କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ସାମ୍ବିଧାନିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ମମତା ବାନାର୍ଜୀ ନିଜ ପଦରୁ ଇସ୍ତଫା ନ ଦେବାରୁ ରାଜ୍ୟପାଳ ଆର.ଏନ. ରବି ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାକୁ ଭଙ୍ଗ କରିଦେଇଛନ୍ତି। ସମ୍ବିଧାନର ଧାରା ୧୭୪ ଅନୁଯାୟୀ ମିଳିଥିବା କ୍ଷମତାର ବ୍ୟବହାର କରି ସେ ଏହି ଆଦେଶ ଜାରି କରିଛନ୍ତି।
ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ନିର୍ବାଚନରେ ପରାଜୟ ସତ୍ତ୍ୱେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଥିଲେ। ମମତା ନିଜ ଜିଦରେ ଅଡ଼ି ରହିବାରୁ ରାଜ୍ୟପାଳ ଏହି ବଡ଼ ପଦକ୍ଷେପ ନେଇଛନ୍ତି। ବିଧାନସଭା ଭଙ୍ଗ ହେବା ପରେ ମମତା ବାନାର୍ଜୀ ଏବେ ସ୍ଵାଭାବିକ ଭାବେ ଆଉ ରାଜ୍ୟର ମୁଖ୍ୟମନ୍ତ୍ରୀ ନାହାନ୍ତି।
ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରାଜ୍ୟର ୨୯୩ଟି ଆସନ ମଧ୍ୟରୁ ୨୦୭ଟି ଜିତି ସ୍ପଷ୍ଟ ବହୁମତ ହାସଲ କରିଛି। ଦୀର୍ଘ ୧୫ ବର୍ଷ ଧରି ପଶ୍ଚିମବଙ୍ଗ ଶାସନ ଗାଦିରେ ଥିବା ତୃଣମୂଳ କଂଗ୍ରେସ ଏଥର ଶୋଚନୀୟ ଭାବେ ପରାଜିତ ହୋଇଛି। କିନ୍ତୁ ମମତା ବାନାର୍ଜୀ ନିଜ ପରାଜୟକୁ ସ୍ଵୀକାର କରିବା ବଦଳରେ ବିଜେପି ଉପରେ 'ଭୋଟ୍ ଚୋରି'ର ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଏହା ଜନାଦେଶ ନୁହେଁ ବରଂ ଏକ ଷଡ଼ଯନ୍ତ୍ର। ପ୍ରାୟ ୧୦୦ଟି ସିଟ୍ରେ ଜନାଦେଶକୁ ଲୁଟ୍ କରାଯାଇଛି ବୋଲି ସେ ଦାବି କରିବା ସହ ନିଜ ଜେଦ୍ରେ ଅଟଳ ରହିଥିଲେ।
ରାଜ୍ୟପାଳଙ୍କ ଏହି ଆଦେଶ ପରେ ପଶ୍ଚିମବଙ୍ଗରେ ୧୭ଶ ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହୋଇଛି ଏବଂ ୧୮ଶ ବିଧାନସଭା ଗଠନ ପାଇଁ ବାଟ ପରିଷ୍କାର ହୋଇଛି। ବିଜେପି ଏବେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର କରିଛି। ଆସନ୍ତା ମେ ରବୀନ୍ଦ୍ର ଜୟନ୍ତୀ ଅବସରରେ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଏକ ଭବ୍ୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର ସମ୍ଭାବନା ରହିଛି।