ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଆସିଛି ବଡ଼ ଟୁଇଷ୍ଟ। ରାଜ୍ୟରେ ରାଜନୈତିକ ସଙ୍କଟ ଆହୁରି ଘନୀଭୂତ ହେବାର ସମ୍ଭାବନା ଦେଖା ଦେଇଛି।ଅଭିନେତାରୁ ନେତା ହୋଇଥିବା ବିଜୟଙ୍କ ଦଳ ତାମିଲଗା ଭେଟ୍ରି କାଜଗମ (TVK) ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ମାତ୍ର ୨୩୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସରକାର ଗଢ଼ିବା ପାଇଁ ଆବଶ୍ୟକ ୧୧୮ ସଂଖ୍ୟାରୁ ଦଳ ଏବେ ମଧ୍ୟ ୧୦ଟି ଆସନ ପଛରେ ରହିଛି। ଏହା ମଧ୍ୟରେ ଟିଭିକେ ପକ୍ଷରୁ ଏକ ବଡ଼ ଧରଣର ଚେତାବନୀ ଦିଆଯାଇଛି। ଯଦି ଯଦି DMK କିମ୍ବା AIADMK ସରକାର ଗଢ଼ିବାକୁ ଚେଷ୍ଟା କରନ୍ତି, ତେବେ TVKର ସମସ୍ତ ୧୦୮ ବିଧାୟକ ସାମୂହିକ ଭାବେ ଇସ୍ତଫା ଦେଇଦେବେ।
ବିଜୟଙ୍କୁ ରୋକିବା ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଏକାଠି ହେବାର ସନ୍ଦେହ
ତାମିଲନାଡୁର ଦୁଇ ପ୍ରମୁଖ ଦଳ DMK ଏବଂ AIADMK ମଧ୍ୟରେ ସମ୍ଭାବ୍ୟ ବୁଝାମଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। TVK ଆଶଙ୍କା କରୁଛି ଯେ, ଏମ.କେ. ଷ୍ଟାଲିନଙ୍କ ନେତୃତ୍ଵାଧୀନ DMK ଏବଂ AIADMK ହାତ ମିଳାଇ ବିଜୟଙ୍କୁ କ୍ଷମତାଠାରୁ ଦୂରେଇ ରଖିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଅନ୍ୟପଟେ ରାଜ୍ୟପାଳଙ୍କ କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ଖପ୍ପା ଥାଲାପତି ବିଜୟ। କାରଣ ସବୁଠୁ ବଡ଼ ପାର୍ଟି ହୋଇ ମଧ୍ୟ ରାଜ୍ୟପାଳ ସରକାର ଗଢିବାକୁ ଆମନ୍ତ୍ରଣ ଦେଉ ନାହାନ୍ତି। ଏମିତି ସ୍ଥିତିରେ ଯଦି TVKର ବିଧାୟକମାନେ ଇସ୍ତଫା ଦିଅନ୍ତି, ତେବେ ରାଜ୍ୟରେ ଏକ ବଡ଼ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇପାରେ ଏବଂ ପୁନର୍ବାର ନିର୍ବାଚନ ପରି ପରିସ୍ଥିତି ଉପୁଜିପାରେ।
ସମର୍ଥନ ପାଇଁ ବାମ ଦଳ ଓ ମୁସଲିମ ଲିଗ୍କୁ TVKର ଚିଠି
ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଜୁଟାଇବାକୁ TVK ରଣନୀତି ପ୍ରସ୍ତୁତ କରିଛି। ଦଳର ନେତା ସିଟିଆର୍ କୁମାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI) ଏବଂ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (CPM) ନେତାମାନଙ୍କୁ ଭେଟି ସମର୍ଥନ ମାଗିଛନ୍ତି। ଏହା ସହିତ VCK ଏବଂ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍ (IUML) କୁ ମଧ୍ୟ ଔପଚାରିକ ଭାବେ ସମର୍ଥନ ପାଇଁ ଅନୁରୋଧ କରାଯାଇଛି। କଂଗ୍ରେସ ପୂର୍ବରୁ TVKକୁ ନିଜର ୫ଟି ଆସନ ସହ ସମର୍ଥନ ଦେବାକୁ ଘୋଷଣା କରିସାରିଛି। ବିଜୟ ସ୍ପଷ୍ଟ କରିଛନ୍ତି ଯେ ସେ କେବଳ ସମର୍ଥନ ନୁହେଁ, ବରଂ ସହଯୋଗୀ ଦଳମାନଙ୍କୁ କ୍ଷମତାରେ ଅଂଶୀଦାର କରିବାକୁ ଚାହୁଁଛନ୍ତି।
ସାମ୍ବିଧାନିକ ପରମ୍ପରାକୁ ନେଇ TVKର ଦାବି
TVK ନେତାମାନଙ୍କ କହିବା ଅନୁଯାୟୀ, ଗଣତାନ୍ତ୍ରିକ ପରମ୍ପରା ଅନୁଯାୟୀ ରାଜ୍ୟପାଳ ସବୁଠାରୁ ବଡ଼ ଦଳକୁ ପ୍ରଥମେ ସରକାର ଗଢ଼ିବାକୁ ଆମନ୍ତ୍ରଣ କରିବା ଉଚିତ। ଜନାଦେଶ TVK ପକ୍ଷରେ ରହିଥିବାରୁ ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିବା ଦରକାର। ଅନ୍ୟପଟେ ଦଳ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ସେମାନେ NDA (ରାଜଗ) ସହ କୌଣସି ଯୋଗାଯୋଗ କରିନାହାନ୍ତି କିମ୍ବା ଭବିଷ୍ୟତରେ ସମର୍ଥନ ନେବାର କୌଣସି ଯୋଜନା ନାହିଁ।