ଖବର ଓଡ଼ିଶା: ଏମଏସପି ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ବହୁ ଅସନ୍ତୋଷ ଦେଖାଦେଇଛି । ଏମଏସପିକୁ ନେଇ ମୋଦୀ ସରକାରକୁ ଘେରୁଥିବା ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏ ନେଇ ରାଜ୍ୟସଭାର ପ୍ରଶ୍ନକାଳ ବେଶ ସରଗରମ ରହିଥିଲା ।
ପ୍ରଶ୍ନକାଳରେ ସମାଜବାଦୀ ପାର୍ଟି (ଏସପି) ସାଂସଦ ରାମଜୀ ଲାଲ ସୁମନ ୨୦୦୦, ୧୨ ଜୁଲାଇରେ କୃଷକଙ୍କ ସମସ୍ୟା ଉପରେ ଗଠିତ କମିଟିର ବୈଠକର ବିବରଣୀ ବିଷୟରେ ପଚାରିଥିଲେ । ସାଂସଦ ସରକାରଙ୍କୁ ପଚାରିଥିଲେ ଯେ ସରକାର କେବେ ଚାଷୀଙ୍କୁ ଏମଏସପି ଦେବେ? ଏହି ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ କୃଷକ ଆମ ପାଇଁ ଭଗବାନଙ୍କ ତୁଲ୍ୟ ଏବଂ କୃଷକଙ୍କ ସେବା ଆମ ପାଇଁ ପୂଜା ଭଳି । ସେ କହିଛନ୍ତି ଯେ ଏହି କମିଟି ତିନୋଟି ଉଦ୍ଦେଶ୍ୟ ସହିତ ଗଠିତ ହୋଇଛି - ଏମଏସପି ଯୋଗାଇବା ଏବଂ କୃଷି ମୂଲ୍ୟ ତଥା କୃଷି ବଣ୍ଟନ ବ୍ୟବସ୍ଥାରେ ଅଧିକ ସ୍ୱାଧୀନତା ପାଇଁ ପରାମର୍ଶ ଦେବା ସହିତ ସିଷ୍ଟମକୁ ସ୍ଵଚ୍ଛ କରିବା। ଏଯାବତ କମିଟିର ୨୨ଟି ବୈଠକ ଅନୁଷ୍ଠିତ ହୋଇଛି ବୋଲି କୃଷି ମନ୍ତ୍ରୀ କହିଛନ୍ତି । କମିଟି ଦେଇଥିବା ସୁପାରିଶକୁ ବିଚାର କରାଯିବ । ଏହାକୁ ପ୍ରତିବାଦ କରି ରାମଜୀ ଲାଲ ସୁମନ କହିଥିଲେ ଯେ ଏହା ଏକ ଅନିଶ୍ଚିତତାର ପରିବେଶ । ଏହା କେବେ ଦୂର ହେବ ? କୃଷକମାନଙ୍କୁ ଭଗବାନ ବୋଲି କହୁଥିବା ଏହି ଲୋକମାନଙ୍କର କୃଷକମାନଙ୍କ ସହିତ କୌଣସି ସମ୍ପର୍କ ନାହିଁ ବୋଲି ବିରୋଧୀ ସଦସ୍ୟ କହିଥିଲେ ।
ଯେତେବେଳେ କୃଷି ମନ୍ତ୍ରୀ ଉତ୍ତର ଦେଉଥିଲେ, ସେତେବେଳେ କଂଗ୍ରେସ ସାଂସଦ ରଣଦୀପ ସୁରଜେୱାଲା ତାଙ୍କ ଆସନରୁ ଉଠି ବିଷୟକୁ ବଙ୍କାଇ ବଙ୍କାଇ କହିବା ପରିବର୍ତ୍ତେ ଏମଏସପି ଉପରେ ସିଧାସଳଖ ଉତ୍ତର ଦେବାକୁ କହିଥିଲେ ଏବଂ ଏମଏସପି ଆଇନ କେବେ କାର୍ଯ୍ୟକାରୀ ହେବ ତାହା ଜଣାଇବାକୁ ସରକାରଙ୍କୁ କହିଥିଲେ । ଏହା ପରେ ବିରୋଧୀ ସାଂସଦମାନେ ନାରାବାଜୀ ଦେବା ଆରମ୍ଭ କରିଦେଇଥିଲେ । ଏହା ପରେ ରାଜ୍ୟସଭା ଅଧ୍ୟକ୍ଷ କଂଗ୍ରେସ ସାଂସଦମାନଙ୍କୁ ନିଜ ନିଜ ପକେଟ ଭିତରକୁ ଦେଖିବା ଉଚିତ୍ ବୋଲି କହିଥିଲେ ।
ନାରାବାଜୀ ମଧ୍ୟରେ ଶିବରାଜ ସିଂ ଚୌହାନ ପୁଣି ଥରେ ଉତ୍ତର ଦେବା ଆରମ୍ଭ କରିଥିଲେ । ଏହା ପରେ ସେ ଗୃହରେ କଂଗ୍ରେସ କାର୍ଯ୍ୟକାଳର ସମସ୍ତ କୃଷି ମନ୍ତ୍ରୀଙ୍କ ବିବୃତ୍ତି ପଢ଼ିଥିଲେ, ଯାହା ୟୁପିଏ କାର୍ଯ୍ୟକାଳ ମଧ୍ୟରେ ଏମଏସପି ସହ ଜଡିତ ପ୍ରସଙ୍ଗରେ ଦିଆଯାଇଥିଲା । ୟୁପିଏର କାର୍ଯ୍ୟକାଳ ମଧ୍ୟରେ କରାଯାଇଥିବା ଏମଏସପି କ୍ରୟ ଏବଂ ଏନଡିଏର କାର୍ଯ୍ୟକାଳ ମଧ୍ୟରେ କରାଯାଇଥିବା କ୍ରୟ ବିଷୟରେ ମଧ୍ୟ କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି ।