ସରିଲା ଦୁର୍ଗାପୂଜା । ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା ଜଗତ ଜନନୀ ଦୁର୍ଗା । ଏତେ ଦିନର ପୂଜାବିଧି ପରେ ଶେଷରେ ମାଙ୍କୁ ମେଲାଣି ଦେଇଛନ୍ତି ଭକ୍ତ | କେଉଁଠି ଡିଜେ ବାଜୁଛି ତ କେଉଁଠି ପାରମ୍ପରିକ ବାଦ୍ୟବଜାଇ ମେଲାଣି ଦିଆଯାଇଛି । ହେଲେ କେନ୍ଦ୍ରାପଡା ରାଜନଗରରେ ଦେଖିବାକୁ ମିଳିଛି କିଛି ଅଲଗା ଦୃଶ୍ୟ | ମା ଜଗତ ଜନନୀ ଦୁର୍ଗାଙ୍କୁ ନିଆରା ଢଙ୍ଗରେ ଦିଆଯାଇଛି ମେଲାଣି । ପ୍ରଥମେ ନଦୀର ଗଭୀର ଜଳରେ ଚାପ ଖେଳିଛନ୍ତି ମା ଆଉ ତାପରେ ମଝି ନଦୀରେ ଭକ୍ତଙ୍କ ଗହଣରୁ ବିଦାୟ ନେଇଛନ୍ତି ମା । ଯେଉଁ ଦୃଶ୍ୟ ଦେଖି ଉତ୍ଫୁଳିତ ହୋଇଛି ମନ ।
ଏଭଳି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଦେଇ ବହିଯାଉଥିବା ହଂସୁଆ ନଦୀରେ । ଦୀର୍ଘ 200 ବର୍ଷର ପରମ୍ପରାରେ କୁ ବଜାୟ ରଖିଛନ୍ତି ଏହାର ବାସିନ୍ଦା । ମା ଙ୍କୁ ଉତ୍ସାହ ଉଦ୍ଦୀପନା ଓ ଭକ୍ତିରେ ଦେଉଛନ୍ତି ବିଦାୟ । ଘଣ୍ଟ,ଝାଞ୍ଜ ,ମୃଦଙ୍ଗ ,ହରିବୋଲ ହୁଳହୁଳୀରେ କମ୍ପୁଛି ପୁରା ପରିବେଶ ବିଦାୟ ନେଉଛନ୍ତି ମା ଆଉ ସେହି ଦୃଶ୍ୟ ଦେଖିବାକୁ ନଈର ଦୁଇକୂଳରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି ।
ପରମ୍ପରା ଅନୁସାରେ ବିଜୟା ଦଶମୀଦିନ ମା'ଙ୍କ ମୂର୍ତ୍ତିକୁ ମନ୍ତ୍ରରେ ବିସର୍ଜନ କରାଯିବା ପରେ ଗୋପଳ ସମ୍ପ୍ରଦାୟର ଲୋକମାନେ ମାଙ୍କୁ କାନ୍ଧରେ ବସାଇ ପୁରା ନଗର ପରିକ୍ରମା କରିଥାନ୍ତି ଏହାପରେ ହଂସୁଆ ନଦୀକୁ ନେଇଯାନ୍ତି ଆଉ ସେଠାରେ ମାଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଥାଏ ସୁସଜ୍ଜିତ ହୋଇ ରହିଥିବା ଡଙ୍ଗା ଓ ସଂକୀର୍ତନ ମଣ୍ଡଳୀ | ଏହାପରେ ମାଙ୍କୁ ଡଙ୍ଗାରେ ବସାଇ ୭ ଥର ଚାପ ଖେଳିସାରିବା ପରେ ମଝି ନଦୀରେ ମା ଜଗତ ଜନନୀଙ୍କୁ ମେଲାଣି ଦିଆଯାଏ । ଏହି ଭସାଣିରେ ଗୋଟିଏ ନୁହେଁ ଆଖପାଖ ଅଂଚଳର ଏକାଧିକ ମେଢ଼କୁ ବିସର୍ଜନ ଦିଆଯାଏ ।
ଆହୁରି ମଧ୍ୟ ପରମ୍ପରା ରହିଛି ଯେ ନଦୀ ଜଳରେ ଗୋପାଳ ମାନେ ପହଁରି ପହଁରି ମା ଙ୍କୁ ମେଲାଣି ଦିଅନ୍ତି କିନ୍ତୁ ଚଳିତ ବର୍ଷ କୁମ୍ଭୀର ଆତଙ୍କ ଥିବାରୁ ଏପରି କରିବାକୁ ପ୍ରଶାସନ ଅନୁମତି ଦେଇନାହିଁ । ତଥାପି କିନ୍ତୁ ୨୦୦ ବର୍ଷର ଏହି ଅନନ୍ୟ ପରମ୍ପରା ଦେଖିବାକୁ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଲୋକକଥା ରହିଛି ଯେ ତତ୍କାଳୀନ କନିକା ରାଜା ପ୍ରଜାମାନଙ୍କ ମଙ୍ଗଳ ପାଇଁ ମାଙ୍କୁ ଆବାହନ କରିବାପରେ ଚାପ ଖେଳର ଏହି ନିଆରା ପରମ୍ପରା ଆରମ୍ଭ କରିଥିଲେ ।
ଚଳିତ ବର୍ଷ କୁମ୍ଭୀର ଡର ବି ରହିଛି ତଥାପି ମାଙ୍କୁ ମେଲାଣି ଦେଇଛି ଭକ୍ତ । ତେବେ ଆଶା ଆଉ ବିଶ୍ୱାସ ରହିଛି ଯେ ମା ଙ୍କ କୃପାରୁ ଅଂଚଳରେ ଥିବା ଏହି କୁମ୍ଭୀର ଭୟ ଦୂରାହୋଇଯିବ ଏବଂ ପ୍ରଶାସନ ବି ମଜୁରୀ ଦେବେ ପୁଣି ଆସନ୍ତା ବର୍ଷ ପହଁରି ପହଁରି ମା ଙ୍କୁ ବିଦାୟ ଦେବେ ଗୋପାଳ ଭକ୍ତ ।