ନୂଆଦିଲ୍ଲୀ: ହରିୟାଣା ନିର୍ବାଚନର ଫଳାଫଳ ମଧ୍ୟରେ ବିଜେପିର ପୂର୍ବତନ ସାଂସଦ ତଥା ବାହୁବଳୀ ନେତା ବ୍ରିଜଭୂଷଣ ଶରଣ ସିଂ ମହିଳା ପହିଲମାନ ଭିନେଶ ଫୋଗାଟ୍ଙ୍କୁ ଟାର୍ଗେଟ୍ କରିଛନ୍ତି। ବ୍ରିଜଭୂଷଣ ହରିୟାଣାର ଜୁଲାନା ସିଟରୁ ଭିନେଶଙ୍କ ବିଜୟକୁ ବି ବେଇମାନି ବୋଲି କହିଛନ୍ତି। ସେ ଭିନେଶଙ୍କ ନାମ ନେଇ କହିଛନ୍ତି, ନିର୍ବାଚନ ଜିତିବାକୁ ଯୋଗ୍ୟ ନୁହନ୍ତି ଏହି ଖଳନାୟକ ପହିଲମାନ।
ବ୍ରିଜଭୂଷଣ କହିଛନ୍ତି, ସେ ତ ଜିତିଯିବେ କିନ୍ତୁ ତାହା ବେଇମାନି କରି କି। ଜୁଲାନା ସିଟରୁ ତ ସେ ଜିତିଗଲେ, କିନ୍ତୁ କଂଗ୍ରେସର ସତ୍ୟାନାଶ ହୋଇଗଲା। ଆମେ ହରିୟାଣାର ଜନତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ଯେଉଁଭଳି ଭାବେ କୃଷକ ଓ ପହିଲମାନ ଆନ୍ଦୋଳନ ନାମରେ ଲୋକଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରାଗଲା, ସେଥିରୁ ସ୍ପଷ୍ଟ ହୋଇ ଯାଇଥିଲା ଯେ ସେ ନାୟକ ନୁହେଁ ଖଳନାୟକ।
ଭିନେଶ ଫୋଗାଟ ସମେତ ଅନେକ ମହିଳା ପହିଲମାନ ବ୍ରିଜଭୂଷଣ ଶରଣ ସିଂଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଲଗାଇଥିଲେ। ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଏଫଆଇଆର ଦାବିରେ ଦୀର୍ଘ ସମୟ ଧରି ଦିଲ୍ଲୀରେ ପହିଲମାନଙ୍କ ଆନ୍ଦୋଳନ ଜାରି ରହିଥିଲା। ସେହି ସମୟରେ ବ୍ରିଜଭୂଷଣ ଶରଣ ସିଂ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଥିଲେ। ଯେଉଁଠି ଭିନେସ ପାଦ ରଖୁଛନ୍ତି, ସେଠି ସବୁ ସତ୍ୟାନାଶ ହୋଇ ଯାଉଛି। କଂଗ୍ରେସକୁ ଗଲେ, କଂଗ୍ରେସ ଏବେ ସତ୍ୟାନାଶ। ଏବେ କଂଗ୍ରେସରେ ଅନେକ ଗୋଷ୍ଠୀ ବିଭାଜନ ଦେଖାଦେବ ବୋଲି ବ୍ରିଜଭୂଷଣ କହିଛନ୍ତି।
ନିର୍ବାଚନରେ ଜିତିବା ପରେ ଭିନେଶ ଫୋଗାଟ କହିଛନ୍ତି, ମୁଁ କଂଗ୍ରେସ ପାର୍ଟିର ବିଶ୍ୱାସକୁ ବଜାୟ ରଖିବି । ଭିନେଶଙ୍କ ବିଜୟ ଉପରେ ବିଜେପିର ପୂର୍ବତନ ସାଂସଦ ବୃଜଭୂଷଣ ଶରଣ ସିଂହଙ୍କ ମଧ୍ୟ ବୟାନ ଆସିଛି । ବିଧାନସଭା ନିର୍ବାଚନ ପରିଣାମକୁ ନେଇ ବୃଜଭୂଷଣ ଶରଣ ସିଂହ ହରିୟାଣା ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ।