ଭୁୁବନେଶ୍ୱର: ବାଲେଶ୍ୱରର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲାରେ ରାଜ୍ୟ ରାଜନୀତି ଥମିବାର ନାଁ ଧରୁନି । ବିଜୁ ଜନତା ଦଳର ୮ ଘଣ୍ଟିଆ ବାଲେଶ୍ୱର ବନ୍ଦ, ମୁଖ୍ୟମନ୍ତ୍ରୀ ବାସଭବନ ଘେରାଉ ପରେ ଗତକାଲି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ସଂପନ୍ନ ହୋଇଛି । ଏହା ପରେ ଆଜି ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ଗର୍ଜିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) । ଏହି ଘଟଣାରେ କଂଗ୍ରେସର ଏନଏସୟୁଆଇ ଓ ବିସିଜେଡିକୁ ଦାୟୀ କରିଛି ଏବିଭିପି । ଫଟୋ ଓ ଦସ୍ତଖତ ଦେଖାଇ ଟାର୍ଗେଟ୍ କରିଛନ୍ତି ସାଧାରଣ ସଂପାଦିକା ଦିପ୍ତିମୟୀ ପ୍ରତିହାରୀ ।
ଦିପ୍ତିମୟୀ କହିଛନ୍ତି, ଅଭିଯୁକ୍ତ ଏଚଓଡିଙ୍କ ସପକ୍ଷରେ ଦସ୍ତଖତ ସଂଗ୍ରହ କରୁଥିଲେ କଂଗ୍ରେସ ଓ ବିଜେଡି ଛାତ୍ର ଜନତା ଦଳ । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଦିଲ୍ଲୀ ନିର୍ଭୟା ଆଇନ ଭଳି ଓଡିଶାରେ ଆଇନ ପ୍ରଣୟନ ହେଉ । ଅବସରପ୍ରାପ୍ତ ବିଚାରପତି, କାର୍ଯ୍ୟରତ ବିଚାରପତିଙ୍କ ତତ୍ୱାବଧାନରେ ଘଟଣାର ତଦନ୍ତ ହେଉ । ମାମଲାର ନ୍ୟାୟିକ ତଦନ୍ତ ହେଉ । ବିଚାର ବିଭାଗୀୟ ତଦନ୍ତ ହେଲେ ହିଁ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଦିପ୍ତିମୟୀ କହିଛନ୍ତି ।
ସୂଚନାଯୋଗ୍ୟ, ମାମଲାରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ତୁରନ୍ତ ଏହି ଘଟଣା ପରେ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ନିଲମ୍ବନ କରାଯାଇଥିଲା । କେଉଁ କାରଣରୁ ଛାତ୍ରୀ ଜଣକ ଏପରି ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ପାଇଁ ଗୁରୁବାର କଲେଜରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଗ୍ରାଉଣ୍ଡରୁ ଘଟଣାର ସମସ୍ତ ତଥ୍ୟ ସଂଗ୍ରହ ନିମନ୍ତେ ତଦନ୍ତ ଜାରି ରଖିଥିଲେ । ଘଟଣାର ବିଭିନ୍ନ ଦିଗକୁ ନେଇ ଆଇସିସିର ସଦସ୍ୟ ଓ କଲେଜ କର୍ମଚାରୀଙ୍କୁ ମଧ୍ୟ ପଚାରଉଚରା କରିଥିଲେ।
ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲା । ଛାତ୍ରୀ ଜଣକ ପେଟ୍ରୋଲ କେଉଁଠୁ ଆଣିଲା ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ସେଥିପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ କଲେଜ ନିକଟସ୍ଥ ପେଟ୍ରୋଲ ପମ୍ପରେ ମଧ୍ୟ ତନାଘନା ଯାଞ୍ଚ କରୁଛି ।