ଭୁବନେଶ୍ୱର: ବିଜୁ ଜନତା ଦଳର ଘରୋଇ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ପ୍ରଥମେ ଦଳୀୟ ବୈଠକ ଦୁଇ ପକ୍ଷ ମଧ୍ୟରେ ବିବାଦ ଏବଂ ପରେ ଥାନାରେ ଅଭିଯୋଗ ହେଲା । ସେପଟେ ଆଜି ସକାଳୁ ସକାଳୁ ଭୁବନେଶ୍ୱରର କର୍ପୋରେଟରମାନେ ମେଳି ହୋଇ ପୁରୀ ଲୋକନାଥ ଦର୍ଶନ କରିବାକୁ ଯାଇଛନ୍ତି । ଏହାରି ମଧ୍ୟରେ ଦଳ ବିରୋଧୀ କାର୍ୟ୍ୟ ପାଇଁ ଦଳ ପକ୍ଷରୁ ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ବିଜେଡ଼ି ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତ ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାର ଏବଂ ତାଙ୍କର ଦୁଇ ସମର୍ଥକ ବିବେକ ସ୍ୱାଇଁ ଏବଂ ରାଜେଶ ପାତ୍ରଙ୍କୁ ଦଳ ନୋଟିସ କରିଛି । କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସେ ନେଇ ୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ ସଭାପତି ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଭୁବନେଶ୍ୱରର ବିଜେଡ଼ି କର୍ପୋରେଟରମାନେ ଆଜି ଏକ ସ୍ୱତନ୍ତ୍ର ବସରେ ପୁରୀ ଗସ୍ତ କରିଛନ୍ତି । ବିଏମସି ବିଜେଡି କର୍ପୋରେଟର ଅମରେସ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ବିରୋଧ କରି ପୁରୀ ଲୋକନାଥଙ୍କ ପାଖରେ ଏକତ୍ରିତ ହୋଇଛନ୍ତି ମଧ୍ୟ ଓ ଉତ୍ତର ଭୁବନେଶ୍ଵର ବିଜେଡିର ୩୦ରୁ ୪୦ କର୍ପୋରେଟର । ସମସ୍ତ କର୍ପୋରେଟର ଏକ ସ୍ୱତନ୍ତ୍ର ବସ ଯୋଗେ ପୁରୀ ଆସି ଲୋକନାଥଙ୍କୁ ଦର୍ଶନ କରିବା ସହିତ ଦଳର ଏକତା ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିବା ପ୍ରତିକ୍ରିୟା ରଖିଛନ୍ତି । ତେବେ ଅନ୍ୟ କିଛି କର୍ପୋରେଟରଙ୍କ ଅନୁପସ୍ଥିତି ଦଳର ଅନ୍ତଃ କନ୍ଦଳକୁ ପଦାରେ ପକାଇଛି । ଏଥିରେ ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାର ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଶଙ୍ଖ ଭବନରେ ବୈଠକରେ ଦୁଇ କର୍ପୋରେଟର ଅମରେଶ ଜେନା ଏବଂ ବିରଞ୍ଚି ନାରାୟଣ ମହାସୂପକାରଙ୍କୁ ଅନ୍ୟ କର୍ପୋରେଟର ବିରୋଧ କରିଥିଲେ । ଏଥିରେ ରାଜେଶ ପାତ୍ରଙ୍କ ବିରୋଧକୁ ଦେଖି ଦୁଇ କର୍ପୋରେଟର ଅମରେଶ ଏବଂ ବିରଞ୍ଚି ଏହାକୁ ଖୁଲମକୁଲା କହିଥିଲେ କି ରାଜେଶ ଅନ୍ୟ ଦଳର ନେତା । ସେ କାହିଁକି ଦଳୀୟ ବୈଠକକୁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହି ବିବାଦ ଏତେ ବଢ଼ିଯାଇଥିଲା ଯେ ଶେଷରେ ଥାନାରେ ମାମଲା ପହଁଚିଥିଲା । କର୍ପୋରେଟର୍ ଅମରେଶ ଜେନାଙ୍କ ସମର୍ଥକ ତଥା ବିଜୁ ଛାତ୍ର ଜନତା ଦଳର ସଦସ୍ୟ ବିବେକ ସ୍ୱାଇଁ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନାମରେ ମାମଲା ଦାୟର କରିଛନ୍ତି । ଅନ୍ୟପକ୍ଷରେ ବିରଞ୍ଚି ନାରାୟଣ ମହାସୂପକାରଙ୍କ ସମର୍ଥକ ଅବିନାଶ ପାତ୍ର ଅଶୋକ ପଣ୍ଡାଙ୍କ ସମର୍ଥକ ରାଜେଶ ପାତ୍ରଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଥିଲେ । ଉଭୟ ଅଶୋକ ପଣ୍ଡା ଏବଂ ରାଜେଶ ପାତ୍ର ଧମକ ଦେଉଥିବା ନେଇ ଏତଲାରେ ଉଲ୍ଲେଖ କରିଥିଲେ ।
ଏହା ପୂର୍ବରୁ ରାଜେଶ ପାତ୍ର ଦୁଇ କର୍ପୋରେଟର୍ ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାର ନାରାୟଣଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ସେ ବିଜେଡ଼ିର କର୍ମୀ ଏବଂ ଆଉ କୌଣସି ଦଳର ସଦସ୍ୟ ନୁହଁନ୍ତି ବୋଲି କହିଥିଲେ ।