ନୂଆଦିଲ୍ଲୀ: ତିନି ଥର ଜାତୀୟ ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଶେଷରେ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ସଚ୍ଚିବାଳୟରେ ଉପ ରାଜ୍ୟପାଳ ବିନାଇ ସକ୍ସେନାଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ଦିଲ୍ଲୀର ପ୍ରସ୍ତାବିତ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଓ ଅନ୍ୟ ନେତୃ ବୃନ୍ଦଗଣ ଉପସ୍ଥିତ ଥିଲେ ।
ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ଛନ୍ଦି ହୋଇଥିବା ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ତିହାର ଜେଲରୁ ମୁକୁଳି ଥିଲେ । ମାତ୍ର ତାଙ୍କ ଉପରେ କିଛିଟା ସର୍ତ୍ତାବଳୀ ରଖିଥିଲେ ମାନ୍ୟବର ସୁପ୍ରିମକୋର୍ଟ । ସେଥିରୁ ଦୁଇଟି ମୁଖ୍ୟ ସର୍ତ୍ତ ଥିଲା ଯେ ସେ ନିଜର କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ ଓ ଅନ୍ୟଟି ହେଲା ସେ କୌଣସି ସରକାରୀ କାଗଜପତ୍ରରେ ଦସ୍ତଖତ କରି ପାରିବେ ନାହିଁ ।
ଯାହା ପରେ କେଜ୍ରିୱାଲ ନିଜର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ସେ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଇସ୍ତଫା ଦେବା ପରେ ସେ ନିଜର ସରକାରୀ ବାସଭବନ ମଧ୍ୟ ଖାଲି କରିବେ ।
୨୦୧୨ ମସିହାରେ ଅରବିନ୍ଦ କେଜ୍ରିୱାଲ ଆମ ଆଦମୀ ପାର୍ଟି ଗଠନ କରିଥିଲେ । ୨୦୧୩ରେ ପ୍ରଥମ ଥର ପାଇଁ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । କଂଗ୍ରେସର ଟାଣୁଆ ନେତ୍ରୀ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ସିଲା ଦିକ୍ଷିତଙ୍କୁ ସେ ପରାସ୍ତ କରିଥିଲେ । ସଂଖ୍ୟା ଗରିଷ୍ଠତା ନ ଥିବାରୁ ମାତ୍ର ୪୯ ଦିନ ପାଇଁ ସେ ଏହି ପଦରେ ରହିଥିଲେ ଏବଂ ଇସ୍ତଫା ଦେଇଥିଲେ ।
ଏହା ପରେ ୨୦୧୫ରେ ପୁନର୍ବାର ପୂର୍ଣ୍ଣ ବହୁମତ ସହ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଆସନକୁ ଫେରିଥିଲେ । ୨୦୧୫ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଆପ୍ ୭୦ରୁ ୬୭ଟି ଆସନ ଜିତି ରେକର୍ଡ କରିଥିଲା । ଏହା ପରେ ପୁଣି ୨୦୨୦ରେ ନିର୍ବାଚନରେ କେଜ୍ରିନୱାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ ।