ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍)ର ନେତ୍ରୀ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଶପଥ ନେବେ। ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଆପ୍ ବିଧାୟକ ଦଳ ଆତିଶୀଙ୍କୁ ନିଜର ନୂଆ ନେତା ଭାବେ ମନୋନୀତ କରିଥିଲା। ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା ରାଷ୍ଟ୍ରପତିଙ୍କୁ ଦେଇଥିବା ସୁପାରିସରେ ସେପ୍ଟେମ୍ବର ୨୧ରେ ଆତିଶୀ ଏବଂ ତାଙ୍କ କ୍ୟାବିନେଟ୍ ଶପଥ ଗ୍ରହଣ କରିବେ ବୋଲି ପ୍ରସ୍ତାବ ଦେଇଥିଲେ। ନୂଆ ସିଏମଙ୍କ ସହ ଆତିଶୀଙ୍କ କ୍ୟାବିନେଟରେ କିଏ ହେବେ ନୂଆ ମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କେଜ୍ରିଓ୍ଵାଲ କ୍ୟାବିନେଟର ସମସ୍ତ ପୁରୁଣା ମନ୍ତ୍ରୀ ଏଥର ପୁନରାବୃତ୍ତି କରିବେ କି? ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ସମୟ ବାକି ଥିବା ବେଳେ ଏଭଳି ପରିସ୍ଥିତିରେ କେଉଁ ନୂଆ ଚେହେରାଙ୍କୁ ସୁଯୋଗ ମିଳିବ ତାହା ଦେଖିବାକୁ ବାକି ରହିଲା।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଗୋପାଳ ରାୟ, କୈଳାସ ଗେହଲଟ, ସୌରଭ ଭରଦ୍ୱାଜ ଓ ଇମ୍ରାନ ହୁସେନଙ୍କ ଭଳି ବରିଷ୍ଠ ମନ୍ତ୍ରୀମାନେ ନିଜ ପଦରେ ରହିପାରନ୍ତି। ତେବେ ଜଣେ ଦଳିତ ଚେହେରାଙ୍କ ସମେତ ଦୁଇ ଜଣ ନୂଆ ମନ୍ତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇପାରେ। ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୫ ମାସ ବାକି ଥିବା ବେଳେ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହେବାର ସମ୍ଭାବନା ନାହିଁ। ଆପ୍ର ଜଣେ ବରିଷ୍ଠ ନେତାଙ୍କ କହିବା ନୁସାରେ ଗୋପାଳ ରାୟ, କୈଳାସ ଗେହଲଟ, ସୌରଭ ଭରଦ୍ୱାଜ ଏବଂ ଇମ୍ରାନ ହୁସେନ ରହିବାର ସମ୍ଭାବନା ରହିଛି। ଦଳିତ ସମ୍ପ୍ରଦାୟର ଜଣେ ଚେହେରାଙ୍କ ସମେତ ଦୁଇ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ।
ଆତିଶୀଙ୍କ ମନ୍ତ୍ରିମଣ୍ଡଳରେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିପାରେ। କରୋଲବାଗର ବିଧାୟକ ବିଶେଷ ରବି କିମ୍ବା କୋଣ୍ଡଲିର ବିଧାୟକ କୁଲଦୀପ କୁମାର ପୂର୍ବତନ ସମାଜ କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ସ୍ଥାନ ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଲୋକସଭା ନିର୍ବାଚନ ପୂର୍ବରୁ ଆନନ୍ଦ ଏପ୍ରିଲରେ ଆପ୍ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜରନେଲ ସିଂହ, ସୋମନାଥ ଭାରତୀ, ଦୁର୍ଗେଶ ପାଠକ ଓ ସଞ୍ଜୀବ ଝାଙ୍କ ନାମ ମଧ୍ୟ ବିଚାରକୁ ନିଆଯାଉଛି। ଆତିଶୀ ମୁଖ୍ୟମନ୍ତ୍ରୀ ହେବା ପରେ ଖାଲି ପଡ଼ିଥିବା ମନ୍ତ୍ରୀ ପଦ ପାଇଁ ଏମାନେ ସମସ୍ତେ ସମ୍ଭାବ୍ୟ ଦାବିଦାର ବୋଲି ବିବେଚନା କରାଯାଉଛି।
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ପରେ ମୋଟ ୬ ଜଣ ମନ୍ତ୍ରୀଙ୍କୁ ନିଯୁକ୍ତି ମିଳିପାରେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନରେ କମ୍ ସମୟ ଏବଂ ବିଭାଗ ଜ୍ଞାନ ଥିବାରୁ ବର୍ତ୍ତମାନର ମନ୍ତ୍ରୀମାନଙ୍କୁ ସେମାନଙ୍କର ବର୍ତ୍ତମାନର ବିଭାଗ ସହିତ ବଜାୟ ରଖାଯାଇପାରିବ। ଆନନ୍ଦଙ୍କ ପୂର୍ବରୁ ଥିବା ୭ଟି ବିଭାଗରୁ ଏହି ଦୁଇ ନୂଆ ମନ୍ତ୍ରୀଙ୍କୁ କିଛି ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ଆତିଶୀ ଏବେ ମୁଖ୍ୟମନ୍ତ୍ରୀ ହେବେ ଏବଂ ଦାୟିତ୍ୱ ବଢିବ, ଏଭଳି ପରିସ୍ଥିତିରେ ତାଙ୍କର କିଛି ବିଭାଗକୁ ଅନ୍ୟ ମନ୍ତ୍ରୀଙ୍କ ମଧ୍ୟରେ ବିଭକ୍ତ କରାଯାଇପାରେ। କେଜ୍ରିଓ୍ଵାଲ ସରକାରରେ ଆତିଶୀ ୧୩ଟି ବିଭାଗର ଦାୟିତ୍ୱରେ ଥିଲେ।
ଅଧିକ ପଢ଼ନ୍ତୁ: ଆପ୍ ବିଧାୟକ ଦଳ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି