ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ଚକିତ କରିଛି । ଏକଜିଟ ପୋଲ ଦେଖିବା ପରେ ସମସ୍ତେ ନିଶ୍ଚିତ ହୋଇ ଯାଇଥିଲେ ଯେ, ହରିୟାଣାରେ କଂଗ୍ରେସ ସରକାର ଗଢିବ ଏବଂ ବିଜେପି ଧରାଶାୟୀ ହେବ । ତେବେ ଏକଜିଟ୍ ପୋଲ ସର୍ବଦା ଏକଜାଟ୍ ପୋଲ୍ ହୁଏ ନାହିଁ ବୋଲି ପ୍ରମାଣିତ ହୋଇଛି । ବର୍ତ୍ତମାନ ଚାଲିଥିବା ଟ୍ରେଣ୍ଡରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରୁଥିବା ଦେଖିବାକୁ ମିଳିଛି । ନିର୍ବାଚନ ଫଳାଫଳରେ ପଛରେ ପଡି ଯାଇଥିବା କଂଗ୍ରେସ ନିର୍ବାଚନ ଆୟୋଗଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛି । ପାର୍ଟି ନେତାଙ୍କ କହିବା କଥା ନିର୍ବାଚନ ଆୟୋଗ ଜାଣିଶୁଣି ତଥ୍ୟ ଧିରେ ଧିରେ ଅପଡେଟ୍ କରୁଛି । ଯାହା ଫଳରେ ଫଳାଫଳର ପାରଦର୍ଶିତା ବିପଦରେ ପଡି ଯାଇଛି ।
କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ନିର୍ବାଚନ ଆୟୋଗର ୱେବସାଇଟରେ ଜାଣି ଶୁଣି ବହୁତ ମନ୍ଥର ଗତିରେ ଡାଟା ଅପଲୋଡ୍ କରାଯାଉଛି। ଏଥିରେ ଆଶଙ୍କା ପ୍ରକାଶ ପାଇଛି ଯେ, ବିଜେପି ପ୍ରଶାସନ ଉପରେ ଚାପ ପକାଇବାକୁ ଉଦ୍ୟମ କରୁଛି । ମତଦାତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି । ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତା ପ୍ରଭାବିତ ହେଉଛି । ଭୋଟ୍ ଗଣତିକୁ ସଠିକ୍ ଭାବେ ତ୍ୱରାନ୍ୱିତ କରିବା ପାଇଁ ସେ ଆୟୋଗଙ୍କୁ ଅନୁରୋଧ କରିଛନ୍ତି ।
ଏହା ମଧ୍ୟରେ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତାମତ ରଖିଛନ୍ତି । ସେ କହିଛନ୍ତି, ଏହି ଟ୍ରେଣ୍ଡ ବଦଳିବ । ଆୟୋଗ ଠିକ୍ ଭାବେ ନିଜର ସାଇଟରେ ଡାଟା ଅପଲୋଡ୍ କରୁ ନାହାନ୍ତି । କଂଗ୍ରେସ ନେତା ପବନ ଖେଡା ମଧ୍ୟ ନିଜର ଏଜେଣ୍ଟ ମାନଙ୍କୁ ପୋଲିଂ ସେଣ୍ଟରରେ ରହିବାକୁ କହିଛନ୍ତି ।
ସଦ୍ୟତମ ସୂଚନା ଅନୁଯାୟୀ, ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ୫୧ ସିଟରେ ଅଗ୍ରଣୀ ହାସଲ କରି ସରକାର ଗଢିବାକୁ ଯାଉଛି । କଂଗ୍ରେସ ୩୩ ସିଟରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ଖାତାକକୁ ୬ ସିଟ୍ ଯାଇପାରେ ।