ନୂଆଦିଲ୍ଲୀ, ଜୁଲାଇ ୦୨ (ଖବର ଓଡ଼ିଶା): ପଂଜାବରେ ବିଜେପି ମେଣ୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ ଏକ ବଡ଼ ଖବର ପ୍ରକାଶିତ ହୋଇଛି । ଚଳିତ ବର୍ଷ ବିଜେପି ସହିତ ପଂଜାବ ବିଧାନସଭା ନିର୍ବାଚନରେ ଲଢ଼ିଥିବା ଅମରିନ୍ଦର ସିଂହ ନିଜର ରାଜନୈତିକ ଦଳ ‘ପଂଜାବ ଲୋକ କଂଗ୍ରେସ’କୁ ବିଜେପିରେ ବିଳୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
କୁହାଯାଉଛି ଯେ, ଅମରିନ୍ଦର ସିଂହ ନିଜର ଚିକିତ୍ସା କରାଇବା ପାଇଁ ଏବେ ବିଦେଶରେ ଅଛନ୍ତି । ସେ ସ୍ୱଦେଶ ଫେରିବା ପରେ ଚଳିତ ମାସରେ ନିଜର ରାଜନୈତିକ ଦଳ ‘ପଂଜାବ ଲୋକ କଂଗ୍ରେସ’କୁ ବିଜେପିରେ ବିଳୟ କରିବା ନେଇ ଘୋଷଣା କରିପାରନ୍ତି । ସୂଚନା ଅନୁସାରେ ଅମରିନ୍ଦର ଆସନ୍ତା ସପ୍ତାହରେ ବିଦେଶରୁ ଫେରିପାରନ୍ତି ।
ସୂଚନାଯୋଗ୍ୟ, ୨୦୨୧ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲା ପରେ ଅମରିନ୍ଦର ସିଂହ ନୂଆ ରାଜନୈତିକ ଦଳ ଗଠନ କରିଥିଲେ । ଏହି ସମୟରେ ସେ ନିଜର କିଛି ଘନିଷ୍ଠଙ୍କୁ ସହଯୋଗ କରି ରାଜ୍ୟର ରାଜନୀତିରେ ବଡ଼ଧରଣର ଅଦଳବଦଳ କରାଇଦେଇଥିଲେ । ଫଳରେ ପଂଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା ।