ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ପୂର୍ବ ସରକାର ଉପରେ ବର୍ଷିଛନ୍ତି ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ସେପଟେ ପୂର୍ବ ସରକାର ଉକ୍ତ ବିଭାଗର ମନ୍ତ୍ରୀ ଥିବା ପ୍ରଦୀପ ଅମାତଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପଚନ୍ଦ୍ର ନାୟକ ।
ବିଜେପି ସଦସ୍ୟ ପ୍ରତାପ ନାୟକ ଗୃହର ପ୍ରଶ୍ନକାଳରେ କହିଥିଲେ ଯେ ବିଜେଡ଼ି ସରକାରରେ ମେଗା ପାନୀୟ ଜଳ ପ୍ରକଳ୍ପରେ ବଡ଼ ଦୁର୍ନୀତି ହୋଇଛି । ବିଗତ ସରକାରରେ ପ୍ରଧାନମନ୍ତ୍ରୀଙ୍କ ‘ହର ଘର୍ ଜଲ୍, ହର ଘର୍ ନଲ୍’ ଯୋଜନାରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା । ୨୦୭ଟି ପ୍ରକଳ୍ପ ପାଇଁ ୭ ଜଣ ଠିକାଦାରଙ୍କୁ ନିଯୁକ୍ତି କରିଥିଲେ ପୂର୍ବ ସରକାର । ସେ ପ୍ରକଳ୍ପଗୁଡ଼ିକ ୨୦୨୩-୨୪ ସୁଦ୍ଧା ସମାପ୍ତ ହେବା କଥା କିନ୍ତୁ ତାହା ଏପର୍ଯ୍ୟନ୍ତ ହେଲା ନାହିଁ । ସେଥିରେ ଯେଉଁ ଟାଟା ପାଇପ୍ ବ୍ୟବହାର ହେବାର ଥିଲା ସେଥିରେ ନିମ୍ନମାନର ପାଇପ୍ ବ୍ୟବହାର କରାଯାଇଛି । ତେଣୁ କାହା ସ୍ୱାର୍ଥରେ ଠିକାଦାରମାନଙ୍କୁ ୫୦ ପ୍ରତିଶତ ଅଗ୍ରୀମ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ତତ୍କାଳୀନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ ଏବଂ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରିବାକୁ ସେ ଗୃହରେ ଦାବି କରିଛନ୍ତି । ତଦନ୍ତ ହେଲେ ଏହି ପ୍ରକଳ୍ପ ଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି ବିଧାୟକ କହିଛନ୍ତି ।
ସେପଟେ ବିଭାଗୀୟ ମନ୍ତ୍ରୀ ରବି ନାଏକ ଏହି ପ୍ରଶ୍ନର ଉତ୍ତରେ ପୂର୍ବ ସରକାରକୁ ତାଚ୍ଛଲ୍ୟ କରିଛନ୍ତି । ୨୪ ବର୍ଷର ବିଜେଡ଼ି ସରକାର ଏବଂ୧୭ ମାସର ବିଜେପି ସରକାରର ରିପୋର୍ଟ ଗୃହକୁ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ସେତେବେଳେ ନଳ ଥିଲା ଜଳ ନଥିଲା, ଏବେ ନଳ ଅଛି ଆଉ ଜଳ ବି ଅଛି । ୨୦୨୪ ଜୁନ୍ ସୁଦ୍ଧା ବିଜେଡି ସରକାର ମାତ୍ର ୩ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କରିଥିବାବେଳେ ଆମେ ୧୭ ମାସରେ ୨୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛୁ । ସେହିପରି ବିଜେଡି ୧୬ଟି ସିଭିଲ୍ ପ୍ରୋଜେକ୍ଟ କରିଥିଲା କିନ୍ତୁ ଆମ ସରକାର ୬୬ଟି ସମ୍ପୂର୍ଣ୍ଣ କରିଛି । ସେହିପରି ୩ ହଜାର ୭୩୩ଟି ସୋଲାର ପ୍ରୋଜେକ୍ଟ ଶେଷ କରିଥିବାବେଳେ ଏ ସରକାର ୨୭୦୨ଟି ପ୍ରକଳ୍ପ ଶେଷ କରି ସାରିଛନ୍ତି । ହର ଘର ଜଳ ଯୋଜନାରେ ବିଗତ ସରକାର ୬୦୩୨ ପ୍ରକଳ୍ପ କରିଥିଲେ କିନ୍ତୁ ଆମେ ୪୭୯୧ କରିଛୁ । ଗତ ଏକ ବର୍ଷ ମଧ୍ୟରେ ୬୪୫ଟି ଗ୍ରାମପଞ୍ଚାୟତ କଭର୍ କରିଛୁ । ସେହିପରି ୨୮,୩୫୦ ନଳକୂପ ବିଜେଡି କରିଥିଲେ ଏବଂ ଆମେ ୨୨,୯୬୪ଟି କରିଛୁ । ମାତ୍ର ଗୋଟିଏ ବର୍ଷରେ ଏସବୁ ହୋଇଛି । ସେହିପରି ‘ପିଏମ ଗତି ଶକ୍ତିରେ ବିଜେଡ଼ି ସରକାର ପାଇପ ଲାଇନ୍ ବିଛାଇନଥିବାବେଳେ ବିଜେପି ସରକାର ୭୧ ହଜାର କିଲୋମିଟର ପାଇପ୍ ଲାଇନ ବିଛାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।
ବିଜେଡ଼ି ସରକାର ଅପାରଗତା ପ୍ରତିପାଦିତ କରୁଛି ଯେ ସେମାନେ ପାଣି ଦେଇ ନଥାଆନ୍ତେ । କେବଳ ପାଇପ୍ କିଣିଲେ ଏବଂ ପାଇପ୍ ବିଛାଇ ଦେଲେ । ତାହା ଛଡ଼ା ଆଉ କିଛି କରି ନାହାଁନ୍ତି । ଏହା ୨୪ ବର୍ଷର ବିଜେଡ଼ି ସରକାରର ନମୂନା ଥିଲା । ତେଣୁ ସମସ୍ତ ପ୍ରକଳ୍ପକୁ ଶେଷ କରିବାକୁ ମନ୍ତ୍ରୀ ଗୃହର ସହଯୋଗ ଲୋଡ଼ିଛନ୍ତି । ସହଯୋଗ କଲେ ଠିକ୍ ସମୟରେ ଜଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।