ଭୁବନେଶ୍ୱର: ଆଜି ଗୃହରେ ପୋଲାଭରମ ଝଡ଼ ସୃଷ୍ଟି ହୋଇଛି । ଗୋଟିଏ ପଟେ ପୋଲାଭରମକୁ ନେଇ ବିଜେଡ଼ି ସରକାରଙ୍କ କାଠଗଡ଼ାକୁ ଟାଣିଥିବାବେଳେ କଡ଼ା ଜବାବ ରଖିଛି ବିଜେପି । ମାଲକାନଗିରିରେ ଓଡ଼ିଆ ଅସ୍ମିତା ବିପଦଗ୍ରସ୍ତ ବୋଲି ଅରୁଣ ସାହୁ କହିଥିବାବେଳେ ବିଜେଡ଼ି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଜବାବ ରଖିଛନ୍ତି ନରସିଂହ ମାଡ଼କାମୀ ।
ପୋଲଭରମ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଯେ, ଆଜି ବିଜେଡି ପକ୍ଷରୁ ଓଡ଼ିଶାର ଅସ୍ମିତା ଉପରେ ପୋଲାଭରମ ପ୍ରକଳ୍ପ ଯେଉଁ ଆଘାତ ଦେଇଛି, ଆଦିବାସୀ ବିସ୍ଥାପିତ ହେବେ । ବର୍ଷା ଦିନ ଆସିବ ବୋଲି କାମ ଜୋରସୋରରେ ଚାଲିଲାଣି । ଓଡ଼ିଶା ସରକାର ଏ ନେଇ କଥା ହେବାକୁ କହିଥିଲେ । ହେଲେ ଏ ଯାଏଁ ଆଲୋଚନା କଲେନି । ମୁଲତବି ପ୍ରସ୍ତାବ ଗ୍ରହଣ ନ କରି କହିଲେ ମାମଲା ବିଚରାଧୀନ ଅଛି । କି ବିଚାରଧୀନ ଯେଉଁଠି କେନ୍ଦ୍ର ସରକାର ୧୬ ହଜାର କୋଟି ଦେଲେ ଓ କାମ ଜୋରସୋରରେ ଚାଲିଛି । ରାଜ୍ୟ ସରକାରଙ୍କ ସାହସ ନ ଥିବାରୁ ଦିଲ୍ଲୀରେ ସାଂସଦ ଦାବି ରଖି ପାରୁ ନାହାନ୍ତି । ସରକାରଙ୍କୁ ଦୁର୍ବଳ ବୋଲି କହିଛନ୍ତି ଅରୁଣ । ଏମିତି ଅନେକ କିଛି କହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଅରୁଣ ସାହୁ । ମାଲକାନଗିରିରେ ଓଡ଼ିଆ ଅସ୍ମିତା ବିପଦଗ୍ରସ୍ତ । ସାହସ ଅଛି ତ ଆଲୋଚନା କର । ପ୍ରକଳ୍ପ ବୃଦ୍ଧି ମୋଦି ସରକାର ସମୟରେ ହୋଇଛି । ଯାହା ଅଧା ମାଲକାନଗିରିକୁ ବୁଡ଼ାଇବ ।
ତେବେ ଅରୁଣ ସାହୁଙ୍କ ଏହି ବିବୃତ୍ତିକୁ କାଉଣ୍ଟର୍ ଆଟାକ୍ କରିଛନ୍ତି ବିଜେପି ବିଧାୟକ ନରସିଂହ ମାଡ଼କାମୀ । ସେ କହିଛନ୍ତି ବିଜେଡ଼ି ପାଖରେ କୌଣସି ରାଜନୈତିକ ମୁଦ୍ଦା ନାହିଁ । ତାଙ୍କ ସରକାର ସମୟରେ ୨୦୦୪ରେ ପ୍ରକଳ୍ପ ଆରମ୍ଭ ହୋଇଛି, ସେତେବେଳେ ବିଜେଡ଼ି ଦଳର ଜଳସମ୍ପଦ ମନ୍ତ୍ରୀ ଥିଲେ । ହେଲେ ଆଜି ବିଜେଡ଼ି ବିସ୍ଥାପିତ ହେଇଥିବା ମାଲକାନଗିରି ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କାରଣ ବିଜେଡ଼ି ସରକାରରେ ଥିଲା ବେଳେ କୌଣସି ପଦକ୍ଷେପ ନେଇନଥିଲା । ୨୪ ବର୍ଷ ଧରି ବିଜେଡ଼ି ମୁହଁରେ ତୁଣ୍ଡି ବାନ୍ଧି ରହିଲା । କୌଣସି ସର୍ଭେ, ପଲ୍ଲୀ ସଭା କି କ୍ଷୟକ୍ଷତିର ଆକଳନ ବି କଲେ ନାହିଁ । ଆନ୍ଧ୍ର ସରକାର ୫୦ରୁ ଅଧିକ ଥର ଆଲୋଚନା ପାଇଁ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । କିନ୍ତୁ ନବୀନ ଥରେ ବି ଆଲୋଚନା ପାଇଁ ଗଲେ ନାହିଁ ବୋଲି କହିଛନ୍ତି ମାଡ଼କାମୀ ।
ସେ ଆହୁରି ମଧ୍ୟ କହିଛନ୍ତି ୨୪ ବର୍ଷ ଶାସନରେ ଥିଲା ବେଳେ ଲୋକଙ୍କ ପାଇଁ ବିଜେଡ଼ି କିଛି କଲା ନାହିଁ । ଆଜି ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳ ବୁଡି ଯିବ ବୋଲି କହୁଛନ୍ତି । କିନ୍ତୁ ବିଜେଡ଼ି ପାଖରେ କେତେ ଅଞ୍ଚଳ ବୁଡିବ, କେତେ କ୍ଷୟକ୍ଷତି ହେବ, କେଉଁ ଅଞ୍ଚଳ ଲୋକ ବିସ୍ଥାପିତ ହେବେ ତାର କୌଣସି ରିପୋର୍ଟ ନାହିଁ । ଏବେ ପୋଲାଭରମ ପ୍ରକଳ୍ପର ୯୦ ଭାଗ କାମ ସରିଗଲାଣି । ଆଉ ମାତ୍ର ୧୦ ଭାଗ କାମ ବାକି ଅଛି । ତେଣୁ ବର୍ତ୍ତମାନ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେଡ଼ି ହିଁ ଏଥିପାଇଁ ଦାୟୀ । ତେବେ ପୋଲାଭରମ ପ୍ରସଙ୍ଗକୁ ନିଶ୍ଚିତ ଭାବେ ବିଚାରକୁ ନେବେ ବିଜେପି ସରକାର । ବର୍ତ୍ତମାନ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ବୋଲି କହିଛନ୍ତି ବିଜେପି ବିଧାୟକ ନରସିଂହ ମାଡକାମୀ ।