ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ କିଏ ହେବ ଦିଲ୍ଲୀର ପରବର୍ତ୍ତୀ ୁମଖ୍ୟମନ୍ତ୍ରୀ ? ଏହି ପ୍ରଶ୍ନକୁ ନେଇ ସସପେନ୍ସ ଜାରି ରହିଛି । ଦେଶର ରାଜଧାନୀର ଗାଦିରେ ବସିବା ପାଇଁ ଏବେ ଦୌଡରେ ଆପର ୫ ନେତା ରହିଛନ୍ତି । ଏହି ଖବର ମଧ୍ୟ ସାମ୍ନାକୁ ଆସିଛି ଯେ, କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ତାର ଚୟନ କେଉଁମାନେ କରିବେ ।
ଆପର ଦଳୀୟ ସୂତ୍ର ଅନୁଯାୟୀ, ଆପର ରାଜନୈତିକ ବ୍ୟାପାର କମିଟି(ପିଏସି)ର ବୈଠକ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବାସଭବନରେ ବସିବାକୁ ଯାଉଛି । ଆଉ ଏହି ବୈଠକରେ ଯେଉଁ ନାଁ ଉପରେ ମୋହର ବାଜିବ ସେ ହିଁ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି । ସେପ୍ଟେମ୍ବର ୧୭ ତାରିଖ ଆପର ବିଧାୟକ ଦଳ ବୈଠକ ଡକାଯିବ ଏବଂ ଆନୁଷ୍ଠାନିକ ଭାବେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ।
ଆପର ୧୩ ଜଣିଆ ପିଏସି ରହିଛି, ଯେଉଁମାନେ ବିଧାୟକ ଦଳ ନେତା ଚୟନ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିବେ । ସେଥିରେ ଅଛନ୍ତି ଅରବିନ୍ଦ କେଜ୍ରିୱା. ଭଗବନ୍ତ ମାନ, ମନୀଷ ସିସୋଦିଆ, ସଞ୍ଜୟ ସିଂ, ସନ୍ଦୀପ ପାଠକ, ଗୋପାଳ ରାୟ, ଆତିଶି, ଏନଡି ଗୁପ୍ତା, ଦୁର୍ଗେଶ ପାଠକ, ପଙ୍କଜ ଗୁପ୍ତା, ରାଘବ ଚଡ୍ଡା, ଇମରାନ ହୁସେନ, ରାଖୀ ବିଡଲାନ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୌଡରେ ରହିଛି ଏହି ନେତାଙ୍କ ନାଁ ?
ଆତିଶି, ସୌରଭ ଭରଦ୍ୱାଜ, ରାଘବ ଚଡ୍ଡା, ଗୋପାଳ ରାୟ, କୈଳାଶ ଗେହଲଟ, ସୁନୀତା କେଜ୍ରିୱାଲ ।
ଅନ୍ୟପଟେ ଆଜି ଅରବିନ୍ଦ କେଜ୍ରିୱାଲ ଓ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମଧ୍ୟରେ ସାକ୍ଷାତ ହେବାକୁ ଯାଉଛି । ଏଥିରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଞ୍ଜୁର ହେବା ପରେ ପାର୍ଟିର ବିଧାୟକ ଦଳ ବୈଠକ ଡକାଯିବ ।