ଭୁବନେଶ୍ୱର: ଓଡ଼ିଶାରେ ବର୍ଷା କମିଥିଲା ବେଳେ ରାଜ୍ୟ ରାଜନୀତି ପାଣିପାଗ କିନ୍ତୁ ବେଶ ସରଗରମ ରହିଛି । ଦୁଇ ପ୍ରମୁଖ ଦଳ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳରେ ନେତା ଯୋଗ ଦେବାକୁ ଜୋର ସୋରରେ ବୟାନ ବାଜି ଜାରି ରହିଛି । ବିଜେଡ଼ିରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ଦଳର ଛବିକୁ ପଦାକୁ ପକାଇଥିବାବେଳେ ଅନେକ ବିରୋଧୀ ନେତା ଶାସକ ଦଳରେ ସାମିଲ ହେବେ ବୋଲି ବିଜେପି କହୁଛି । ସେପଟେ ବିରୋଧୀ ଦଳର ନେତାମାନେ ମଧ୍ୟ ମୁହଁ ଟାଣ କରି କହୁଛନ୍ତି କି ବିଜେପିର ଯଦି ତାକତ ଅଛି ବିଜେଡ଼ିକୁ ଖାଲି କରି ଦେଖାଅ । ଏହି ବୟାନ ବାଜି ମଧ୍ୟରେ ବିଜେଡ଼ି ଶେଷ ହୋଇଯିବ ବୋଲି ଭବିଷ୍ୟବାଣୀ କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି ।
ବିଜେପି ବିଧାୟକ ସନାତନ ବିଜୁଳି ଗୁରୁବାର ଗଣମାଧ୍ୟମ ସମ୍ମୁଖରେ ବଡ଼ ବୟାନ ରଖିଛନ୍ତି । ସେ କହିଛନ୍ତି ଯେ ବିରୋଧୀ ନେତା ନବୀନ ପଟ୍ଟନାୟକ କହୁଛନ୍ତି ପଦ ଯାତ୍ରା କରିବେ ଲୋକଙ୍କ ପାଖକୁ ଯିବେ । ତେଣୁ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି ୨୪ ବର୍ଷ କାଳ ସେମାନେ ଲୋକଙ୍କ ପାଖକୁ ଯାଇ ନାହାଁନ୍ତି, ବାହାଷ୍ପଟ ମାରି ଲୋକଙ୍କୁ ଭକୁଆ ବନାଉଥିଲେ । ଲୋକ ପ୍ରତ୍ୟାଖ୍ୟାନ କରିବାରୁ ଏବେ ଲୋକଙ୍କ ପାଖକୁ ଯିବେ ବୋଲି କହୁଛନ୍ତି । ତାଙ୍କର ଶେଷ ସମୟ ଆସି ଯାଇଛି, ଏବେ ଲୋକଙ୍କ ପାଖକୁ ଯିବାକୁ କହୁଛନ୍ତି ।
ସେହିପରି ଶ୍ରୀଯୁକ୍ତ ବିଜୁଳି ଆହୁରି କହିଛନ୍ତି ଯେ ଯେଉଁମାନେ ଚାହଁବେ ସେମାନେ ବିଜେପିକୁ ଆସି ପାରିବେ । ବିଜେଡ଼ିର ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେଡ଼ି ଶେଷ ହେବାକୁ ଯାଉଛି । କାରଣ ବିଜେପିକୁ ଛାଡ଼ି ଦେଲେ ଓଡ଼ିଶାରେ ଆଉ ବିକଳ୍ପ ନାହିଁ । କେବଳ ଓଡ଼ିଶାରେ ନୁହେଁ ବରଂ ଭାରତରେ ବିଜେପି ହେଉଛି ସମୁଦ୍ର, ତେଣୁ ନଦୀ ପରି ସବୁ ନେତାମାନେ ଆସି ବିଜେପି ସମୁଦ୍ରରେ ମିଶିବେ । ଆଗକୁ ସମୟ ଆସିବ, ବିଜେଡ଼ି ନିଜେ ନିଜେ ଭାଙ୍ଗିଯିବ ଏବଂ ତାକୁ ଭାଙ୍ଗିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଆଜି ବିଜେଡ଼ି ନେତା ବଦ୍ରି ନାରାୟଣ ପାତ୍ର ବିଜେପି ସଭାପତିଙ୍କୁ ଖୋଲା ଚ୍ୟାଲେଞ୍ଚ ଦେଇଛନ୍ତି । ଯଦି ତାକତ ଅଛି ବିଜେଡି ଖାଲି କରିକି ଦେଖାଅ ବୋଲି କହିଛନ୍ତି ବଦ୍ରି ପାତ୍ର । ବୟାନବାଜିରେ ଲାଭ ନାହିଁ, କାହା ମୁହଁରେ ହାତ ଦେଇ ହେବକି ? ସାରା ଭାରତରେ ବିଜେଡି ଏକ ବଡ଼ ଆଞ୍ଚଳିକ ଦଳ । ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ବଦ୍ରି ପାତ୍ର କହିଛନ୍ତି ।
ସୂଚନା ଯୋଗ୍ୟ, ଗତକାଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟକ୍ରମରେ ବିଜେପିକୁ ସମାଲୋଚନା କରିଥିଲେ । ବିଜେପି ମିଥ୍ୟା ପ୍ରତିଶ୍ରତି ଦେଇ ନିର୍ବାଚନ ଜିତିଛି । ସେମାନେ ବିଏସକେଓ୍ବାଇ ନାଁ ବଦଳାଇଛନ୍ତି, ଲୋକ ସବୁ ଜାଣନ୍ତି, ଆପଣ ନାଁ ଆଉ ରଙ୍ଗ ବଦଳାଇ ପାରନ୍ତି କିନ୍ତୁ ଇତିହାସ ବଦଳାଇ ପାରିବେନି । ମିଛ କହି ନିର୍ବାଚନ ଜିତିପାରନ୍ତି କିନ୍ତୁ ଲୋକଙ୍କ ହୃଦୟ କେବେ ହେଲେ ଜିତି ପାରିବେନି ବୋଲି କହିଥିଲେ ନବୀନ ।
ନବୀନ ମନ୍ତବ୍ୟର ପ୍ରତିକ୍ରିୟାରେ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ ବିଜେପିରେ ମିଶିବା ପାଇଁ ବହୁ ବିଜେଡି ନେତା ଆବେଦନ କରିଥିବା କହିଛନ୍ତି ମନମୋହନ । ତେଣୁ ଆଗକୁ ବିଜେଡି ଖାଲି ହୋଇଯିବ ବୋଲି ସେ କହିଛନ୍ତି । ବିଜେପିରେ ମିଶିବାକୁ ବହୁତ ଲୋକ ଆବେଦନ କରିବାକୁ ଆସୁଛନ୍ତି । ତାଙ୍କ ଦଳ ଶୂନ୍ୟ ହୋଇଯିବ ବୋଲି ସେ କହିଛନ୍ତି ।
ମନ ମୋହନ ସାମଲ ଆହୁରି ମଧ୍ୟ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶିଛନ୍ତି । ୨ ରାଜ୍ୟସଭା ସାଂସଦ ମମତା ମହାନ୍ତ ଏବଂ ସୁଜିତ କୁମାର ବିଜେଡ଼ି ଛାଡ଼ି ବିଜେପିରେ ମିଶିଛନ୍ତି । ଆଗକୁ ଆହୁରି ଅନେକ ନେତା ମିଶିବେ ବୋଲି ବିଜେପି ସଭାପତି ଦୃଢୋକ୍ତି କରିଛନ୍ତି । ସେମାନେ ନିଜ ଇଚ୍ଛାରେ ବିଜେପିରେ ମିଶିବାକୁ ନିବେଦନ କରୁଛନ୍ତି ।ମନମୋହନ ସାମଲ କହିଥିଲେ ଯେ ନବୀନ ପଟ୍ଟନାୟକ ୨୪ ବର୍ଷର ହିସାବ ଦିଅନ୍ତୁ । କେତେ ପ୍ରତିଶ୍ରୁତି ଦେଇଥିଲେ, କେତେ ପୂରଣ କରିଛନ୍ତି ପଦଯାତ୍ରା ବେଳେ ଲୋକଙ୍କୁ କୁହନ୍ତୁ । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିଛି । ଯଦି ନବୀନ ବାବୁ ଏହାକୁ ମିଛ ବୋଲି କହୁଛନ୍ତି, ତାହେଲେ ସତ କ’ଣ କୁହନ୍ତୁ ବୋଲି ବିଜେପି ସଭାପତି କହିଥିଲେ ।