ଭୁବନେଶ୍ୱର: ରାଜ୍ୟରେ ମୋହନ ମାଝୀ ସରକାରଙ୍କୁ ୧୦୦ ଦିନ ପୂରି ସାରିଛି । ଏହି ଉପଲକ୍ଷେ ଆସନ୍ତା ୧୯ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ବିଜେପି ସରକାର ଗଠନର ୧୦୦ ଦିନ ପୂର୍ତ୍ତି ଉତ୍ସବ। ପୁରୀ ଶରଧାବାଲି ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶରଧାବାଲି ଠାରେ ପହଞ୍ଚି ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ସମୟରେ ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରିମଣ୍ଡଳ, କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ, ସାଂସଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୧୦୦ ଦିନ ଭିତରେ ଯେଉଁ ସବୁ ପ୍ରତିଶ୍ରୁତି ତଥା ନିର୍ବାଚନୀ ଇସ୍ତାହାର ପୂରଣ କରାଯାଇଛି ତାକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ। ବିଜେପି ସରକାର ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ବଦ୍ଧପରିକର ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯିବ।
ଆଜି ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ଗସ୍ତରେ ଆସି ଶରଧାବାଲି ଠାରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ, ଏସପି ଉପସ୍ଥିତ ରହି ସମସ୍ତ ପ୍ରସ୍ତୁତି ବିଷୟରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ବିଜେପି ସରକାର ଗଠନ ହେବାର ଶହେ ଦିନ ପୂର୍ତ୍ତି ଉତ୍ସବ ଶରଧାବାଲିରୁ ଆରମ୍ଭ ହେଉଥିବା ବେଳେ ଏହା ଜିଲ୍ଲା ସ୍ତରରେ ମଧ୍ୟ ଆୟୋଜନ କରାଯିବ। ବିଜେପି ସରକାର ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ କିଭଳି କାର୍ଯ୍ୟ କରିବ ସେନେଇ ମଧ୍ୟ ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅବଗତ କରାଯିବ।
ସେପଟେ ପୁରୀରେ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଏସପିଙ୍କ ସୂଚନା ଅନୁସାରେ ପ୍ରାୟ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ଶ୍ରୀମନ୍ଦିରରେ ମନ୍ତ୍ରୀ ପରିଷଦ ଏବଂ ସାଂସଦ ମାନେ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ସେଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଏସପି।
ସୂଚନାଯୋଗ୍ୟ, ୨୪ ବର୍ଷର ବିଜେଡି ସରକାରକୁ ଧ୍ୱସ୍ତ କରି ରାଜ୍ୟରେ ବିଜେପି ନିଜ ଦମରେ ପ୍ରଥମ ଥର ସରକାର ଗଢିଛି । ଜୁନ ୧୨ ତାରିଖରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ସହ ରାଜ୍ୟରେ ବିଜେପି ସରକାର ଆରମ୍ଭ ହୋଇଥିଲା । ଆଉ ସେପ୍ଟେମ୍ବର ୧୨ ତାରିଖରେ ସରକାରକୁ ୧୦୦ ଦିନ ପୂର୍ତ୍ତି ହୋଇଛି ।