ନୂଆଦିଲ୍ଲୀ: ଅପେକ୍ଷାର ଅନ୍ତ ଘଟିଛି । ବିହାର ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିଛି । ଭାରତୀୟ ନିର୍ବାଚନ ଆୟୋଗ ସୋମବାର ତାରିଖ ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୬ ଓ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ମୁଖ୍ୟ ନିର୍ବାଚନ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ନିର୍ବାଚନର ସମସ୍ତ ବିବରଣୀ ସାମ୍ବାଦିକ ସମ୍ମିଳନୀରେ ପ୍ରଦାନ କରିଛନ୍ତି । ଚଳିତ ବିହାର ନିର୍ବାଚନ ସବୁଠାରୁ ଶାନ୍ତିପୂର୍ଣ୍ଣ ନିର୍ବାଚନ ହେବ ବୋଲି ଇସିଆଇ ଆଶାବ୍ୟକ୍ତ କରିଛନ୍ତି । ନିର୍ବାଚନ ସମୟର ହିଂସା ପ୍ରତି ଶୂନ୍ୟ ସହନଶୀଳତା ଗ୍ରହଣ କରାଯିବ ବୋଲି ଇସିଆଇ ଚେତାବନୀ ଦେଇଛନ୍ତି ।
ନିର୍ବାଚନ ସୂଚୀ
ବିହାରରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ଚରଣ ପାଇଁ ଅକ୍ଟୋବର ୧୦ (ଶୁକ୍ରବାର) ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୭ (ଶୁକ୍ରବାର)ରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିବ । ଅକ୍ଟୋବର ୧୮ (ଶନିବାର) ନାମାଙ୍କନ ଯାଞ୍ଚ କରାଯିବ । ଅକ୍ଟୋବର ୨୦ରେ ଅନିଚ୍ଛୁକ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ । ନଭେମ୍ବର ୬ ଗୁରୁବାର, ପ୍ରଥମ ଚରଣରେ ୧୨୧ଟି ଆସନ ପାଇଁ ମତଦାନ ହେବ ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ପାଇଁ ଅକ୍ଟୋବର ୧୩ (ସୋମବାର) ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୦ (ସୋମବାର)ରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିବ । ଅକ୍ଟୋବର ୨୧ (ମଙ୍ଗଳବାର) ନାମାଙ୍କନ ଯାଞ୍ଚ କରାଯିବ । ଅକ୍ଟୋବର ୨୩ରେ ଅନିଚ୍ଛୁକ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ । ନଭେମ୍ବର ୧୧ରେ ମଙ୍ଗଳବାର ଦ୍ୱିତୀୟ ଚରଣରେ ୧୨୨ଟି ଆସନ ପାଇଁ ମତଦାନ ହେବ ।
ନଭେମ୍ବର ୧୪ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା ହେବ । ନଭେମ୍ବର ୧୬ରେ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।
ଭୋଟ୍ ଦେବେ ୭.୪୨ କୋଟି ମତଦାତା
ବିହାରରେ ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ୪୦ଟି ସଂରକ୍ଷିତ ରହିଛି । ସେଥିମଧ୍ୟରୁ ୩୮ଟି ଅନସୂଚିତ ଜାତି ଓ ୨ଟି ଅନସୂଚିତ ଜନଜାତି ପାଇଁ ଉଦ୍ଦିଷ୍ଟ ରହିଛି । ମୋଟ ୭ କୋଟି ୪୨ ଲକ୍ଷ ମତଦାତା ନିଜର ମତ ସାବ୍ୟସ୍ତ କରିବେ । ସେଥିରେ ପୁରୁଷ ୩.୯୨ କୋଟି, ମହିଳା ୩.୫ କୋଟି, ୪ ଲକ୍ଷ ବରିଷ୍ଠ ନାଗରିକ, ୧୦୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ୧୪ ହଜାର ଏବଂ ୧୪ ଲକ୍ଷ ନୂତନ ମତଦାତା ଏହି ଗଣପର୍ବରେ ସାମିଲ ହୋଇ ନିଜର ମତ ସାବ୍ୟସ୍ତ କରିବେ ।
ସେହିପରି ୯୦, ୭୧୨ ମତଦାନ କେନ୍ଦ୍ର ରହିଛି । ଅର୍ଥାତ ପ୍ରତି ମତଦାନ କେନ୍ଦ୍ରରେ ହାରାହାରି ୮୧୮ ଜଣ ମତଦାତା ରହିବେ । ୧୩୫୦ ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ସେହିପରି ସମସ୍ତ ମତଦାନ କେନ୍ଦ୍ରରେ ୱେବ୍ କାଷ୍ଟିଂ କରାଯିବ , ଯାହା ଦ୍ୱାରା ନିର୍ବାଚନ ଅଧିକାରୀ ସବୁକିଛି ତଦାରଖ କରିପାରିବେ । ସେହିପରି ୨୫୦ ମତଦାନ କେନ୍ଦ୍ରରେ ଘୋଡ଼ା ଦ୍ୱାରା ପାଟ୍ରୋଲିଂ କରାଯିବ ଏବଂ ୧୧୦୦ ମତଦାନ କେନ୍ଦ୍ରରେ ବୋଟ୍ ବା ଡଙ୍ଗା ଦ୍ୱାରା ପାଟ୍ରୋଲିଂ କରାଯିବ । ମୋଟରେ ସାଢ଼େ ୮ ଲକ୍ଷ ନିର୍ବାଚନ କର୍ମଚାରୀ ଏଥିରେ ନିଯୁକ୍ତ ହେବେ ।
ମୋବାଇଲ୍ ରଖିବା ପାଇଁ ବ୍ୟବସ୍ଥା
ପ୍ରଥମ ଥର ପାଇଁ ମତଦାତାଙ୍କ ମୋବାଇଲ ରଖିବା ପାଇଁ ନୂତନ ବ୍ୟବସ୍ଥା କରିଛନ୍ତି । ମତଦାନ କେନ୍ଦ୍ରରେ ଗୋଟିଏ କୋଠରୀ ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ମତଦାତା ସେଠାରେ ମୋବାଇଲ୍ ରଖିବେ ଏବଂ ମତଦାନ ପରେ ସେଠାରୁ ମୋବାଇଲ୍ ସଂଗ୍ରହ କରିପାରିବେ ।
ଯଦି କାହାକୁ କୌଣସି ସୂଚନା ପ୍ରାପ୍ତ କରିବା ପାଇଁ ଜାଣିବାକୁ ଇଚ୍ଛା କରନ୍ତି ନିର୍ବାଚନ ଆୟୋଗ ହେଲ୍ପ ଲାଇନ୍ ନମ୍ବର ୧୯୫୦ ଜାରି କରାଯାଇଛି ।
ଏହା ସହିତ ସମସ୍ତ ନିର୍ବାଚନ ମଣ୍ଡଳୀଗୁଡ଼ିକେ ୨୪୦ ଜେନେରାଲ ଅବଜରଭର୍ ରହିବେ । ଯେଉଁ ପୋଲିସ ଅଧିକାରୀମାନେ ଅନ୍ୟ ରାଜ୍ୟର ରହିବେ । ସେହିପରି ୩୮ ପୋଲିସ ଅବଜରଭର୍ ଏବଂ ୬୭ ଏକ୍ସପେଣ୍ଡିଚର୍ ଅବଜରଭର୍ ତଦାରଖ କରିବେ ।