ଭୁବନେଶ୍ୱର: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟ ବିଜେପିର ଭୀଷ୍ମ ପିତାମହ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ସୋମବାର ପରଲୋକ ଘଟିଛି । ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।
ତେବେ ଆଜି ଅପରାହ୍ନ ୪ଟା ୩୦ ମିନିଟରେ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପାର୍ଥିବ ଶରୀର ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିବ । ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କର ପାର୍ଥିବ ଶରୀର ପହଁଚିବା ପରେ ସେଠାରୁ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ବହୁ ନେତୃବୃନ୍ଦ ତାଙ୍କର ଶେଷ ଦର୍ଶନ କରିବେ । ଏହା ପରେ ଭୁବନେଶ୍ୱର ବାସଭବନରେ ତାଙ୍କର ପାର୍ଥିବ ଶରୀରକୁ ରଖାଯିବ । ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ଆଜି ସକାଳେ ଦେହାନ୍ତ ହୋଇଛି । ନୂଆଦିଲ୍ଲୀସ୍ଥିତ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ତାଙ୍କର ପରଲୋକ ଘଟିଛି । ତାଙ୍କର ପରଲୋକରେ ସାରା ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀରେ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଗୃହ ମନ୍ତ୍ରୀ ଅମିତ ଶାହ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା, ସାଂସଦ ସମ୍ବିତ ପାତ୍ର ପ୍ରମୁଖ ଶେଷ ଦର୍ଶନ କରିଛନ୍ତି ।