ଭୁବନେଶ୍ୱର: ବିଜୁ ଜନତା ଦଳରେ ବଡ଼ ଭୂକମ୍ପ ହେବାକୁ ଯାଉଛି । ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ଆର୍. ପାଣ୍ଡିଆନ ରାଜନୀତିରେ କରିବେ ଏଣ୍ଟ୍ରି । ସୁଜାତା ପାଣ୍ଡିଆନ ବିଜେଡ଼ିରେ ସାମିଲ ହେବା ନେଇ ବଡ଼ ଇଙ୍ଗିତ କରିଛନ୍ତି ଦଳୀୟ ନେତା ମନ୍ମଥ ରାଉତରାୟ ।
ମନ୍ମଥ ଆଜି ସାମ୍ବାଦିକମାନଙ୍କୁ ଏକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆମ ସମସ୍ତଙ୍କର ଇଚ୍ଛା ସୁଜାତା ପାଣ୍ଡିଆନ ବିଜେଡ଼ିକୁ ଆସନ୍ତୁ । ସୁଜାତା ଦଳକୁ ଆସିବା ଶତ ପ୍ରତିଶତ ସତ ଅଟେ । ଯଦି ସେ ଦଳକୁ ଆସନ୍ତି ତାଙ୍କୁ ରେଡ୍ କାର୍ପେଟ୍ ଉପରେ ସ୍ୱାଗତ କରାଯିବ । ମନ୍ମଥ ସୁଜାତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ତାଙ୍କର ଦକ୍ଷତା, ଜ୍ଞାନ, ବୁଦ୍ଧି ଏବଂ ଅନୁଭବ ସରକାରୀ ଦଳର ସିଷ୍ଟମକୁ ଦୋହଲାଇ ଦେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମନ୍ମଥ । ସୁଜାତା ଦଳକୁ ଆସନ୍ତୁ ନବୀନ ବାବୁ ଚାହୁଁଛନ୍ତି । କିନ୍ତୁ ସୁଜାତା ରାଜି ନ ଥିଲେ । ଗଣମାଧ୍ୟମରେ ହେଉଥିବା ପ୍ରଚାର ଯୋଗୁଁ ସେ ରାଜନୀତିକୁ ଆସିବାକୁ ଚାହୁଁ ନ ଥିଲେ । ମାତ୍ର ବର୍ତ୍ତମାନ ଧିରେ ଧିରେ ସେ ରାଜନୀତିକୁ ଢଳୁଥିବା ସୂଚନା ମିଳିଛି । ଯଦି ସୁଜାତା ଆସିବେ କୌଣସି ପଦବୀ ନେବେ ନାହିଁ କି ଉତ୍ତରାଧିକାରୀ ହେବେ ନାହିଁ । ସେ ଜଣେ ସାଧାରଣ କର୍ମୀଭାବେ ଓଡ଼ିଶାର ବିକାଶ ପାଇଁ କାମ କରିବେ ।
ମନ୍ମଥ ରାଉତରାୟଙ୍କ ମନ୍ତବ୍ୟରେ ହଁ ମାରିଛନ୍ତି ପ୍ରଶାନ୍ତ ମୁଦୁଲି । ସେ କହିଛନ୍ତି ଯେ ଆମ ସମସ୍ତଙ୍କର ଇଚ୍ଛା ଅଛି ସୁଜାତା ଦଳକୁ ଆସନ୍ତୁ । ସେ ଆସିଲେ ବହୁତ ଭଲ ହେବ ।
ନବୀନ ଗତକାଲି ଦିଲ୍ଲୀରୁ ଫେରିବା ପରେ ତୁରନ୍ତ ଏକ ବଡ଼ ବୈଠକ ପାଇଁ ଚିଠି କରାଯାଇଥିଲା । ପରାଜିତ ପ୍ରାର୍ଥୀଙ୍କୁ ନେଇ ଆସନ୍ତା ବୁଧବାର ବୈଠକ ହେବ । ଏହା ପୂର୍ବରୁ ସୁଜାତାଙ୍କ ଯୋଗ ଦାନ ଚର୍ଚ୍ଚା ହେବା ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି । ଦିଲ୍ଲୀରେ ଏ ବାବଦରେ ଏକ ବଡ଼ ଆଲୋଚନା ହୋଇଥିବା କୁହାଯାଉଛି । ବୈଠକ ପରେ ସୁଜାତା ପାଣ୍ଡିଆନ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି ।