ନୂଆଦିଲ୍ଲୀ: ଦିଲ୍ଲୀରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ଏବେଠୁ ଜୋରଦାର ପ୍ରସ୍ତୁତି କଲାଣି ବିଜେପି । ଦିଲ୍ଲୀ ରଣାଙ୍ଗନ ପାଇଁ ଚାଲିଥିବା ପ୍ରତିଟି କାର୍ଯ୍ୟକ୍ରମ ଓ ଗତିବିଧିରେ ଆମେଠିର ପୂର୍ବତନ ସାଂସଦ ସ୍ମୃତି ଇରାନୀଙ୍କୁ ଦେଖିବାକୁ ମିଳୁଛି । ନିକଟରେ ସେ ରାଜଧାନୀରେ ପାର୍ଟିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ଥିଲେ । ତେଣୁ ପ୍ରଶ୍ନ ଉଠୁଛି କଣ ବିଜେପି ଦିଲ୍ଲୀ ନିର୍ବାଚନରେ ସ୍ମୃତିଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବ କି ?
ପାର୍ଟିର ନେତାମାନେ କହିଛନ୍ତି, ସ୍ମୃତିଙ୍କୁ ଦିଲ୍ଲୀରେ ୧୪ ଜିଲ୍ଲା ଶାଖାରୁ ୭ଟିରେ ସଦସ୍ୟତା ଅଭିଯାନର ନୀରିକ୍ଷଣ କରିବାର ଦାୟିତ୍ୱ ଦିଆଯାଇଥିଲା । ଅନ୍ୟପଟେ ସ୍ମୃତି ଦକ୍ଷିଣ ଦିଲ୍ଲୀରେ ଏକ ଘର କିଣିଛନ୍ତି, ଯାହା ଦିଲ୍ଲୀରେ ପାର୍ଟିର କାର୍ଯ୍ୟକ୍ରମରେ ତାଙ୍କର ସକ୍ରିୟତା ବଢୁଥିବାର ସଙ୍କେତ ଦେଇଛି ।
ବିଜେପିର ଜଣେ କହିଛନ୍ତି, ଏହି ଘଟଣାକ୍ରମ ଏମିତି ସମୟରେ ଦେଖିବାକୁ ମିଳୁଛି ଯେବେ ପାର୍ଟି ଦିଲ୍ଲୀ ପାଇଁ ଚେହେରା ଖୋଜୁଛି । ଦଳକୁ ଏମିତି ଏକ ଚେହେରା ଦରକାର ଯିଏ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୱାଲଙ୍କୁ ଟକ୍କର ଦେଇ ପାରିବ । ବିଜେପି ୨୦୨୦ ବିଧାନସଭା ନିର୍ବାଚନରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିଥିଲା । ଦଳ ୭୦ ଆସନରୁ ମାତ୍ର ୮ଟି ଜିତିବାରେ ସଫଳ ହୋଇଥିଲା । ଏହିପରି ଦଳ ଶୋଚନୀୟ ପରାଜୟ ଭୋଗିଥିଲା ।
ବିଜେପି ଦିଲ୍ଲୀ ଶାଖାର ନେତାମାନଙ୍କ କହିବା କଥା ଯଦି ଏଥର ନିର୍ବାଚନରେ ଦଳ ମୁଖ୍ୟମନ୍ତ୍ରୀ ଭାବେ ଚେହେରା ଦିଏ ତେବେ ସ୍ୱାଭାବିକ ଭାବେ ଉପଯୁକ୍ତ ନେତାଙ୍କ ସନ୍ଧାନ କରାଯିବ । ଏମିତି ସ୍ଥିତିରେ ସ୍ମୃତି ଇରାନୀଙ୍କ ସହିତ ମନୋଜ ତିୱାରୀ, ବାଂଶୁରୀ ସ୍ୱରାଜ, ବିଜେପି ଦିଲ୍ଲୀ ସଭାପତି ବିରେନ୍ଦ୍ର ସଚଦେବା ଓ ପଶ୍ଚିମ ଦିଲ୍ଲୀର ପୂର୍ବତନ ସାଂସଦ ପ୍ରବେଶ ବର୍ମାଙ୍କ ପରି ନେତା ରହିଛନ୍ତି । ତେବେ ସ୍ମୃତିଙ୍କ ଗତିବିଧି ପାର୍ଟି ଭିତରେ ଅଧିକ ରହୁଥିବାରୁ ତାଙ୍କ ନାଁରେ ଅଧିକ ଚର୍ଚ୍ଚା ଲାଗି ରହିଛି ।