ମୋଦୀ ଶ୍ରେୟ ନେଇଯିବେ ବୋଲି ନବୀନଙ୍କ ଦେହ ସହୁନି - ଧର୍ମେନ୍ଦ୍ର ପ୍ରଧାନ
Khabar Odisha:politics-odisha-state-dharmendra-pradhan-targeted-naveen-from-sambalpur
ସମ୍ବଲପୁର, ଏପ୍ରିଲ ୧୬(ଖବର ଓଡିଶା) –

ଗରିବଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବିକାଶ ଯୋଜନା ତଥା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା  ଓଡିଶାରେ ଲାଗୁ ହେଉନାହିଁ । କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶ୍ରେୟ ନେଇଯିବେ ସେଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେହ ସହୁନି ବୋଲି ସମ୍ବଲପୁର ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ବିଶାଳ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଦିଲ୍ଲୀ ଓ ଭୁବନେଶ୍ୱରରେ ମୋଦୀଙ୍କ ଡବଲ ଇଞ୍ଜିନର ସରକାର ଓଡିଶା ଲୋକଙ୍କ ସବୁ ଆକାଂକ୍ଷାକୁ ପୂରଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।      

୧୯ ବର୍ଷରେ କଣ ଉପଲବ୍ଧି ହେଲା ତାହା ବିଷୟରେ ନକହି ନବୀନ ବାବୁ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରେଇନଦେବାର ନାରା ଦେଉଛନ୍ତିା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡରିଯାଇଛନ୍ତି । କେତେବେଳେ ସମଦୂରତା ରଖିବାକୁ କହୁଥିବା ବେଳେ କେତେବେଳେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରେଇ ଦେବୁନାହିଁ ବୋଲି ନାରା ଦେଉଛନ୍ତି । ଆଉ କେତେବେଳେ ଯେ ଓଡିଶାକୁ ସାହାର୍ଯ୍ୟ କରିବ ତାକୁ ସମର୍ଥନ ଦେବେ ବୋଲି ନବୀନ ବାବୁ କହୁଛନ୍ତି । ଚଳିତ ନିର୍ବାଚନରେ ଓଡିଆ ଲୋକ ସିଧାସିଧା ନରେନ୍ଦ୍ର ମୋଦୀଙ୍କ ସାଙ୍ଗରେ ରହିବେ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ୧୯ ବର୍ଷ ହେଲା ଅପାରଗ ସ୍ଥାଣୁ, ଭ୍ରଷ୍ଟ ଓ ସମ୍ବେଦନହୀନ ସରକାର ଚାଲିଛି ।  ନବୀନ ବାବୁ ୧୯ ବର୍ଷ ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ରାଜ୍ୟରେ ବିଶୁଦ୍ଧ ପାଣି ମୁନ୍ଦେ ପାଇପରେ ଆସୁନାହିଁ, ଜଳସେଚନ ପାଇଁ ପାଣି ନାହିଁ, ଚାଷୀ ଘୋର ଅସୁବିଧାରେ ଅଛି, ଶିକ୍ଷକ ନାହାନ୍ତି, ୨୪ ଘଂଟା ବିଜୁଳି ନାହିଁ, ଓଡିଆ ଯୁବକ ବାହର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି । ଅପରପକ୍ଷରେ ଓଡିଶାରେ ନରେନ୍ଦ୍ର ମୋଦି ଓଡିଶାର ଗରିବଙ୍କ ପାଇଁ ୧୦ ଲକ୍ଷ ଘର ଉପଲବ୍ଧ କରିଛନ୍ତି, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରେ ବିଜୁଳି ପହଁଚିଛି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୦ ଲକ୍ଷ ଘରେ ମାଗଣାରେ ଗ୍ୟାସ ଲାଗିଛି, ୫୦ ଲକ୍ଷ ଶୌଚାଳୟ ନିର୍ମାଣ ହୋଇଛି ।  ଓଡିଶାରେ ମହିଳାମାନେ ସବୁଠୁ ଅତ୍ୟାଚାରିତ । ଗତ ୪୮ ଘଂଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଘର ଠାରୁ ମାତ୍ର ୨୫ ରୁ ୩୦ କିମି ଦୂରରେ ଖୋର୍ଦ୍ଧା ଜଟଣୀରେ ୬ ବର୍ଷର ଶିଶୁ ଦୁଷ୍କର୍ମର ଶୀକାର ହେବା ପରେ ତାକୁ ହତ୍ୟା କରାଯାଇଛି । ସେହିପରି ଖୋର୍ଦ୍ଧାରେ ବିଜେପି କାର୍ଯ୍ୟକର୍ତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଛି । ରାଜ୍ୟରେ ଅପରାଧ ବଢିଚାଲିଛି ।      

ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ କାଳିଆ ଯୋଜନା ନାଁରେ ପ୍ରହସନ ଚାଲିଛି । ଚାଷୀ ପରିର୍ତେ ସରକାରୀ ଦଳର ନେତା, ମନ୍ତ୍ରୀ କାଳିଆର ଲାଭାର୍ଥୀ । ଓଡିଆ ଲୋକ ଉପରେ ମୁଣ୍ଡପିଛା ଋଣ ୨୯ ହଜାର ଟଙ୍କା ହେଲାଣି, ଓଡିଶାରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଭାର ବଢିଲାଣି । ମାତ୍ର ନବୀନ ବାବୁଙ୍କର ପ୍ରଚାର ସର୍ବସ୍ୱ ରାଜନୀତି ଶେଷ ହେଉନାହିଁ । ଓଡିଶାରେ ବିଜେପି ସରକାର ଆସିଲେ ୨୦୨୨ ସୁଦ୍ଧା ସବୁ ଗରିବ ପରିବାରକୁ ସ୍ଥାୟୀପଟ୍ଟା ଓ ପକ୍କା ଘର ଦିଆଯିବ, ରୋଜଗାର ଓ ସ୍ୱରୋଜଗାରର ବ୍ୟବସ୍ଥା କରାଯିବ, ୧ ଲକ୍ଷ କୋଟି ଟଙ୍କା ଜଳସେଚନର ବ୍ୟବସ୍ଥା କରାଯିବ, ଯୁକ୍ତ ଦୁଇ ମେଧାବୀ ଛାତ୍ରୀଙ୍କୁ ମୋଦି ସରକାର ତରଫରୁ ସ୍କୁଟି ଦିଆଯିବ, ଏସଏସଜି ମହିଳାଙ୍କ ଋଣଛାଡ ସହ ବ୍ୟବସାୟ ପାଇଁ ବିନା ସୁଧରେ ଋଣ ଦିଆଯିବ,  ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯିବ, ଗ୍ରାମାଂଚଳର ବିକାଶ ପାଇଁ ୧ଲକ୍ଷ  କୋଟି ଟଙ୍କା ଖର୍ଚ୍ଚ କରାଯିବ ।ନବୀନ ବାବୁ ଓଡିଶାର ଚାବି ସମ୍ଭାଳୁ ପାରୁନାହାନ୍ତି, ରତ୍ନଭଣ୍ଡାରର ଚାବି ହଜେଇଦେଲେ, ଏଥିରେ ସେ ଦିଲ୍ଲୀର ଚାବି ସମ୍ଭାଳିବା କଥା କହୁଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଏଥର ନିର୍ବାଚନ ଦେଶକୁ କିଏ ସୁରକ୍ଷିତ ରଖିବ, କିଏ ଗରିବଙ୍କ କଲ୍ୟାଣ କରିବ, କିଏ ମହିଳାଙ୍କ ସମ୍ମାନ ବଢାଇବ, କିଏ ଯୁବକଙ୍କ ରୋଜଗାର ବଢାଇବ, ତା’ର ନିର୍ବାଚନ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

  • Tags:

Subscribe

National International State Sports Entertainment