ନୂଆଦିଲ୍ଲୀ: ରେଳବାଇ ଜମି ବଦଳରେ ଚାକିରି ଦେବା ମାମଲାରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ମୁସ୍କିଲ ବଢିବାରେ ଲାଗିଛି । ସୂଚନା ଅନୁଯାୟୀ, ଲ୍ୟାଣ୍ଡ ଫର ଜବ ଘୋଟାଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ସିବିଆଇର ଚୂଡାନ୍ତ ଚାର୍ଜସିଟ୍ ଉପରେ ଗୃହ ମନ୍ତ୍ରଣାଳୟ ମୋକଦ୍ଦମା ଚଲାଇବାକୁ ଅନୁମତି ଦେଇଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ପକ୍ଷରୁ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟକୁ ଏହି ବିଷୟରେ ଅବଗତ କରାଯାଇଛି ।
ମାମଲାର ପରବର୍ତ୍ତୀ ଶୁଣାଣି ଦିଲ୍ଲୀ କୋର୍ଟରେ ଅକ୍ଟୋବର ୧୫ ତାରିଖରେ ହେବାକୁ ଯାଉଛି । ସିବିଆଇ ପକ୍ଷରୁ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ଚଲାଇବା ପାଇଁ ଗୃହ ମନ୍ତ୍ରଣାଳୟକୁ ଆବେଦନ ଦିଆଯାଇଛି । ଯାଞ୍ଚ ଏଜେନ୍ସି ଆଶା କରିଛି ଯେ, ଶୀଘ୍ର ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମିଳିଯିବ ।
ଅନ୍ୟପଟେ ଗୋଟିଏ ଦିନ ପୂର୍ବେ ଲ୍ୟାଣ୍ଡ ଫର ଜବ କେସରେ ମନି ଲଣ୍ଡ୍ରିଂ ସଂପର୍କିତ ମାମଲାରେ ମଧ୍ୟ ଲାଲୁ ପରିବାରର ମୁସ୍କିଲ ବଢିଛି । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ବୁଧବାର ଇଡିର ଅନ୍ତରୀଣ ଚାର୍ଜସିଟ୍ ଉପରେ ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ସମନ ଜାରି କରିଥିଲା । ଅକ୍ଟୋବର ୭ ତାରିଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖାସ୍ କଥା ଲାଲୁଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କୁ ମଧ୍ୟ ପ୍ରଥମ ଥର ଏହି କେସରେ କୋର୍ଟ ସମନ ଜାରି କରିଛନ୍ତି ।
ଲ୍ୟାଣ୍ଡ ଫର ଜବ ଘୋଟାଲା ୨୦୦୪ରୁ ୨୦୦୯ ମଧ୍ୟରେ ଘଟିଥିଲା । ଏହି ସମୟରେ ଲାଲୁ ଯାଦବ କେନ୍ଦ୍ର ରେଳ ମନ୍ତ୍ରୀ ଥିଲେ । ତାଙ୍କ କାର୍ଯ୍ୟକାଳରେ ନିୟମକୁ ଅଣଦେଖା କରାଯାଇ ରେଳବାଇର ଗ୍ରୁଡ ଡି ପଦରେ କିଛି ଲୋକଙ୍କୁ ଚାକିରି ଦିଆଯାଇଥିଲା । ଏହା ବଦଳରେ ଲାଲୁ ପରିବାରର ସଦସ୍ୟ ଏବଂ ଅନ୍ୟ ସହଯୋଗୀଙ୍କ ନାମରେ ଜମି କରାଇ ଦିଆଯାଇଥିଲା । ଏବେ ସିବିଆଇ ଏହି କେସରେ ଅପରାଧିକ ଦିଗକୁ ନେଇ ମଧ୍ୟ ତଦନ୍ତ କରୁଛି । ଅନ୍ୟପଟେ ଇଡି ମନି ଲଣ୍ଡ୍ରିଂ ଦିଗରେ କେସର ଯାଞ୍ଚ କରୁଛି । ଫଳରେ ଲାଲୁ ଯାଦବଙ୍କ ପରିବାରର ମୁସ୍କିଲ ବଢିବାରେ ଲାଗିଛି ।