ଭୁବନେଶ୍ୱର: ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ମାଡ଼ି କରିବା ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେପି । ଆଜିର ବିକ୍ଷୋଭ କେବଳ ପଲଟିକାଲ ମାଇଲେଜ୍ ନେବାକୁ କରାଯାଇଥିଲା ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । ଦେଶରେ ଗୋଟିଏ ଗ୍ୟାଙ୍ଗ୍ ଅଛନ୍ତି ପଥର ମାରିବା । ଓଡ଼ିଶାରେ ଯାହା ଟିକେ ଅସୁବିଧା ହେଲେ ଛାତ୍ର କଂଗ୍ରେସ ଅଣ୍ଡା ମାରିବେ । ଛାତ୍ର କଂଗ୍ରେସର ଷ୍ଟାଣ୍ଡାର୍ଡ୍ ହେଉଛି ଅଣ୍ଡା ମାଡ଼ କରିବା ।
ଶ୍ରୀ ବିଶ୍ୱାଳ କହିଛନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟରେ ନାମ ଲେଖା ପ୍ରକ୍ରିୟା ବେଳେ ଜଣେ ଛାତ୍ର ଆବଶ୍ୟକୀୟ କାଗଜପତ୍ର ଦାଖଲ କଲେ ନାହିଁ । ନାମ ଲେଖାର ଶେଷ ତାରିଖ ଯାଏ କୌଣସି ତଥ୍ୟ ଦେଲେ ନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ନାମ ଲେଖାଇବାକୁ ଧମକାଇଲେ । କିଛି ଛାତ୍ର ଏବଂ ଅଣଛାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧମକ ଦେଇଛନ୍ତି । ସେମାନେ ଅପରାଧିକ କାର୍ଯ୍ୟକଳାପଭାବେ ଏଭଳି କରିଛନ୍ତି । ଏ ନେଇ ଏତଲା ଦିଆଯାଇଛି ।
ସମ୍ପୃକ୍ତ ଛାତ୍ର ଜଣକ ନିଜେ କୋର୍ଟକୁ ଯାଇଛନ୍ତି । କୋର୍ଟଙ୍କ ରାୟକୁ ଅପେକ୍ଷା କରିବାକୁ ପଡ଼ିବ । ଏଥିରେ ସରକାର କିମ୍ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିଛି କରିବେ ନାହିଁ । ଛାତ୍ର କଂଗ୍ରେସ ନେତାମାନେ ରାଜନୀତି କରିବା ପାଇଁ ଜଣେ ଛାତ୍ରଙ୍କୁ ମୋହରା କରିଛନ୍ତି । ମାମଲା ହାରି ଯିବା ଭୟରେ ଏଭଳି କରାଯାଇଛି । କେବଳ ପଲିଟିକାଲ୍ ମାଇଲେଜ୍ ନେବା ପାଇଁ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି । ବେଆଇନ କାର୍ଯ୍ୟକୁ ଆଇନଗତ ଦର୍ଶାଇବାକୁ ଅଣ୍ଡା ମାଡ଼ କରି ନାଲି ଆଖି ଦେଖାଉଛି ଛାତ୍ର କଂଗ୍ରେସ । ଗୁଣ୍ଡା ଗର୍ଦ୍ଦି ଛାତ୍ର କଂଗ୍ରେସର ନୂଆ କଥା ନୁହେଁ ବୋଲି ବିଜେପି ମୁଖପାତ୍ର କହିଛନ୍ତି ।
ଆଜି ସକାଳେ ଛାତ୍ର କଂଗ୍ରେସ ଉଚ୍ଚ ଶିକ୍ଷା ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବାସଭବନ ଉପରକୁ ଅଣ୍ଡା ମାଡ଼ କରିଥିଲା । ଉତ୍କଳ ବିଶ୍ୱ ବିଦ୍ୟାଳୟରେ ନାମ ଲେଖା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ପ୍ରତିବାଦ କରିଛି ଛାତ୍ର କଂଗ୍ରେସ ।