ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତ୍ରୀ ଆତିଶୀ ମାର୍ଲେନା ଶନିବାର ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶନିବାର ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପ ରାଜ୍ୟପାଳ ଭିକେ ସକ୍ସେନା ଆତିଶୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହା ସହିତ ତାଙ୍କ ମନ୍ତ୍ରୀମଣ୍ଡଳର ୫ ନୂଆ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଆତିଶୀଙ୍କ ସହ ଗୋପାଳ ରୟ, ସୌରଭ ଭରଦ୍ୱାଜ, କୈଳାଶ ଗେହଲଟ, ଇମ୍ରାନ ହୁସେନ ଓ ମୁକେଶ ଅହଲାବତ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ଆତିଶୀ ଦିଲ୍ଲୀର ସବୁଠାରୁ କନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ସହିତ ସିଏ ଦେଶର ୧୭ତମ ମହିଳା ମୁଖ୍ୟମନ୍ତ୍ରୀ । ଏହି ଶପଥ ଗ୍ରହଣ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଉପସ୍ଥିତ ଥିଲେ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଇସ୍ତଫା ଦେବା ପରେ ଆପ୍ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସ୍ଥିର ହୋଇଥିଲା । ଅବକାରୀ ନୀତି ଘୋଟାଲାରେ ଅରବିନ୍ଦ କେଜ୍ରିଓ୍ୱାଲ ସୁପ୍ରିମକୋର୍ଟରୁ ଜାମିନ ପାଇ ସେପ୍ଟେମ୍ବର 13ରେ ତିହାର ଜେଲରୁ ମୁକୁଳିଥିଲେ । ଏହା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ମଙ୍ଗଳବାର ଆପ୍ ବିଧାୟକ ଦଳ ବୈଠକରେ ଆତିଶୀ ମାର୍ଲେନାଙ୍କ ନାମରେ ମୋହର ଲାଗିଥିଲା । ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଦ୍ୟ ଅନୁମତି ପ୍ରଦାନ କରିଥିଲେ ।