ଖବର ଓଡ଼ିଶା: ରାଜ୍ୟରେ ହୋଇଥିବା ସମସ୍ତ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡର ସତ୍ୟତା ବିଜେଡ଼ି ସରକାର ଏକଛତ୍ରବାଦ ଶାସନରେ ଚାପି ହୋଇ ରହିଯାଇଛି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାରୁ ଆରମ୍ଭ କରି ମନ୍ତ୍ରୀ ନବ ଦାସଙ୍କ ହତ୍ୟାର କାରଣ ଏବେବି ସନ୍ଦେଦ ଘେରରେ ରହିଛି । ଏହି ବଡ଼ ବଡ଼ ହତ୍ୟାର ପର୍ଦ୍ଦାଫାସ କରିବ ବିଜେପି ସରକାର । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ, ଶିକ୍ଷୟିତ୍ରୀ ମମିତା ମେହର ଏବଂ ମନ୍ତ୍ରୀ ନବ କିଶୋର ଦାସଙ୍କ ଫାଇଲ ଖୋଲିବ ବିଜେପି ସରକାର । ଏ ସମସ୍ତ ହତ୍ୟାକାଣ୍ଡର ପୁନଃ ତଦନ୍ତ ହେବ ବୋଲି କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆ ସହ ଏକ ସାକ୍ଷାତକାରରେ ଏ ବାବଦରେ କହିଛନ୍ତି ଆଇନ ମନ୍ତ୍ରୀ ।
ନବ ଦାସ ବିଜେଡି ସରକାରରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଥିଲେ । ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିଲେ । ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଏଏସଆଇ ଗୋପାଳ ଦାସ ଦିନ ଦିପ୍ରହରରେ ଗୁଳି କରି ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡ ପଛରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା । ଏହି ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଜେଲରେ ଅଛି । କିନ୍ତୁ ଏହି ହତ୍ୟାକାଣ୍ଡ ପଛରେ ବଡ଼ ଷଡଯନ୍ତ୍ର ଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ଏ ମାମଲାର ପୁନଃ ତଦନ୍ତ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସାକ୍ଷାତକାରରେ କହିଛନ୍ତି ।
ସେହିପରି ୨୦୨୨ ମମିତା ମେହର ହତ୍ୟା ମାମଲା ଏବଂ ୨୦୦୮ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର ପୁନଃ ତଦନ୍ତ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ମମିତାଙ୍କ ହତ୍ୟା ମାମଲାରେ ତତକାଳୀନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । କିନ୍ତୁ ଏହି ମାମଲାରେ ଗୋବିନ୍ଦ ସାହୁ ଗିରଫ କରାଯାଇଥିଲା । ହେଲେ ଜେଲରେ ଥିବାବେଳେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିଲେ । ଯାହା ସାଧାରଣ ଲୋକଙ୍କ ସନ୍ଦେହକୁ ଆହୁରି ଦୃଢିଭୂତ କରିଥିଲା । ୨୦୦୮, ଅଗଷ୍ଟ ୨୩ କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା ।