ଭୁବନେଶ୍ୱର: ବିଜେଡ଼ିକୁ କୌଣସି ବାହ୍ୟ ଶକ୍ତି ଦୁର୍ବଳ କରିବାକୁ ଚେଷ୍ଟା କଲେ ତାକୁ ବରଦାସ୍ତ କରାଯିବନି । ନବୀନ ପଟ୍ଟନାୟକ ଏବେବି ସର୍ବମାନ୍ୟ ନେତା ଅଟନ୍ତି । ନେତାଙ୍କ ଛବିକୁ ମଳିନ କରିବାକୁ ସମସ୍ତେ ଚାହାଁନ୍ତି, କିନ୍ତୁ ତାହାକୁ ଆମେ ସୁଯୋଗ ଦେବୁନି । ହୋଟେଲ୍ କ୍ରିଷ୍ଟାଲ କ୍ରାଉନରେ ବସିଥିବା ବୈଠକ ପରେ ସୂଚନା ଦେଇଛନ୍ତି ବିଜେଡ଼ିର ବରିଷ୍ଠ ନେତା ଶଶିଭୂଷଣ ବେହେରା ।
ବୁଧବାର ଦିନ ସୂର୍ଯ୍ୟଙ୍କ ତେଜ ଯେତେ ବଢ଼ୁଥିଲା ରାଜନୈତିକ ପାଣିପାଗ ଧିରେ ଧିରେ ସେତେ ସରଗରମ ହେଉଥିଲା । ପୂର୍ବାହ୍ନ ପ୍ରାୟ ୧୧ଟା ପାଖାପାଖି ଗୋଟିଏ ପରେ ଗୋଟିଏ ବିଜେଡ଼ି ନେତାଙ୍କ ଗାଡ଼ି ଆସି ହୋଟେଲ୍ କ୍ରିଷ୍ଟାଲ୍ କ୍ରାଉନରେ ଲାଗିଥିଲା । ଦଳର ବହୁ ବରିଷ୍ଠ ନେତା ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ନୃସିଂହ ସାହୁ, ପ୍ରସନ୍ନ ଆଚାର୍ଯ୍ୟ, ଭୂପିନ୍ଦର ସିଂହ, ରୁଦ୍ର ମହାରଥୀ, ସରସ୍ୱତୀ ହେମ୍ବ୍ରମ୍ ଏବଂ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ହୋଟେଲରେ ରୁଦ୍ଧ ଦ୍ୱାର ବୈଠକ କରିଥିଲେ । ଏହା ପରେ ପ୍ରାୟ ସାଢ଼େ ୧୨ଟା ବେଳକୁ ସମସ୍ତ ନେତା ହୋଟେଲ ରୁମରୁ ବାହାରିଥିଲେ । କିନ୍ତୁ କେହି ପଦୁଟିଏ ବି ମୁହଁ ଖୋଲି ନ ଥିଲେ । କେବଳ ଶଶି ଭୂଷଣ ବେହେରା ହିଁ ପ୍ରତିକ୍ରିୟା ରଖିଥିଲେ ।
ଶ୍ରୀଯୁକ୍ତ ବେହେରା ଦଳରେ ବାହ୍ୟ ଶକ୍ତିର ପ୍ରଭାବ ଥିବା ନେଇ ପରୋକ୍ଷରେ ଇଙ୍ଗିତ କରିଥିଲେ । ସେ କହିଛନ୍ତି, ବିଜେଡ଼ି କିମ୍ବା ନବୀନ ପଟ୍ଟନାୟକଙ୍କୁ ବାହ୍ୟ ଶକ୍ତି ଦୁର୍ବଳ କରିବାକୁ ଚେଷ୍ଟା କଲେ ତାକୁ ବରଦାସ୍ତ କରାଯିବନି । ନବୀନ ପଟ୍ଟନାୟକ ଏବେବି ଓଡ଼ିଶାରେ ସର୍ବମାନ୍ୟ ନେତା ଅଟନ୍ତି । ନେତାଙ୍କ ଛବିକୁ ମଳିନ କରିବାକୁ ସମସ୍ତେ ଚାହାଁନ୍ତି, କିନ୍ତୁ ତାହାକୁ ଆମେ ସୁଯୋଗ ଦେବୁନି । ସଭାପତିଙ୍କ ଅବଗତିରେ ବୈଠକ ବସିଥିଲା ବୋଲି କହିଥିଲେ ବରିଷ୍ଠ ନେତା ।
କିନ୍ତୁ ଏହି ବୈଠକରେ ପ୍ରତାପ ଜେନା, ପ୍ରତାପ ଦେବ, ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ନ ଥିଲେ । ସେହି ସମୟରେ ପ୍ରତାପ ଦେବଙ୍କ ବାସଭବନରେ ଆଉ ଏକ ଅଲଗା ବୈଠକ ବସିଥିବା ଜଣାପଡ଼ିଛି । ଏଥିରେ ପ୍ରତାପ ଜେନା, ଅରୁଣ ସାହୁ, ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଅଛନ୍ତି ।
ସେପଟେ ଦେବାଶିଷ ସାମନ୍ତରାୟଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ଆଲୋଚନାରେ ମସଲା ଭରିଛି । ଯେଉଁମାନେ ବିଜୁ ଜନତା ଦଳରେ ଯୋଗ ଦେଇ କିଛି ପଦ ପଦବୀ ପାଇଛନ୍ତି, ସେମାନେ ନା ଏ ଦଳର ଇତିହାସ ଜାଣିଛନ୍ତି ନା ନବୀନ ବାବୁଙ୍କ ନା ବିଜୁ ବାବୁଙ୍କ ଆଦର୍ଶ ଜାଣିଛନ୍ତି । କିଛି ନେତା ଓ ନେତ୍ରୀମାନେ ନବୀନ ବାବୁଙ୍କ ଆଦର୍ଶ, ଧର୍ମନିରପେକ୍ଷତା ଓ ଓଡ଼ିଶାପ୍ରତି ପ୍ରତିବଦ୍ଧତା ସହ ଅପରିଚିତ । ସେମାନେ ଆଉ କାହା ଈଶାରାରେ ପରିଚାଳିତ । ଓଡ଼ିଆ ଅସ୍ମିତା ପାଇଁ ଗତ ନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ହେଲା ବୋଲି ସେ କହିଛନ୍ତି ।