ପତିଙ୍କ ବୟସ ୬୦ ଓ ପତ୍ନୀଙ୍କ ବୟସ ୫୫ । ପରିଣତ ବୟସରେ ବିଶ୍ରାମ ନ ନେଇ କରୁଛନ୍ତି ମାନବ ସେବା । ଏଥିପାଇଁ ସେମାନଙ୍କୁ କିଏ ନିୟୋଜନ କରିନି କି କେଉଁଠୁ ସେମାନେ ଏଥିପାଇଁ ପାରିଶ୍ରମିକ ପାଉ ନାହାନ୍ତି । କାହାର ସମାଲୋଚନା କି ପ୍ରସଂଶାକୁ ଅପେକ୍ଷା ନ କରି ସେମାନେ ଦୀପାଞ୍ଚଳର ରୋଗୀ ମାନଙ୍କୁ ଜଳଯାତ୍ରାରେ ସହାୟତା କରି ମେଡିକାଲରେ ଭର୍ତ୍ତି କରି ପ୍ରଶଂସା ସାଉଣ୍ଟୁଛନ୍ତି । ଏହି ନିଆରା ଦମ୍ପତ୍ତି ହେଉଛନ୍ତି ଅବିନାଶ ଓ ସାବିତ୍ରୀ ପାଲ । ଘର ପଶ୍ଚିମବଙ୍ଗର ସୁନ୍ଦର ବନ ଅଭୟାରଣ୍ୟର ଛୋଟ ଏକ ଗାଁରେ । ସେମାନେ ବିଗତ ୧୫ ବର୍ଷ ହେଲା ସୁନ୍ଦରବନ ଭିତରେ ଆରମ୍ଭ କରିଛନ୍ତି ବୋଟ କ୍ଲିନିକ ଓ ଯକ୍ଷ୍ମା ନିୟନ୍ତ୍ରଣ କକ୍ଷ ।
ଅବିନାଶ ବୃତ୍ତିରେ ଜଣେ ଡାକ୍ତର ହୋଇଥିବା ବେଳେ ସାବିତ୍ରୀ ନର୍ସିଙ୍ଗ ଟ୍ରେନିଂ ପାସ ଆଉଟ । ଉଭୟ ଦମ୍ପତି ଚାହିଁଥିଲେ ଭଲ ଏକ ଚାକିରୀ କରିପାରିଥାନ୍ତେ କିନ୍ତୁ ସେମାନେ ଏହା ନ କରି ନିଜର ସଂଚିତ ଅର୍ଥରେ ଜନସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି । ବୋଟ ଆମ୍ବୁଲାନ୍ସ ହେବା ପରଠାରୁ ସୁନ୍ଦରବନ ଭିତରେ ରହୁଥିବା ଦୁର୍ଗମ ଗାଁରେ ବଢିଛି ସ୍ୱାସ୍ଥ୍ୟ ପ୍ରତି ସଚେତନତା । କ୍ବାକ୍ ନିକଟକୁ ନ ଯାଇ ସେମାନେ ବୋଟ କ୍ଲିନିକ ଆସୁଛନ୍ତି । ସେଠାରେ ମାଗଣାରେ ରକ୍ତ ପରୀକ୍ଷା ,ମ୍ୟାଲେରିଆ ,ଡେଙ୍ଗୁ ଓ ଜଷ୍ମା ରୋଗ ର ମାଗଣା ଔଷଧ ସହିତ ଛୋଟ ଛୋଟ ସର୍ଜରୀ ସୁବିଧା ମିଳିପାରୁଛି ।
ବିକାଶ କହନ୍ତି ଏଠିକାର ଲୋକ ଭାରି ଗରିବ ଓ ସରଳ । ସାମାନ୍ୟ ଜ୍ୱର ପାଇଁ ସେମାନେ ଶଯ୍ୟାରେ ପଡି ପଡି କଷ୍ଟ ସହୁଥିଲେ । ନଦୀର ପ୍ରଖର ସୁଅରେ ବୋଟ ଯାତ୍ରା କରି ମେଡିକାଲକୁ ଯିବା ସେମାନଙ୍କ ପକ୍ଷରେ ସମ୍ଭବ ନଥିଲା । ଡାକ୍ତରଖାନା ଯିବା ବାଟରେ ଅନେକଙ୍କ ମୃତ୍ୟୁ ଘଟୁଥିବା ଦେଖିବା ପରେ ବୋଟ କ୍ଲିନିକ ର ପରିକଳ୍ପନା ହୋଇଥିବା କହିଛନ୍ତି ଏହି ଦମ୍ପତ୍ତି । ଏବେ ସୁନ୍ଦରବନ ଅଂଚଳର ୨୦ ଖଣ୍ଡ ଗାଁ ଲୋକଙ୍କ ପାଇଁ ଏକମାତ୍ର ଭରସା ବୋଟ କ୍ଲିନିକ ।