ନୂଆଦିଲ୍ଲୀ: ମୁଁ ସଂସଦକୁ ହୋହାଲ୍ଲା କରିବାକୁ, ଚିତ୍କାର କରିବାକୁ, ମାଇକ୍ ଭାଙ୍ଗିବାକୁ କିମ୍ବା ଗାଳି ଦେବାକୁ ଆସି ନାହିଁ । ମୁଁ ଜନତାଙ୍କ ପ୍ରସଙ୍ଗ ଉଠାଇବାକୁ ଆସିଛି । ଆଜି ପୁଣି ଥରେ ନିଜ ଦଳର ମିଛକୁ ପଦାରେ ପକାଇ ଏଭଳି କହିଛନ୍ତି ସାଂସଦ ରାଘବ ଚଢ଼ା ।
ଶ୍ରୀଯୁକ୍ତ ଚଢ଼ା ଆମ୍ ଆଦମୀ ପାର୍ଟୀ ବିରୋଧରେ ପୁଣି ଥରେ ଖୋଲା ଖୋଲି ବର୍ଷିଛନ୍ତି । ଆପ୍ ଦଳ କେଉଁ ଭଳି ଭାବେ ମିଥ୍ୟା ଅଭିଯୋଗ ଆଣିପାରେ ତାହା ଉପରୁ ପରଦା ହଟାଇଛନ୍ତି । ଆପ୍ ଦଳ ତାଙ୍କ ଉପରେ ପ୍ରମୁଖ ତିନୋଟି ଆଭିଯୋଗ ଆଣି, ସଂସଦରେ ତାଙ୍କୁ କହିବାକୁ ସୁଯୋଗ ନ ଦେବାକୁ ସଚ୍ଚିବାଳୟକୁ ଚିଠି ଲେଖିଛି । ପ୍ରଥମ ଅଭିଯୋଗ ବିରୋଧୀ ଗୃହ ତ୍ୟାଗ କରୁଥିବାବେଳେ ରାଘବ ଚଢ଼ା ଗୃହରେ ବସି ରହୁଛନ୍ତି । ଯାହାର ଜବାବରେ ରାଘବ କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ସେ କହିଛନ୍ତି ଯେତେବେଳେ ବିରୋଧୀ ଦଳ ଗୃହ ପରିତ୍ୟାଗ କରନ୍ତି ସେ ମଧ୍ୟ ସେତେବେଳେ ଆସନ ଛାଡ଼ିକି ଯାଆନ୍ତି । ଏମିତିକି ଗୋଟେ ଦିନ ନାହିଁ ଯେଉଁ ଦିନ ସେ ତାଙ୍କ ଆସନରେ ବସି ରହିଥିବେ । ରାଜ୍ୟସଭାରେ ଶତାଧିକ ସିସିଟିଭି କ୍ୟାମେରା ଅଛି । ଗୋଟିଏ ବି ଭିଡ଼ିଓ ବାହାର କରି ତାହାର ପ୍ରମାଣ ଦେବାକୁ ଆପ୍ ଦଳକୁ ଖୋଲା ଆହ୍ୱାନ କରିଛନ୍ତି ରାଘବ ।
ସେହିପରି ଦ୍ୱିତୀୟ ଅଭିଯୋଗର ମଧ୍ୟ ଉତ୍ତର ରଖିଛନ୍ତି ରାଘବ । ସେ କହିଛନ୍ତି ଦଳ ତାଙ୍କ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୁଦ୍ଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଦସ୍ତଖତ କରିନଥିବାର ଅଭିଯୋଗ କରିଛି , ଯାହା ଆଉ ଏକ ମିଥ୍ୟା । ଏ ପ୍ରସ୍ତାବ ବିଷୟରେ ତାଙ୍କୁ ଦଳ ପକ୍ଷରୁ ଔପଚାରିକ କିମ୍ବା ଅନଔପଚାରିକ ଭାବେ କୌଣସି ସୂଚନା ଦିଆଯାଇନଥିଲା । ଖାଲି ସେତିକି ନୁହେଁ ଆପ୍ ଦଳର ମାତ୍ର ୧୦ ଜଣ ସଦସ୍ୟ ଥିବାବେଳେ ସେଥିରୁ ୬ ଜଣ ସେ ପ୍ରସ୍ତାବରେ ଦସ୍ତଖତ କରିନଥିଲେ । କିନ୍ତୁ ତାଙ୍କୁ ଏକୁଟିଆ କାହିଁକି ଟାର୍ଗେଟ୍ କରାଯାଉଛି ? ଏହି ପ୍ରସ୍ତାବରେ ବିରୋଧୀଙ୍କର ମୋଟ 50 ଦସ୍ତଖତ ଆବଶ୍ୟକ ।
ସେହିପରି ଆପ୍ ଦଳର ତୃତୀୟ ଅଭିଯୋଗ ହେଉଛି ରାଘବ ଚଢ଼ା ଡରି ଯାଇଛନ୍ତି ଏବଂ ସେଥିପାଇଁ ବେକାର ପ୍ରସଙ୍ଗ ଉଠାଉଛନ୍ତି । ଯାହାର କଡ଼ା ଜବାବ ରଖି ରାଘବ କହିଛନ୍ତି, “ମୁଁ ସଂସଦକୁ ହୋହାଲ୍ଲା କରିବାକୁ, ଚିତ୍କାର କରିବାକୁ, ମାଇକ୍ ଭାଙ୍ଗିବାକୁ କିମ୍ବା ଗାଳି ଦେବାକୁ ଆସି ନାହିଁ । ମୁଁ ଜନତାଙ୍କ ପ୍ରସଙ୍ଗ ଉଠାଇବାକୁ ଆସିଛି”। ସେହିପରି ପଞ୍ଜାବର ପାଣି ସମସ୍ୟା, ଦିଲ୍ଲୀ ପ୍ରଦୂଷିତ ବାୟୁ, ରେଳରେ ଯାତ୍ରୀଙ୍କ ସମସ୍ୟା, ସ୍ୱାସ୍ଥ୍ୟ ବିଭାଗ, ବେରୋଜଗାରୀ ଆଦି ସମସ୍ୟା ପ୍ରସଙ୍ଗ ଉଠାଇଛି । ତେଣୁ ସଂସଦରେ କୌଣସି ହଙ୍ଗାମା କରିବାକୁ ଆସିନାହାଁନ୍ତି ବରଂ ଯେଉଁ ଜନତାଙ୍କ ଟିକସରେ ସଂସଦ ଚାଲୁଛି ସେ ଜନତାଙ୍କ ଜିଏସଟି ଏବଂ ଟିକସ ସମସ୍ୟା ଉଠାଇଛି ବୋଲି ସାଂସଦ ରାଘବ ଚଢ଼ା କହିଛନ୍ତି । ଆପ୍ ଦଳ ତାଙ୍କ ଉପରେ ଯେଉଁ ମିଥ୍ୟା ଅଭିଯୋଗ ଆଣିଛି ତାହା ଉପରୁ ସେ ଗୋଟି ଗୋଟି କରି ପରଦା ଉଠାଇବେ ବୋଲି ଚେତାବନୀ ଦେଇଛନ୍ତି ।