ମୁମ୍ବାଇ: ପୁନଃ ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ ଆସିଛି। ବିଲ୍କୁ ନେଇ ସଂସଦରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଉଦ୍ଧବ ଠାକରେଙ୍କ ଶିବସେନା (UBT) ନିଜ ସମସ୍ତ ଲୋକସଭା ସାଂସଦଙ୍କୁ ତିନି ଧାଡ଼ିଆ ହ୍ୱିପ୍ ଜାରି କରିଛି। ଏଥିରେ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଥିବା ୬ ଜଣ ସାଂସଦ ମଧ୍ୟ ସାମିଲ ଅଛନ୍ତି।
ନଭେମ୍ବର ୨୯ ତାରିଖ ଅପରାହ୍ନ ୪ଟାରେ ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ଉପସ୍ଥିତ ରହିବାକୁ ସାଂସଦମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନୁମତି ବିନା ଅନୁପସ୍ଥିତ ରହିଲେ ଦଳବଦଳ ନିରୋଧୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଛି।
ଶିବସେନା (UBT) ସାଂସଦ ଅରବିନ୍ଦ ସାୱନ୍ତଙ୍କ କହିବା ଅନୁସାରେ, ଲୋକସଭା ବାଚସ୍ପତି କେବଳ ୬ ଜଣ ସାଂସଦଙ୍କୁ ଅଲଗା ବସିବାକୁ ଅନୁମତି ଦେଇଛନ୍ତି। ସେମାନଙ୍କ ଦଳ ପରିବର୍ତ୍ତନକୁ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ସୁପ୍ରିମକୋର୍ଟରେ ମଧ୍ୟ ଏହି ମାମଲାର ରାୟ ଆସିନାହିଁ। ତେଣୁ ଏହି ସାଂସଦମାନେ ଏବେ ବି ଦଳର ନିର୍ଦ୍ଦେଶ ମାନିବାକୁ ବାଧ୍ୟ ବୋଲି ଉଦ୍ଧବ ଗୋଷ୍ଠୀ ଦାବି କରିଛି।
ଏହି ୬ ସାଂସଦ ହେଲେ ଓମପ୍ରକାଶ ରାଜେ ନିମ୍ବାଲକର, ଭାଉସାହେବ ୱାକଚୌରେ, ସଞ୍ଜୟ ଯାଧବ, ସଞ୍ଜୟ ଦେଶମୁଖ, ସଞ୍ଜୟ ଦିନା ପାଟିଲ ଓ ନାଗେଶ ପାଟିଲ ଆଷ୍ଟିକର। ଅନ୍ୟପଟେ ଏକନାଥ ଶିନ୍ଦେଙ୍କ ଶିବସେନା ମଧ୍ୟ ଏହି ୬ ସାଂସଦଙ୍କ ସମେତ ନିଜ ସାଂସଦଙ୍କୁ ହ୍ୱିପ୍ ଜାରି କରିଛି। ଫଳରେ ଗୋଟିଏ ପଟେ ପୁନଃ ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ରାଜନୈତିକ ଲଢ଼େଇ ଚାଲିଥିବା ବେଳେ ଅନ୍ୟପଟେ ୬ ସାଂସଦଙ୍କୁ ନେଇ ଦୁଇ ଶିବସେନା ମଧ୍ୟରେ ଆଇନଗତ ବିବାଦ ତୀବ୍ର ହୋଇଛି।
Also Read: ଷ୍ଟାଲିନଙ୍କ ପରେ ପୁନଃ ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ CM ବିଜୟଙ୍କ ବଡ଼ ବୟାନ, ରାହୁଲ ଗାନ୍ଧୀଙ୍କୁ ଦେଲେ ସମର୍ଥନର ଭରସା !