ଭୁବନେଶ୍ୱର: ଆଜି ଛାତ୍ର ସଂସଦ ନିର୍ବାଚନ ଦାବିରେ ଛାତ୍ର କଂଗ୍ରେସ ତରଫରୁ ଆନ୍ଦୋଳନ କରାଯାଇଛି । ଆନ୍ଦୋଳନକାରୀ ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ଫଳରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ପୋଲିସ କିଛି ଛାତ୍ର ନେତାଙ୍କୁ ଉଠାଇ ନେଇଛି ।
ବୁଧବାର ଛାତ୍ର ସଂସଦ ନିର୍ବାଚନ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଗର୍ଜିଛି ଛାତ୍ର କଂଗ୍ରେସ । ଦଳର ଏକ ବିରାଟ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରିଥିଲା । ଦଳର ସଭାପତି ଉଦିତ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଶହ ଶହ ଛାତ୍ରଛାତ୍ରୀ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ଅଧା ବାଟରେ ଅଟକାଇଥିଲା । ଏହାରି ମଧ୍ୟରେ ଆନ୍ଦୋଳନକାରୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଆନ୍ଦୋଳନକାରୀ ପୋଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଶେଷରେ ପୋଲିସ କିଛି ଛାତ୍ର ନେତାଙ୍କୁ ଉଠାଇ ନେଇଥିବା ଜଣା ପଡ଼ିଛି । ରାଜ୍ୟରେ ଚଳିତ ବର୍ଷ ଛାତ୍ର ନିର୍ବାଚନ କରିବାକୁ ଦାବି କରାଯାଇଛି ।
ଏଠାରେ କହି ରଖୁଛୁ, ଦୀର୍ଘ ଆଠ ବର୍ଷ ହେଲା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ତତ୍କାଳୀନ ବିଜେଡ଼ି ସରକାର ବିଭିନ୍ନ ଆଳ ଦେଖାଇ ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖିଥିଲା । ମାତ୍ର ବିଜେପି ସରକାର ଆସିବା ପରେ ତେବେ ଆସନ୍ତା ବର୍ଷ ରାଜ୍ୟର ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ତେବେ ଏହା ପୂର୍ବରୁ ଏବିଭିପି ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବି ଜଣାଇ ସାରିଛି ।