଦ୍ରାପଡାର ସୋବଳା ଗାଁରେ ଏକ ସାଧାରଣ ଚାଷୀ ପରିବାର ରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ୍ ଗାୟକ । ପିଲାଟି ବେଳୁ ତାଙ୍କ ବାପା-ମାଆ ଆରପାରିକୁ ଚାଲି ଯାଇଥିଲେ । ଏହାପରେ ସେ ଘେରି ହୋଇ ପଡ଼ିଥିଲେ ଦାରିଦ୍ର୍ୟ ରେ । ହେଲେ ଦାରିଦ୍ର୍ୟ ତାଙ୍କୁ ସଙ୍ଗୀତରୁ ଦୂରେଇ ପାରିନଥିଲା । ପିଲାଟି ବେଳୁ ହିଁ କଲମ ଛାଡି ସେ ଧରିଥିଲେ ହାରମୋନିୟମ ।
ଗ୍ରାମର ଯାତ୍ରା ଦଳରୁ ତାଙ୍କର କଳାକାର ଜୀବନ ଆରମ୍ଭ ହୋଇଥିଲା । ସେଠାରେ ସେ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବା ସହ ଗୀତ ଗାଇବା ଶିଖିଥିଲେ । ପରେ ଗୁରୁ ଖିତିଜ ମିଶ୍ରଙ୍କ ସହାୟତାରେ ସେ କଟକ ଆସିଥିଲେ । ଏବଂ କଟକର କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।
'କୋଠ ଭୋଗଖିଆ' ଗୀତ ପାଇଁ ସେ ବେଶ ଲୋକପ୍ରିୟତା ହାସିଲ କରିଥିଲେ । ସେବେଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଭଜନ ସମ୍ରାଟ । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ, ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ପଲ୍ଲୀଗୀତ ଏବଂ ଆଧୁନିକ ଗୀତ ଗାଇଥିଲେ ।
ଏହାସହ ସେ ଅନେକ ମଠ, ମନ୍ଦିର, ଆଧ୍ୟାତ୍ମିକ ଅନୁଷ୍ଠାନ ସହ ସେ ସଂପୃକ୍ତ ଥିଲେ । ସେଥିପାଇଁ ତାଙ୍କୁ ଶ୍ରୀମନ୍ଦିରରେ ଚାମର ସେବାର ସୁଯୋଗ ମିଳିଥିଲା | ପୁରୀ ଗଜପତିଙ୍କ ଠାରୁ ସେ 'ଭଜନ ସମ୍ରାଟ' ଉପାଧି ପାଇଥିଲେ । ନିଜର ଜନ୍ମମାଟି ଠାରୁ ସ୍ୱର୍ଗଦ୍ୱାର ଯାଏ, ଏକ ଦୀର୍ଘ ପଥ ଅତିକ୍ରମ କରି ସେ ସାଧାରଣ 'ଭିକାରୀ ବଳ' ଠାରୁ ଅସାଧାରଣ 'ଭଜନ ସମ୍ରାଟ' ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । 2005ରେ 'ଚଗଲା ମନ' ଥିଲା ତାଙ୍କର ଶେଷ ଭଜନ । ରୋଗରେ ପୀଡିତ ହୋଇ ୨୦୧୦ ମସିହା ଆଜିର ଦିନରେ ଦେହତ୍ୟାଗ କରିଥିଲେ ଭଜନ ସମ୍ରାଟ । ହେଲେ ଓଡ଼ିଆ ସଙ୍ଗୀତ ଜଗତ ଥିବା ପର୍ଯ୍ୟନ୍ତ ତାଙ୍କ ଅବଦାନ ଚିରସ୍ମରଣୀୟ ରହିବ ।