ସମ୍ବଲପୁର: ସମ୍ବଲପୁରର ଦୁଇ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ପୁଲିସ ଆଜିଠାରୁ ୩ ଦିନ ରିମାଣ୍ଡରେ ନେଇଛି । ହାଇୱା ଡ୍ରାଇଭର ପ୍ରସନ୍ନ କୁମାର ଜେନାମଣି(୩୦) ବୟାନରେ ତାଳମେଳ ରହୁ ନ ଥିବାରୁ ତାକୁ ରିମାଣ୍ତରେ ନେଇ ଅଧିକ ପଚରାଉଚରା କରାଯାଉଛି । ଅଭିଯୁକ୍ତକୁ ପ୍ରଥମେ ବୁର୍ଲା ଥାନାକୁ ନେଇ ଜେରା କରାଯାଉଥିବା ଜଣାପଡ଼ିଛି । ପୋଲିସ ୭ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ ୩ଦିନ ରିମାଣ୍ଡ ପାଇଁ କୋର୍ଟଙ୍କ ଅନୁମତି ମିଳିଛି।
ଗତକାଲି ଦିନ ତମାମ ଅଭିଯୁକ୍ତ ଡ୍ରାଇଭରକୁ ଜେରା କରାଯାଇଥିଲା । ସେ ଦୁଇ ନେତାଙ୍କୁ କାରକୁ ଧକ୍କା ଦେଇଥିବା ସ୍ୱୀକାର କରିଥିଲା । କିନ୍ତୁ ସେ ବାରମ୍ବାର ବୟାନ ବଦଳାଉଥିବା ଦେଖାଯାଇଥିଲା । ଅଭିଯୁକ୍ତ କହିଛି ଯେ, ଶନିବାର ରାତ୍ରିରେ ମୋର ଅନ୍ୟ ଏକ ଗାଡି ସହିତ ଝଗଡ଼ା ହୋଇଥିଲା। ମୁଁ ସେହି କାରକୁ ସେହି ଗାଡି ଭାବି ଧକ୍କା ଦେଇଥିଲି। ମୁଁ ହିଣ୍ଡାଲକୋରୁ ପାଉଁଶ ବୋଝେଇ କରି ବରଗଡ଼ ଅଞ୍ଚଳକୁ ଯାଉଥିଲି। ମୋର ଟିକିଏ ଆଖି ଲାଗି ଯାଇଥିଲା। ଗାଡିର ବାମ ପଟରେ ବାଜିଛି। ଭୂଲରେ ବାଜି ଯାଇଛି ।
ମୁଁ ୨୦୦୭ ରୁ ଗାଡି ଚଳାଉଥିବା ବେଳେ ଏଭଳି କେବେ ହୋଇ ନାହିଁ। ସେମାନେ ଏନଏଚରୁ ଭିତରକୁ ଯାଇଥିବା ବେଳେ ମୁଁ ଆଗକୁ ଯାଇ ଫେରି ଆସିଥିଲି। କାରଟି ଓଲଟି ପଡ଼ିବାରୁ ମୁଁ ଘଟଣାସ୍ଥଳରେ ଓହ୍ଲାଇ ଗାଡି ମଧ୍ୟରୁ ୨ ଜଣଙ୍କୁ ବାହାର କରିଥିଲି। ଗାଡି ବାଜି ଗଲା ତ ବାଜି ଗଲା। ମୁଁ ଜାଣିକି କାହାରିକୁ ମାରି ନାହିଁ, ଏଣୁ ମୋର ଦୁଃଖ ନାହିଁ। ଲୋକ ମରି ଯାଇଥିବାରୁ ପାପ କରିଛି । ମୋର ଆଖି ଲାଗି ଯିବାରୁ ଗାଡି ବାଜି ଯାଇ ଥିଲା। ମୁଁ ନିଶା କରି ନ ଥିଲି। ମୁଁ କିଛି ଲୁଚାଉ ନାହିଁ ବୋଲି ଅଭିଯୁକ୍ତ ପ୍ରସନ୍ନ କହିଛି । ଏହା ପୂର୍ବରୁ କହିଥିଲା ଯେ ଇଚ୍ଛା ହେଲା ମାରିଦେଲି ।
ଅନ୍ୟପକ୍ଷରେ ତାର ମୋବାଇଲ ଫୋନ୍ ମଧ୍ୟ ମିଳୁ ନାହିଁ । ସେପଟେ ସିସିଟିଭି ଫୁଟେଜରେ ସେ ବାରମ୍ବାର ନେତାଙ୍କ ଗାଡ଼ିକୁ ଧକ୍କା ଦେଉଥିବା ଦେଖାଯାଉଛି । ତେଣୁ ଏହା ଏକ ହତ୍ୟାକାଣ୍ଡ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି ।