ଅଗରତଲା, ମେ ୧୫ (ଖବର ଓଡ଼ିଶା): ତ୍ରିପୁରାରେ ବିଧାନସଭା ନିର୍ବାଚନର ଠିକ ବର୍ଷକ ପୂର୍ବରୁ ଭାରତୀୟ ଜନତା ପାର୍ଟିର ହାଇକମାନ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛନ୍ତି । ବିଜେପି ମାଣିକ ସାହାଙ୍କୁ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ କରିଛି । ସାହାଙ୍କୁ ବିଜେପି ବିଧାୟକ ଦଳର ବୈଠକରେ ନେତା ଭାବେ ଚୟନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ବିପ୍ଲବ ଦେବ ଭେଟିବା ପରେ ଏହା କରାଯାଇଛି । କେବଳ ୨୪ ଘଣ୍ଟା ମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିଛି ।
ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ମାଣିକ ସାହା ୬ ବର୍ଷ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ସେ ଏତେ ଶୀଘ୍ର ପ୍ରଭାବଶାଳୀ ହୋଇଯିବେ, ଏକଥା ରାଜନୀତି ବିଶେଷଜ୍ଞମାନେ ମଧ୍ୟ ଅନୁମାନ କରିପାରି ନ ଥିଲେ । ବିଜେପିରେ ଯୋଗଦେବା ପରେ ମାଣିକ ସାହାଙ୍କୁ ରାଜ୍ୟର ସଭାପତି କରାଯାଇଥିଲା । ତ୍ରିପୁରା କ୍ରିକେଟ ଆସୋସିଏସନର ସଭାପତି ମଧ୍ୟ କରାଯାଇଥିଲା । ନିକଟରେ ରାଜ୍ୟସଭା ପାଇଁ ମଧ୍ୟ ମନୋନୀତ କରାଯାଇଥିଲା । ଏବେ ନୂଆ ମୁଖ୍ୟମନ୍ତ୍ରୀ କରାଯାଇଛି ।
ଡା ମାଣିକ ସାହା ଏବେ ବିଜେପିର ରାଜ୍ୟ ସଭାପତି ପଦରେ ଅଛନ୍ତି । ସାହାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାର କାରଣ ହେଲା ତାଙ୍କର ଚିତ୍ର ଓ ପାର୍ଟିରେ ତାଙ୍କର ପ୍ରଭାବ । ମାଣିକ ସାହା ପେଶାରେ ହେଉଛନ୍ତି ଜଣେ ଦନ୍ତ ଚିକିତ୍ସକ । ସେ ୨୦୧୬ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ ।